ଜହ୍ନ ଖୋଜୁଛ
ଜହ୍ନ ଖୋଜୁଛ
କବିତା - ଜହ୍ନ ଖୋଜୁଛ
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୮-୨୦୨୫
++++++++++++++++
ସ୍ନେହ ବି ଖୋଜୁଛ
ସ୍ନେହ ରଙ୍କୁଣା ସାଜୁଛ
ସାଥେ ସାଥେ
ଶାନ୍ତି ପ୍ରଶାନ୍ତି ବି ଖୋଜୁଛ
କି ଗଜବ କଥା କହୁଛ ?
କଳା ଟିକି ଟିକି ଅନ୍ଧାର ରାତି
ଅମାବାସ୍ୟା ଯହିଁ କରେ ରାଜୁତି
ଜହ୍ନ ଖୋଜୁଛ
ବାଉଳି ଚାଉଳି ହେଲ କି ?
ଜ୍ୟାତ୍ସ୍ନା ବିଧୌତ ରଜନୀରେ
ସଜନୀର ସ୍ନେହ ଖୋଜୁଛ
ପ୍ରେମ ବି ଚାହୁଁଛ
ପ୍ରେମ ପାଗଳ ସାଜୁଛ
ପ୍ରେମରେ ମାୟା ବାୟା ହେଉଛ
ଘାଟ ତୁଠ ଓଠ ମଝିରେ ଧରି ବୁଲୁଛ
ମନେ ମନେ
ପ୍ରତାରଣା ନ ହେଉ ବି ଚାହୁଁଛ
ଡିଜିଟାଲ ଯୁଗରେ ବି ଭାବୁଛ
କି ପାଗଳ କଥା କହୁଛ
ଖରାବେଳେ ଘୁମେଇ ପଡି
ଦିବାସ୍ବପ୍ନ ବୋଧେ ଦେଖୁଛ
ଆଉ ପୁଣି ସତ ସତିକା
ପ୍ରେମ ଫଳିବ ଭାବୁଛ
ଭଲ ପାଇବା ବି ମାଗୁଛ
ସବୁବେଳେ ଭଲ ହେଉ ମାଗୁଛ
ସବୁ ବେଳେ ଖାଲି ପାଇବାକୁ ଇଚ୍ଛୁଛ
କେବେ ଦେବାକୁ ନ ପଡୁ ବୋଲି ଭାବୁଛ
ବଦଳରେ ମିଳୁ ଛପର ଫଟା ଅଯାତିତ ଦାନ
ଅଫିମ ଟେଳେ ପକେଇଛ କି ?
ଭାଙ୍ଗ ଗିଲାସେ ପିଇ ପକେଇଛ କି?
ଜୀବନର ଅସଲ ଗଣିତ ହେଲା
ଦିଆ - ନିଆରେ ସଂପର୍କ ଡ଼ୋରୀ
ଟିକେ ଊଣା ହେଲେ
ଅସୁବିଧା ଜାଣିଯିବ ଅବିଳମ୍ବେ ସବୁରି
ଗୁଆଦିଆ ବନ୍ଧୁ ବାନ୍ଧିବ ଯେମିତି
ମିଠାନିଆ ବନ୍ଧୁ ବି ପାଇବ ସେମିତି
କେମିତି ମାଗୁଛ ଖୋଜୁଛ ଚାହୁଁଛ ଏମିତି ସେମିତି
ଶୋଇ ରହି ମାଗି ପାରୁଛ ସାରା ଆକାଶ ଜ୍ୟାମିତି
