ଝାଞ୍ଜି ପବନ
ଝାଞ୍ଜି ପବନ
ତତଲା ବାମ୍ଫର ଝାଞ୍ଜି ପବନ
ଚାରିଆଡେ ଶୁନଶାନ୍
ବିଚରା ପଥହୁଡା ବାଟୋଇ
ଆଶ୍ରା ଟିକେ ପାଇଁ
ଖୋଜୁଥାଏ ଗଛ ଛାଇ.
ଏପଟ ସେପଟ କରି ଦେଖୁଥାଏ କେତେ
କୋଉଠି ଟିକେ ଗଡିଆ କି ପୋଖରୀ.
ବିକଳରେ ମୁନ୍ଦେ ପାଣି ପିଇବା ର ଇଛା
ଶୁଖିଲା ଗାମୁଛା ଟିକୁ ଟିକେ
ଭିଜେଇ ଦେବା ପାଇଁ
ସବୁ ଚେଷ୍ଟା ବିଫଳ
କେଉଁଠି ବି ଆଶା ନାହିଁ
ଭାସି ଯାଉଥିବା ପତରକୁ
କୁଟା ଖିଅକର ଆଶ୍ରା ଭାବି
ବଞ୍ଚିବା ବୋଧହୁଏ ଜୀବନ
ଏମିତି ବି ମାୟା ର ଜାଲରେ
ଛନ୍ଦି ହୋଇ ବିଫଳ ହେବାରେ
ବ୍ୟସ୍ତ ହେବାର କଣ ଅଛି ଯେ
ବାଟୋଇ ଟି ଟିକେ ଶାନ୍ତ କରିନେଲା
ନିଜ ବିଚଳିତ ମନକୁ
ଝାଞ୍ଜି ର ତତଲା ବାମ୍ଫ କୁ
ଆଦରିନେଲା ଖୁବ ଶ୍ରଦ୍ଧାର ସହ
ଆଉଜିଗଲା ବର ଶିଅ ଉପରେ
ଓହଳ ଗୁଡାକ ଲମ୍ବେଇ ହୋଇ
ଶୋଇ ଥାଆନ୍ତି ତଳେ
ସାଥୀ କରିନେଲେ ବାଟୋଇକୁ
କିଏ କହୁଛି ଜୀବନ ର ଚଲା ପଥରେ
ସାଥୀ ଟିଏ ମିଳେନା ବୋଲି
ଖୁବ ଶାନ୍ତିରେ ଶୋଇଛି ବାଟୋଇ
କେହି ନାହାଁନ୍ତି ତା'ର ନିଦ ଭାଙ୍ଗିବାକୁ
କିଚିରି ମିଚିରି ଶବଦ କରୁଥିବା
ଘର ଚଟିଆ କେଇ ଗୋଟି ରାଜବଣି
ଙ୍କୁ ଛାଡିଦେଲେ.
କାଁ ଭାଁ କେତୋଟି ଗୁଣ୍ଡୁଚିମୂଷା
ବାଟୋଇ ର ଦେହ ଉପରେ.
ଖେଳୁଥାନ୍ତି ଲୁଚକାଳି ଖେଳ.
ବାଟୋଇ କିନ୍ତୁ. ଖେଳି ସାରିଛି
ତା ଜୀବନ ର ସବୁ ଖେଳ
କେତେବେଳେ ଜିତିଛି ପୁଣି କେବେ ହାରିଛି
କିନ୍ତୁ ଆଜି ?
ଝାଞ୍ଜି ପବନ ଧୀରେ ଧୀରେ ଥମି ଆସୁଥାଏ
ଶୀତଳ ପରଶ ନେଇ
ଦକ୍ଷିଣା ପବନ ସୁଲୁ ସୁଲୁ ହୋଇ
ବହିବାକୁ ଆରମ୍ଭ କରି ସାରିଥାଏ
ଅପରାହ୍ନ ଟା ମଉଳି ଆସୁଥାଏ.
ଦୂରରୁ ଗାଈ ଗୋଠ ଧରି
ଗୋପାଳ ପୁଅ ଅଡ଼େଇ ଆଣୁଥାଏ
ବାଛୁରୀ ଛୁଆଙ୍କୁ
କେତେବେଳେ କୋଳ କରି ତ
ପୁଣି କେତେବେଳେ ଟିକେ ତାଗିଦ ରେ
ଝାଞ୍ଜି ପବନ ଅପସରି ଗଲା
ଅନ୍ଧାର ମାଡି ଆସିବା ପୂର୍ବରୁ
ସଭିଏଁ ଫେରିଗଲେ ଗାଁ ଭିତରକୁ
କିନ୍ତୁ ବାଟୋଇ
ଅଚିହ୍ନା ଶରୀରଟା ବୋଧହୁଏ
ପଡି ରହିଥିଲା
ପରଦିନର ଝାଞ୍ଜି ପବନ ର ପରଶ
ପାଇଁ ହେଲେ ବାଟୋଇ.।