ଝାଟି ମାଟି କୁଟୀର
ଝାଟି ମାଟି କୁଟୀର
ଝାଟି ମାଟି କୁଟୀରଟି
ଦିଶେ ଭାରି ସୁନ୍ଦର
ନୂଅଣିଆ ଭଲ ଲାଗେ
ତାର ଛଣ ଛପର ।
ନାଲି ରଙ୍ଗ ମାଟିରେ ତ
ଲିପା ହେଇଅଛି
ମହ ମହ କୁଢ ତାର
ବାସି ଯାଉଅଛି ।
ରଙ୍ଗ ବେରଙ୍ଗର ଝୋଟି
କି ସୁନ୍ଦର ଦିଶେ ଫୁଟି
ଟାଣି ନିଏ ତନୁ ମନ
ଆତ୍ମା ହୁଏ ବିଭୋର ।
ଝାଟି ମାଟି କୁଟୀରଟି
ଦିଶେ ଭାରି ସୁନ୍ଦର ।
ଚାରି ପାରୁଶେ ପର୍ବତ
ଘେରି ରହି ଅଛି
କଳ କଳ ଝରଣାଟି
ବହି ତ ଯାଉଛି ।
କୋଇଲିର କୁହୁ ତାନ
ଶୁଭେ ଏଠି ବଢିଆ
ନୀଳ ଆକାଶର ତଳେ
ଭଲ ଲାଗେ କୁଡିଆ ।
ଇଚ୍ଛା ହୁଏ ଉଡିବାକୁ
ପ୍ରଜାପତି ଧରିବାକୁ
ଉଡି ଉଡି ବୁଲୁଥାନ୍ତି
ସିଏ ଫୁଲ ଉପର ।
ଝାଟି ମାଟି କୁଟୀରଟି
ଦିଶେ ଭାରି ସୁନ୍ଦର ।
ଦଳ ଦଳ କେତେ ପକ୍ଷୀ
ଉଡନ୍ତି ଆକାଶେ
ଅସ୍ତଗାମୀ ସୂର୍ଯ୍ୟ ଏଠି
ମନଲୋଭା ଦିଶେ ।
ରଙ୍ଗ ବେରଙ୍ଗର ଫୁଲ
ଫୁଟି ଦିଶେ ସୁନ୍ଦର
ସତେକି ସାଜିଛି ଇଏ
ଫୁଲର ସହର ।
ଚାଳରୁ ତା ପାଣି ଛିଟା
ପଡି ହୁଅଇ ଫୋଟକା
ଖରା ଦିନେ ବଢି ଥାଏ
ୟାର ତ ଆଦର ।
ଝାଟି ମାଟି କୁଟୀରଟି
ଦିଶେ ଭାରି ସୁନ୍ଦର ।
ଚାରିପଟେ ତାହାର ଯେ
ବାଡ ପଡିଅଛି
ଗୋବରରେ ଲିପା ହୋଇ
ସୁନ୍ଦର ଦିଶୁଛି ।
ଲାଖି ଯାଏ ଆଖି ଦେଖି
ପରିଷ୍କାର ପରିଚ୍ଛନ୍ଶ
ଲାଗେରେ ଯେମିତି ଇଏ
ମୁନି ଋଷି ଆଶ୍ରମ ।
ଥରେ ଯିଏ ଦେଖିଦେବ
ନା ସେ ଭୁଲି ପାରିବ
ଫେରି ଆସିବନି କେବେ
ତାହାର ତ ନଜର ।
ରାତିର ଆକାଶ ଏଠି
ସୁନ୍ଦର ଦିଶଇ
ଜହ୍ନ ସାଥେ ତାରା ଫୁଲେ
ହେଇଥାଏ ବିଛେଇ ।
ମୃଦୁ ମଳୟ ବହଇ
ଏଠି ନିରନ୍ତର
ଏତେ ଶାନ୍ତି ଲାଗେ ସତେ
କି ଅମରା ପୁର ।
କି ସୁନ୍ଦର ପରିବେଶ
କରେ ରେ ଆତ୍ମସନ୍ତୋଷ
ହୃଦୟରେ ରହିଗଲା ସିଏ
ହେଇ ନିଜର ।