ଜୀବନ ନଦୀର ତୀରେ
ଜୀବନ ନଦୀର ତୀରେ
ଜୀବନ ନଦୀର ତୀରରେ ଶୁଭୁଛି,
ମୋହନ ବଂଶୀର ତାନ
ସୁନୀଳ ଆକାଶେ ସ୍ମୁତି ସିଲଟରେ,
ପିଲାଦିନ ରୁପାଜହ୍ନ ।
ପୁରୁଣା ଦିନର ସୁନା ସକାଳଟା,
ପରଦା ଆଡେଇ ଚାହେଁ
ଶୂନ୍ୟତା ଭରା ଭଙ୍ଗା ହୃଦୟେ,
ସ୍ମୁତି ଧରା ଦେବିନାହିଁ କୁହେ ।
କାହିଁ ପିଲାଦିନ ଏହି ମୋରମନ,
କେବେ ଶୀତ ସକାଳର ତାତି
ଧାରା ଶ୍ରାବଣର ଝରା ଶେଫାଳିଟେ,
କେବେ କଳା କିଟିମିଟି ରାତି ।
ଜୀବନ ନଦୀର ଦୁଇକୂଳ ଛୁଇଁ,
ପ୍ରୀତି କେବେ ଗୀତ ଗାଏ
କେବେ ସେ ହସାଏ କେବେସେ କନ୍ଦାଏ,
ପ୍ରଖର ସ୍ରୋତରେ ଧାଏଁ ।
କେବେ ମହାସାଗରର ଗରଜନ ଶୁଭେ,
କେବେ ଝରଣାର ଶୀତଳତା
ଜୀବନଟା କେବେ ଜଳନ୍ତା ଯୁଇର,
ଲେଲିହାନ ବହ୍ନି ଚିତା ।
ବାଲ୍ୟ ଚପଳତା ମୋହିନୀ ହସରେ,
ମିଠା ଛୁରୀ ଚାହାଣୀରେ
ବୁଢା ନାଉରୀର ଦରଭଙ୍ଗା ନାଆ,
ଜୀବନର ଅପରାହ୍ନେ ।
ଜୀବନଟା କେବେ ଜଳି ଜଳି ଯାଏ,
କେବେ ଭିଜେ ଚାନ୍ଦିନୀରେ
କେବେ ପ୍ରତାରଣା ଦାରୁଣ ଯନ୍ତ୍ରଣା,
କେବେ ମଧୁଝରା ପ୍ରୀତି ପ୍ରଣୟରେ ।
ଜୀବନ ନଦୀର ଅଥଳ ଗର୍ଭରେ,
ମରିବାକୁ ହୁଏ ବହୁବାର
ହାରିବା ଜିତିବା ସମାନ ହୁଅଇ,
ଅଭୂଲା ହୁଅଇ ରାତିଦିନ ।
ଉଜାଣି ବହଇ ମନର ଯମୁନା,
ହସି କିଏ କଥାକହେ
ଗୋଲାପି ଚିଠିରେ ପ୍ରିୟାର ପ୍ରଣୟ,
କିଏ ମୁହଁ ମୋଡିଦିଏ ।
ନିଦ ଭାଙ୍ଗିଯାଏ ପାଦ ଶବଦରେ,
ଜୀବନ ଗବାକ୍ଷ ଖୋଲେ
ମଳୟ ବହଇ ସପନ ଆସଇ,
ଚିହ୍ନା ଚିହ୍ନା ବାସ୍ନା ଖେଳେ ।
ଚୋରା ଚଇତାଳି ନଦୀର ତୀରକୁ,
ଛୁଇଁଦେଇ ଚାଲିଯାଏ
ଶୋରିଷ ଫୁଲର ହଳଦିଆ କ୍ଷେତ,
ପ୍ରୀତିର ପରଷ ଦିଏ ।
ମନର ମୟୂରୀ କେବେ ନାଚି ଉଠେ,
ମେଘ ଖେଳେ ଚକା ଭଉଁରୀ
ମନର ଦରଜ ନୁହଁଇ ସହଜ
କାନେ ଶୁଭେ ପ୍ରିୟ ବାଂଶୁରୀ ।
ହଜାରେ ରାତିର ଚନ୍ଦ୍ରମା ରୋଷଣୀ,
ଭିଜାଏ ଜୀବନ ତୀର
ଇନ୍ଦ୍ରଧନୁ ରଙ୍ଗେ ସପନ ସଜାଏ,
କାଳ ବାନ୍ଧେ ଏ ଜୀବନ ଡୋର ।
ଅନେକ ଯାତନା ଅନେକ ଯନ୍ତ୍ରଣା,
ବହିଯାଏ ଧାର ହୋଇ
ଆଗକୁ ପଡିଛି ବନ୍ଧୁରିତ ଶିଳା,
ଜୀବନ ନଦୀ କି ପାରିବ ଡେଇଁ ।
ଯାଇଛି ଯେ ଚାଲି ହିସାବ ରଖିନି,
କେତେ ମଧୁଝରା ଦିନ
ଜୀବନ ସାୟାହ୍ନେ ନଦୀର ତୀରରେ,
ଶୁଣେ ଜୀବନ ଗୀତର ସ୍ୱର ।