ଜହ୍ନ ଓ କଇଁ
ଜହ୍ନ ଓ କଇଁ


ଦୂର ଆକାଶରେ ପୁନେଇଁ ଚାନ୍ଦଟା
ମେଘ ଉହାଡ଼ରେ ହସେ
ସରସୀ କୋଳରେ ଫୁଟେ ନୀଳକଇଁ
ଜୋତ୍ସ୍ନାରେ ଭିଜିବା ଆଶେ
ପ୍ରେମିକ ଜହ୍ନଟା ଭାରି ଆନମନା
ଖେଳୁଅଛି ଲୁଚକାଳି
ଚାତକ ପରାୟ ନୀଳକଇଁ ମନ
କରୁଅଛି କେତେ ଅଳି
ବୁଝି ବି ବୁଝେନା ଅଭିମାନୀ କଇଁ
ତା' ପାଇଁ ତ ହସେ ଜହ୍ନ
ନୀଳକଇଁ ସ୍ପର୍ଶ ପାଇବା ଆଶାରେ
ବ୍ୟାକୁଳ ଜହ୍ନର ମନ
ଦୁନିଆଁ ଦେଖିଛି କଇଁର ପ୍ରତୀକ୍ଷା
ଜହ୍ନର ପରଶ ପାଇଁ
ବିବଶ ଜହ୍ନର କରୁଣ ବେଦନା
ବୁଝି ତ ପାରେନା କେହି
ସୁଧାଂଶୁର ସୁଧା, ବାରି ଧାରା ରୂପେ
ବରଷେ ସରସୀ ମଧ୍ୟେ
ସେହି ସୁଧାପାନେ ତୃପ୍ତ ହୋଇ ଉଠେ
କଇଁ ଫୁଲ ଅଙ୍ଗେ ଅଙ୍ଗେ
ଶୀତଳ ମଧୁର ଜୋଛନା ସ୍ପର୍ଶରେ
ବିମୋହିତ ଦିଶେ କଇଁ
ଲାଜରେ ଲାଜରେ ସମ୍ମୋହିତ ଜହ୍ନ
ଲୁଚିଛି ମେଘରେ ଯାଇ
ଜହ୍ନ ବିନା ଲାଗେ କଇଁ ଅଧା ଅଧା
କଇଁ ବିନା ଜହ୍ନ ଅଧା
ପୁନେଇଁ ରାତିର ପ୍ରେମ ଅବସରେ
ବରଷାନ୍ତି ପ୍ରୀତି ସୁଧା ।