ଜହ୍ନ ରାତିର ବାସନା
ଜହ୍ନ ରାତିର ବାସନା
ଭିଜା ସରସର ନୀରବ ଆକାଶେ
ଜହ୍ନ ରାତିର ବାସନା ,
ଗୁମୁରି ଉଠୁଛି ଅନ୍ଧାର ସହରେ
ତୋଫା ଜରି ବୁଣା ଜ୍ୟୋସ୍ନା ।
ବିସ୍ମୟରେ ସ୍ତବ୍ଧ ଲିପ୍ତ ଆକାଶ
ରେଶମୀ ଛାତିରେ ବର୍ଣ୍ଣା ,
ପାଚେରୀ ଫଟେଇ ମୁହଁ ପହଁରେଇ
ଶୀତଳ ସୁରଭି ପୂର୍ଣ୍ଣା ।
ମହମ ଦେହର କଅଁଳ ଭରମ
ତାରାରେ ଭରା ଗହଣା ,
କୁଆଁରୀ ପବନ ଧୀର ଫାଜିଲାମୀ
ଶୁଭ୍ର ଆଲୋକ ବାହାନା ।
କେଉଁଠି ଧୋଇଛି ପଖାଳି ପଖାଳି
ନଈରେ କିବା ଝରଣା ,
ଲାଜରେ ଭିଜିଛି ରୂପ ଶୋଭା ଦେଖି
ଭାଙ୍ଗି ପଡିବ ଆଇନା ।
ରାତିର ବୟସ ଧୀରେ ଯେବେ ବଢେ
ହଜାଏ ନିଜ ଠିକଣା ,
ସପନ ବିଛାଏ ସୁଖମୟ ଶେଜ
କାତର ହୁଏ ଯନ୍ତ୍ରଣା ।
ଆଖି ମେଲି ଠିଆ ଲୋଭନୀୟ ଛାୟା
ସ୍ନିଗ୍ଧ ଆଶାର କରୁଣା ,
ନୀରବ ଓଠରୁ ସହ ଝରିପଡେ
ଦେଇକି ମୃଦୁ ବେଦନା ।
ଛଳନା ମୁଖୁରା ଯା ହୃଦେ ଦରଦ
ସେ କରୁ ତାର ବନ୍ଦନା ,
ଅପୂର୍ବ ପ୍ରକାଶ ସ୍ୱକୀୟ ରାତିର
ବିଭୋର ଶୈଳୀ ଯୋଜନା ।
