ଜୀବନ ମଧୁମାଳତୀ
ଜୀବନ ମଧୁମାଳତୀ


ଜୀଇଁ ଜାଣିଥିଲେ ଜୀବନ ସୁନ୍ଦର,
ଜୀଇଁ ନ ଜାଣିଲେ ବିଷ ।
ଜୀବନ ଫର୍ଦ୍ଦକୁ ପରଖି ନ ଜାଣି
କାହିଁକି ଦେଉଛ ଦୋଷ ?
ତୁମେ ତ ଜାଣିଛ ସମୁଦ୍ର ମନ୍ଥନେ
ଦେବଲୋକ ଦେବଗଣ ।
ଅମୃତ ସନ୍ଧାନ କରିବାକୁ ଯାଇ
ବିଷ ବଳୟେ ବିଲୀନ ।
କେବେ କି ଦେଖିଛ ସୁଖରେ ସୁଖରେ
ଜୀବନର ସ୍ରୋତ ଚାଲେ ।
ଦୁଃଖ ଆଉ ସୁଖ ଉଭୟେ ସଙ୍ଗାତ
ହସୁଥାନ୍ତି ଅନ୍ତରାଳେ ।
ମୃଦୁ ମଧୁଭାଷୀ ମଣିଷ ପାଇଁକି
ଜୀବନ ମଧୁମାଳତୀ ।
ଆତ୍ମ ପ୍ରତାରକ ଅମଣିଷ ପାଇଁ
ଅପଯଶ, ଅପକୀର୍ତ୍ତି ।
ଆଶାରେ ନିରାଶା ନିରାଶାରେ ଆଶା
ଛାଇ ଆଲୁଅ ତରଙ୍ଗ ।
ଦିନରେ ବି ରାତି ରାତିରେ ବି ଦିନ
ଏଇତ ଜୀବନ ରଙ୍ଗ !
ଚର୍ମ ନଜରରେ ଜୀବନଟା ଖାଲି
ମରୁ ମରୀଚିକା ବାଲି ।
ଦିବ୍ୟ ଚେତନାର ନମ୍ର ନୟନରେ
ରଙ୍ଗ ରଙ୍ଗର ରଙ୍ଗୋଲି ।
କେବେ ଏ ଜୀବନ ନ୍ୟୂନ ମାନସାଙ୍କ
କେବେ ଲବ୍ଧ ଲିଖିତାଙ୍କ ।
କର୍ମାନୁକରଣେ ଧର୍ମାନୁସରଣେ
ଲଭେ ଲକ୍ଷ ଜ୍ୟୋତିଷାଙ୍କ ।
ତ୍ରିକୋଣମିତି ବା ଗଣିତଶାସ୍ତ୍ରର
ବୀଜ ଗାଣିତିକ ମେଳ ।
ଭାରସାମ୍ୟଟିକୁ ହରାଇ ବସିଲେ
ଜୀବନ ହୁଏ ଜଟିଳ ।
ଭାଜ୍ୟ ଭାଜକର ତର୍କ ବିତର୍କରେ
ଭାଗ୍ୟହୀନ ଭାଗଫଳ ।
ବେଳେବେଳେ ଆସେ ଭାଗଶେଷ ଶୂନ୍ୟ
ବିପରୀତ ପ୍ରତିଫଳ ।
ଅଯଥା କଥାରେ ଅତୃପ୍ତ ଅଶାନ୍ତ
ବିକ୍ଷିପ୍ତ ତୁମରି ମନ ।
ମନ ସିନା ତୁମ ନିଜର ଅଧୀନ
ଇଚ୍ଛା ନୁହେ ଇଚ୍ଛାଧୀନ ।
ବଞ୍ଚିବା ପାଇଁକି ସକ୍ରିୟ ସାଧନା
ସୁଦୀର୍ଘ ସଂଘର୍ଷ ଲୋଡ଼ା ।
ବଞ୍ଚିବା ଶୈଳୀକୁ ବହିଷ୍କାର କଲେ
ଜୀବନ ହୁଏ ଅଲୋଡ଼ା ।
ମର୍ତ୍ତ୍ୟେ ବିଭୂଷିତ ସନ୍ତାନ ଅମୃତ
ହେ ମୋର ପରମ ମିତ୍ର !
ଆତ୍ମାନୁଶୀଳନେ ପ୍ରସ୍ତୁତ କର ହେ
ପୂର୍ଣ୍ଣାଙ୍ଗ ଜୀବନ କ୍ଷେତ୍ର !
ପରାଜୟ ନାହିଁ ଜୀବନ ଜାତକେ
ସର୍ବତ୍ର ଜୟ ହିଁ ଜୟ ।
ତୁମେ ସେଇ ସତ୍ୟ ଶିବ ସୁନ୍ଦରଙ୍କ
ବରଦାନ ବରାଭୟ !