STORYMIRROR

Bharati Bhusan Das

Classics Others

4  

Bharati Bhusan Das

Classics Others

ଜଗତ ଜନନୀ ମାଆ ଲୋ

ଜଗତ ଜନନୀ ମାଆ ଲୋ

1 min
179

ଗଭାରେ ଯତନେ କାଶତଣ୍ଡୀ ଫୁଲ

    ସଜେଇଛି ବସୁମାତା

ଶକ୍ତି ସ୍ୱରୂପିଣୀ ଆସୁଛନ୍ତି ବୁଲି

     ଆଦିଶକ୍ତି ଆଦିମାତା ।୧।

ନିର୍ମଳ ଚନ୍ଦ୍ରମଣ୍ଡଳ ଶୋଭା ଯେହ୍ନେ

     ଫୁଟିଲେଣି ତାରାଗଣ

ଧରଣୀ ବୁକୁରେ ବାସ ଚହଟଇ

    ମଧୁପ ସ୍ୱର ଗୁଞ୍ଜନ।୨।

ମାତା କୋଳେ ଯେହ୍ନେ ଷଡ଼ କନ୍ୟା ଶୋଭା

  ମାତୃତ୍ଵର ପରାକାଷ୍ଠା

ଜନନୀ ଧରିତ୍ରୀ କୋଳରେ ଯେସନ

    ଷଡ଼ଋତୁ ପରିବୃତା ।୩।

ଗ୍ରୀଷ୍ମ ବର୍ଷା ଶୀତ ଶରତ ହେମନ୍ତ

    ବସନ୍ତ ର ଆଗମନେ

ଅପୂର୍ବ ଶୋଭାର କମନୀୟ ରୂପ

  ଦେଖୁଛେ ପରା ଜୀବନେ।୪।

ଭୋଦୁଅ ପୂର୍ଣ୍ଣିମା ସରିଲା ଲୋ ମିତ

   ଭାଗବତ ପୋଥି ପଢା

ରାତି ପାହିଗଲେ ତର୍ପଣ ରେ ମନ

    ପୁଷ୍କରିଣୀ କୂଳ ବେଢା।୫।

ଅପୂର୍ବ ଶୋଭାର ଭଣ୍ଡାର ଭରିବ

    ପୁଲ୍ଲକିତ ହୃଦ ମନ

ଶରତ ଆସିଛି ମରତରେ ମିତ

    ଆଲ୍ଲାଦିତ ଏ ଜୀବନ।୬।

ଫେରି ଆସିଛି ସେ ଜନନୀ କୋଳକୁ

    ଭରିଛି ଅମ୍ଲାନ ଶାନ୍ତି

ଧରାବତରଣ କରିବେ ଅମ୍ବିକେ

  ପୁଣ୍ୟତୋୟା ଭବ କାନ୍ତି।୭।

ଜାଗେ ଶିହରଣ ମାଆ ଆସୁଛନ୍ତି

     ମମତାର ମୂର୍ତ୍ତିମନ୍ତ

ଅଜ୍ଞାନ କଳୁଷ ହିଂସା ଇର୍ଷା ଦ୍ୱେଷ

   ନାଶ ହେବ କି ଅନନ୍ତ।୮।

ମାଗିବାକୁ ନାହିଁ ଧନ ଜନ ମାନ

    ମାଗୁଛି ସଂସାର ସୁଖ

ଭରିଦେବା ସ୍ନେହ ମାଆର ପଣତେ

   ନହେବା କେବେ ବିମୁଖ।୯।

ଶକ୍ତି ମୁକ୍ତି ଧାତ୍ରୀ ସୃଷ୍ଟି ସ୍ଥିତି ଭୀତି

   ସଚରାଚର ଜୀବନେ

ଭରିଦିଅ ମାଆ ଅମୃତ ପରଶ

  ତୁମ ରୂପ ଦରଶନେ।୧୦।

ଅପୂର୍ବ ଶୋଭାର ଭଣ୍ଡାର ଲୋ ତୁହି

  ଶରତ ଆସିଛି ମରତେ

ଜନନୀ ତୁ ଜନ୍ମଭୂମି ସ୍ୱର୍ଗ ଠାରୁ ବଳି

   ଶରଣ ଯାଉଛୁ ପଣତେ।୧୧।

ଜୟ ମା ଦୁର୍ଗତିନାଶିନୀ ମା ଦୁର୍ଗା

    ଜୟ ମା ଗୌରୀ ପାର୍ବତୀ

ଭବାନୀ ତୁ ଜଗନ୍ମାତା ଜନନୀ ଲୋ

     ସର୍ବ ଶକ୍ତି ହୈମବତୀ।୧୨।

ଜଗତଜନନୀ ମାଆ ଲୋ ତୋ ପାଦେ

       ଶରଣ ମୁଁ ଅକିଞ୍ଚନ

ଦୀନ ଭାବ ପଣେ ରଖିଛି ବିଶ୍ୱାସ

     ଦାସ ଭାରତୀ ଭୂଷଣ।୧୩।



Rate this content
Log in

Similar oriya poem from Classics