ଜଗତଜନନୀ ଜୟ ମା ଦୁର୍ଗେ
ଜଗତଜନନୀ ଜୟ ମା ଦୁର୍ଗେ
କ୍ଳେଶ,କ୍ଷୋଭ,ଦୁଃଖ, ଶୋକବିନାଶିନୀ
ମମତାମୟୀ'ଲୋ ମୋ ମାତାରାଣୀ
କେତେ ସେନେହ ତୋ ପଣତେ ସାଇତା
ବର୍ଣ୍ଣିବାକୁ କଣ୍ଠେ ଭାଷା ପାଉନି ।
ହୃଦୟରୁ ଥରେ ଆକୁଳ କଣ୍ଠରେ
ଡାକିଦେଲେ ଟିକେ ଲୁହ ଗଡ଼ାଇ
ସହିପାରୁନୁ ମା' ବୁହାଉ କରୁଣା
ଦୟାମୟୀ ମା'ଲୋ କଲ୍ୟାଣମୟୀ ।
ତୋ ସନ୍ତାନ ତୋର ଗଳାର ରତନ
ଯେଣେ ଯାଏ ତେଣେ ତୁ ରଖୁ ଦୃଷ୍ଟି
ପାଶେପାଶେ ତା'ର ଛାଇ ପରି ଥାଉ
ବିପଦ ଆପଦ ଦେଉ ତୁ କାଟି ।
ଜାଣେ ନାହିଁ ଜପ, ଜାଣି ନାହିଁ ତପ
ମା'ଲୋ ଜଣାନାହିଁ ମୋତେ ତୋ ପୂଜା
ତଥାପି ଅନ୍ତରେ ଅମାପ ଶରଧା
ଭରିଛି ହୃଦେ ଲୋ ମା' ଦଶଭୁଜା ।
ସନ୍ତାନ ହେଲେ ହୋଇପାରେ କୁପୁତ୍ର
କୁମାତା କୁତ୍ରାପି ଶୁଭଇ ନାହିଁ
କ୍ଷମାକରି କୋଳେ ତୋଳିନେ ଲୋ ମାଆ
ହୃଦୟରୁ ଡାକେ ଦୟିନୀ ହୋଇ ।
ଦୁଇ କରକୁ କରିଛି ପତ୍ର ମୋର
ମନ ପୁଷ୍ପ ତହିଁ ମୁଁ ଗୁନ୍ଥିଦେଲି
ଶରଧା ସୂତାରେ, ମମତା ଫିତାରେ
ଲୁହ ଗଙ୍ଗାଜଳେ ସମର୍ପି ଦେଲି ।
ଚାହିଁଥିବୁ ମୋର ସୁନାସଂସାରକୁ
ଆଶାରେ ଭରଷା ଦେବୁ ତୁ ବୁଣି
ତୋର ବିଶ୍ୱବାସୀ ସଂକଟରେ ଆସି
ରକ୍ଷାକର ତାକୁ ସିଂହବାହିନୀ ।
ସାମ୍ପ୍ରତିକ ସ୍ଥିତି କରୋନାର ଭୀତି
ପ୍ରତି ପ୍ରାଣ ଆଜି ଉଦବେଳିତ
ଭିତତ୍ରସ୍ତ ଆତଙ୍କିତ ସର୍ବଜନ
ନିର୍ଭୟ ଆଶିଷ ଦିଅ ଗୋ ମାତ ।
ଉପରେ ତୁ ଦିଶୁ ଭୟଙ୍କରୀ ମାଲୋ
ହୃଦୟଟି ତୋର ନରମ ଭାରି
ଦୟାମୟୀ, ସ୍ନେହମୟୀ ମୋ ମାଆଲୋ
ଶୁଭଙ୍କରୀ ତୁ ତ ବିଶ୍ୱସୁନ୍ଦରୀ ।
ତୋ ଦିବ୍ୟ ଆଶିଷ ଫୁଟାଉ ଲୋ ହସ
ପ୍ରତିଟି ଦୁଃଖୀର ଦୁଇ ଓଠରେ
ଅପସରି ଯାଉ ଅଭାବ,ସନ୍ତାପ
ମଧୁମୟ ହେଉ ସଂସାର ବାରେ ।