ଝୋଟିରେ ସୁନ୍ଦର ଲାଗେ ମାର୍ଗଶିର
ଝୋଟିରେ ସୁନ୍ଦର ଲାଗେ ମାର୍ଗଶିର
ଝୋଟିରେ ସୁନ୍ଦର ଲାଗେ ମାର୍ଗଶିର
ଗୁରୁବାର ପ୍ରତି ଘରେ,
ଦେବୀ ମହାଲକ୍ଷ୍ମୀ ପୂଜା ଆରାଧନା
ହୁଏ ନିଷ୍ଠା ସହକାରେ।
ଓଡିଆ ଘରର ନୀତି ପରମ୍ପରା
ସାରା ବିଶ୍ଵେ ଯେ ନିଆରା ,
ପରବ ପର୍ବାଣୀ ଓଷା ବାର ବ୍ରତ
ସତେ କେତେ ମନୋହରା !
ଘରେ ଘରେ ବସି ମାଆ ଭଉଣୀଏ
ଆଙ୍କନ୍ତି ଯତନେ ଅତି,
ଝୋଟିରେ ଝଟକେ ଘରରୁ ଅଗଣା
ହସ୍ତକଳା ଚାରୁ କୃତି।
ଅନ୍ତରର ଭାବ ଝୋଟିରେ ଫୁଟାଇ
ବିକାଶନ୍ତି ଯେ ପ୍ରତିଭା,
ଭକ୍ତି ଭାବ ସାଥେ ଐତିହ୍ୟ ଆମର
ବଢାଏ ଘରର ଶୋଭା।
ମାର୍ଗଶିର ମାସେ ଲକ୍ଷ୍ମୀ ପାଦ ଚିହ୍ନ
କାରୁକାର୍ଯ୍ୟ ଚିତ୍ରକଳା,
ଅରୁଆ ଚାଉଳେ ବାଟି ଯେ ପିଠଉ
ଗୋଳନ୍ତି କରି ପତଳା।
ଘରର ଚଟାଣେ ଲେଖି ଦେଲେ ଝୋଟି
ଦିଶୁଥାଏ ଦାଉ ଦାଉ,
କାନ୍ଥ ମୂଳେ ପୁଣି ନାଚି ଉଠୁଥାଏ
ସତେ କି ସମୁଦ୍ର ଢେଉ !
ଝୋଟି ରଙ୍ଗୋଲୀର ମୁରୁଜ ଅଙ୍କନ
ବଢାଏ ଘରର ଶିରୀ,
ଚାନ୍ଦର ଚାନ୍ଦିନୀ ଦିବସେ ଖେଳଇ
ନାଚେ ଖୁସିର ଲହରୀ।
ସ୍ଵଚ୍ଛ ପରିବେଶ ଭଲ ରଖେ ସ୍ଵାସ୍ଥ୍ୟ
ରୋଗ ଶୋକ ହୁଏ ଦୂର,
ସୁନ୍ଦର ଜୀବନ ସୁନାର ସଂସାର
ଗଢିଦିଏ ନିରନ୍ତର।
ଅତୀତର ପ୍ରଥା ଆଜିର ସଭ୍ୟତା
ମନରୁ ଯାଏ ପାସୋରି,
କୃତ୍ରିମ ରଙ୍ଗରେ ଆଙ୍କି ଦିଏ ଯାହା
ତା' ସାଥେ କି ହେବ ସରି ?
ଉଗ୍ର ଆଧୁନିକ ଯୁଗରେ ମଣିଷ
ଭୁଲେ ପରମ୍ପରା ପ୍ରଥା,
ହେତୁବାଦୀ ଜ୍ଞାନେ କରେ ଉପହାସ
ଭାବେ ଏ ସବୁ ଅଯଥା।
ଝୋଟି ଆଙ୍କିବାର ମହନୀୟ କଳା
ଆଜିର ଯୁଗରେ ହେୟ ,
ଅନୁରୋଧ କରେ ମାଆ ଭଉଣୀଙ୍କୁ
ଯତନେ କରିବେ ଧେୟ।
ଅତୀତ ଭିତରେ ଛପି ରହିଅଛି
ପୂର୍ବଜଙ୍କ କେତେ ସ୍ମୃତି,
ଆଶୀର୍ବାଦ ରୂପେ କଲ୍ୟାଣ କରଇ
ଆଣେ ଆମର ପ୍ରଗତି।
ମାଆ ମହାଲକ୍ଷ୍ମୀ ସ୍ଵରୂପିଣୀ ନାରୀ
ଘରକୁ କରେ ମନ୍ଦିର,
ତାର ସେବା ଯତ୍ନେ ହୁଏ ପରିପୂର୍ଣ୍ଣ
ହସଇ ସୁନା ସଂସାର।
ଝୋଟିଟିଏ କହେ ମା'ର ରଖ ମାନ
ବୁଝ ତା' ତ୍ଯାଗ ମହିମା,
ମା' ମମତାମୟୀ କଲ୍ୟାଣକାରିଣୀ
ଜୀବନ୍ତ ଦେବୀ ପ୍ରତିମା।