ଝରକା ସେ ପାଖ ରାସ୍ତାରେ
ଝରକା ସେ ପାଖ ରାସ୍ତାରେ
ଆବଦ୍ଧ କୋଠରୀର ଚାରିକାନ୍ଥ ଭିତରେ ରହି
ଝରକା ସେ ପାଖ ରାସ୍ତାରେ
ତୁମକୁ ଯିବାର ଦେଖେ ମୁଁ ବହୁବାର
କେବେ ଚାଲିଥାଅ ଭିଡ଼ ଭିତରେ
ନିଜକୁ ସଂକୁଚିତ କରି ସ୍ବାଭିମାନରେ
କେବେ ପୁଣି ଏକା ଏକା ଜନ ଶୂନ୍ୟତାରେ
ତୁମ ଇତସ୍ତତଃ ଆଖିକୁ ପହଁରାଇ ନିଅ
ଅବୁଝା ପ୍ରଶ୍ନର ଉତ୍ତର ଖୋଜିବାର ଠାଣିରେ
ମୁଁ ଅପଲକେ ଚାହିଁଥାଏଁ ତୁମକୁ
ଟାଣିନିଅ ମୋର ଏକାଗ୍ରତାର ଧ୍ୟାନକୁ
ଝରକା ସେ ପାଖ ରାସ୍ତାରେ
ଚୁମ୍ବକ ଆକର୍ଷଣ କରି ନେଲା ପରି ଲୁହାକୁ
ରୂପ ତୁମର ଝଲସେ ମାର୍ବଲ୍ କାନ୍ଥରେ
ସୁନ୍ଦର ପ୍ରତିବିମ୍ବ ଯେତେ ହୋଇ
ତାର ପ୍ରତିଫଳନ ହୁଏ ମୋ ମନର ଆଇନାରେ
ଆଧୁନିକ ସାଜସଜ୍ଜାର ଜୀବନ୍ତ କଣ୍ଡେଇ ଭଳି
କାଞ୍ଚା ହଳଦୀ ବୋଳା ଗୋରା ଦେହ
ଜାଗି ଉଠେ ମୋ ମନରେ ଅହେତୁକ ମୋହ
ଲାଲିମା ଫଟା କଅଁଳ ଓଠର ନିଶବ୍ଦ ହସ
ଲାଗୁଥାଏ ଫୁଟାଫୁଲର ପାଖୁଡ଼ା ସମ
ଲଲାଟରେ କୁମକୁମ୍ ବିନ୍ଦି ଅନୁପମ
ନୂଆ ନୂଆ ପୋଷାକରେ ଲାଗ ରଙ୍ଗର ଫଗୁଣ
ଗଢ଼ି ହୋଇଯାଏ ଭିନ୍ନ ଏକ ଦୁନିଆଁ
ଝରକା ସେ ପାଖ ରାସ୍ତାରେ
ସ୍ଥାଣୁ ନିର୍ବାକ୍ ପାଲଟି ସେ ଦୁର୍ବଳ ମୁହୂର୍ତ୍ତରେ
ଅକୁହା ନୀରବ ପ୍ରେମରେ ହୁଏଁ ମୁଁ ବଶ
ଭାବନାର ଗଛଡାଳେ ପେନ୍ଥା ପେନ୍ଥା କଢ଼ ସବୁ
ଫୁଟି ଉଠି ମହକିବାକୁ କରନ୍ତି ଉପକ୍ରମ
ତୁମେ ଚାଲିଗଲା ପରେ ବି ମୋ ଆଖି ସାମ୍ନାରୁ
ତୁମର ସେ ଚାହାଁଣୀକୁ ମୁଁ ପଢ଼ୁଥାଏଁ
ଆଙ୍କୁଥାଏଁ ମନର କାନ୍ଭାସ୍ ରେ ତୁମର ଛବି
ତୁମେ ଭଲ ପାଅ କି ପାରେନା ଭାବି
ତଥାପି ଏକତରଫା ଭଲ ପାଇ ହୁଏ ମୁଁ ଖୁସି
ନୀରବ ପ୍ରେମର ମଧ୍ୟ ଅଛି ଏକ ନିଆରା ଅନୁଭବ
ଯଦିଓ ମୁଁ ଜାଣିଛି ଭଲ ଭାବରେ
ହାତ ବଢ଼ାଇ ଧରି ହୁଏନା ପାଣିର ମାଛକୁ
ବା ଆକାଶରେ ଉଡୁଥିବା ପକ୍ଷୀକୁ
ଜାଣି ଜାଣି ବି ସବୁ ନଜର ଅଟକି ଯାଏ
ଝରକା ସେ ପାଖ ରାସ୍ତାରେ ।

