ଝରା ଶେଫାଳି
ଝରା ଶେଫାଳି
କାଳିମା ରାତ୍ରିରେ ଶୁଭ୍ର ବସନରେ
ବୃନ୍ତରେ ଫୁଟି ହସେ
କର୍କଶ ପତର ଫାଂକରୁ ମୁଁ ଲୁଚି
ମହାକାଇ ଦିଏ ବାସେ।।
ବିଦଗ୍ଧ ହୃଦୟେ ଅଭିଶାପ ଜ୍ୱାଳା
ସୂର୍ଯ୍ୟଙ୍କୁ ମୁଁ ଦେଖି ନାହିଁ
ଭବ ତରୁ ଡ଼ାଳୁ ବୃନ୍ତଚ୍ୟୁତ ହୋଇ
ମାଟିରେ ମୁଁ ଲୋଟେ କାହିଁ।।
ମୋପରି ଜନମି ଥିଲେ ଏକ ଜଣେ
ଅଦ୍ୱିତୀୟ ମହାପୁରୁଷ
ପିତାଶ୍ରୀ ତାଙ୍କର ଜ୍ଞାନ ମାଗିଥିଲେ
ବଳି ପଡିଥିଲା ଆୟୁଷ।।
ଶିବଙ୍କ କୃପାରୁ ଶିବଗୁରୁ ଜାଣି
ପୁତ୍ର ବର ମାଗିଥିଲେ
ବତିଶ ବରଷ ଆୟୁଷ ହୋଇଲା
ଜାଣି ମନଦୁଃଖ କଲେ।।
ବରଦେଲେ ଶିବ ଏ ପୁତ୍ର ତୁମର
ଜଗତେ ନାମ କରିବ
ଜ୍ଞାନରେ ତାହାର ସରିକେ ହେବେନି
ଅଦ୍ଵଏତ ଭାଵ ବହିବ।।
ପୁତ୍ର ବଡ ହୋଇ ଶିବ ନାମ ଗାଇ
ମହା ଯଶ ରଖିଗଲେ
ଶଙ୍କରାଚାର୍ଯ୍ୟ ସେ ଜଗତେ ଜାଣିଲେ
ଅଦ୍ଵଏତ ବାଦ ରଚିଲେ।।
ବ୍ରହ୍ମ ସତ୍ୟ ଅଟେ ଜଗତ ମିଥ୍ୟା ଯେ
ଗୁରୁ ଜ୍ଞାନ ଦେଇ ଗଲେ
ମହା ସନ୍ଥ ରୂପେ ଜଗତ ଜାଣିଲା
ଗୁରୁ ରୂପେ ପୂଜା ହେଲେ।।
ମୋପରି ସେ ହୋଇ ବାସ ଚହଟାଇ
ବତିଶେ ସମାଧି ନେଲେ
ଶେଫାଳି ର ପ୍ରାୟ ଅଳ୍ପାୟୁଷ ହୋଇ
ଦିଗ ମହାକାଇ ଦେଲେ।।
ଏତିକି କହୁଛି ଅବଶ୍ୟ ମୁଁ ଆଜି
ଜାଣିଥା ଏ ମୋ କଥା
ଆୟୁଷ ପଛକେ କ୍ଷୀଣ ହୋଇଥାଏ
କର ନାହିଁ ମନେ ବ୍ୟଥା।।
ନିଜ ସୁରଭି ରେ ଜଗ ମହକାଇ
କରିଯାଅ ନିଜ କର୍ମ
ମାନବ ସେବାଠୁ ବଳିଏ ଜଗତେ
ନାହିଁ କିଛି ଆଉ ଧର୍ମ ।।