ଜ୍ୟେଷ୍ଠ ପୂର୍ଣ୍ଣିମାରେ ଗଜାନନ ବେଶ
ଜ୍ୟେଷ୍ଠ ପୂର୍ଣ୍ଣିମାରେ ଗଜାନନ ବେଶ
ବ୍ରହ୍ମ ଦାରୁ ମୂର୍ତ୍ତି ହେ ଜଗତପତି
ଧନ୍ୟ ତୁମ ଲୀଳା ଖେଳା
ଧନ୍ୟ ଭକ୍ତ ପ୍ରେମ ହେ କଳା ସାଆନ୍ତ
ଭକ୍ତ ପାଇଁ କର ଲୀଳା ।
ତୁମରି ଗାଥାରେ ଜୀବନ ର ତତ୍ତ୍ଵ
ଧନ୍ୟ ମାନବୀୟ ଲୀଳା
ହେ ଭକ୍ତ ବତ୍ସଳ ଭକ୍ତ ପ୍ରିୟ ବର
ଭକ୍ତ ମନ ଜିଣା ବାଲା ।
ତୁମ ଧାମ ପରା ଜଗତର ସ୍ୱର୍ଗ
ତୁମ ଧାମେ ମିଳେ ମୁକ୍ତି
ଦାରୁବ୍ରହ୍ମେ ସବୁ ରୂପର ଦର୍ଶନ
ମନୁ ତୁଟି ଯାଏ ଭ୍ରାନ୍ତି |
ଗଣପତି ଭଟ୍ଟ ମହାରାଷ୍ଟ୍ର ବାସୀ
ବ୍ରହ୍ମ ଦର୍ଶନେ ବିଭୋର
କ୍ଷୁଧା ତୃଷ୍ଣା କଷ୍ଟ ନମାନି ଯେ ଭକ୍ତ
ଆସନ୍ତି ଶିରୀକ୍ଷେତର |
ଶ୍ରୀଗଣେଶ ଭକ୍ତ ଭାବ ଭକତି ରେ
ଉଭା ନୀଳାଚଳ ଧାମ
ଦାରୁ ଦେବତାଙ୍କୁ ଦେଖି ସୂଚକ୍ଷୁରେ
ଲାଗେ ବିଧି ହେଲା ବାମ ।
ଜ୍ୟେଷ୍ଠ ପୂର୍ଣ୍ଣିମାର ଲଗନେ ମନ୍ଦିରେ
ପ୍ରଭୁ ମାନଙ୍କର ସ୍ନାନ
ଦେବସ୍ନାନ ବୋଲି ଖ୍ୟାତ ସିନା ଦିନ
ଭାଙ୍ଗିଲା ଭକତ ମନ ।
ଏକ ଶତ ଆଠ ଗରା ପାଣି ସ୍ନାନ
ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ
ଗଣପତି ଭଟ୍ଟ ଗଜାନନ ଖୋଜେ
ସନ୍ତାପିତ ହେଲା ମନ ।
ମନସ୍ତାପ ମଧ୍ୟେ ଆଶା ବାଡ଼ି ନେଇ
ପ୍ରଭୁ ବିଜେ ଭକ୍ତ ପାଖେ
ମାନବ ରୂପରେ ଅଭିମାନ ଭାଙ୍ଗି
ଭକ୍ତ କୁ ପାଖକୁ ଡାକେ ।
ସେବକ ରୂପରେ ପ୍ରଭୁଙ୍କ ଗମନ
ଭକତ ମାନଭଞନ
ବଡଦାଣ୍ଡୁ ଭକ୍ତ ଗଣପତି ଦେଖେ
ବ୍ରହ୍ମରୂପୀ ଗଜାନନ ।
ଭକ୍ତ ମନୋବାଞ୍ଛା ପୂରଣ କରିଲେ
ଦେଲେ ଯେ ଅମୃତ ବାର୍ତ୍ତା
ବ୍ରହ୍ମ ବିଦ୍ୟମାନ ସର୍ବତ୍ରରେ ପୁଣି
ଆମେ ସ୍ୱରୂପ ର କର୍ତ୍ତା ।
ମନୋଭାବନା ରୁ ସ୍ୱରୂପର ଜନ୍ମ
ବ୍ରହ୍ମମୟ ଏ ଜଗତ
ଭକତ ପାଇଁ କି ସ୍ନାନ ପୂର୍ଣ୍ଣିମାରେ
ଗଜାନନ ବେଶ କୃତ ।
ସେଦିନ ଭକ୍ତ ର ଲୁହେ ଭିଜିଥିଲା
ବଡ଼ଦାଣ୍ଡ ର ଅଗଣା
ଓଡିଆ ଦିଅଁ ମୋ ମରାଠୀ ଭାବରେ
ହୋଇଥିଲେ ଆନମନା ।
ଜ୍ୟେଷ୍ଠ ପୂର୍ଣ୍ଣିମାର ଗଜାନନ ବେଶ
ଆହା କି ସୁନ୍ଦର କାନ୍ତି
ବଡ଼ଦାଣ୍ଡେ ଭକ୍ତ ଦର୍ଶନ ମାତ୍ରକେ
ଲିଭିଯାଏ ସବୁ କ୍ଳାନ୍ତି |
କଳାହାତୀ ସଙ୍ଗେ ଧଳାହାତୀ ପୁଣି
କୁଆରୀ ସୁଭଦ୍ରା ରାଣୀ
ପାଖେ ସୁଦର୍ଶନ ଆହା କି ସୁନ୍ଦର
ଅପୂର୍ବ ତାଙ୍କର ଠାଣି |
ଗଜାନନ ବେଶ ଜୀବନ୍ମୁକ୍ତି ପଥ
ଦର୍ଶନେ ପାତକ ହରେ
ନୀଳାଚଳ ଧାମେ କାଳିଆ ସାଆନ୍ତ
ମାନବୀୟ ଲୀଳା କରେ |
ଗଜାନନ ବେଶ ଦର୍ଶନ ଉତ୍ତାରେ
ଜ୍ଵରେ ଅଣସର ଘରେ
ଭକ୍ତ ମନ ମୀନ ଚାତକ ପରାୟେ
ଚାହିଁବ ରଥ ଯାତ୍ରାରେ ।
ହେ ଭକ୍ତ ବତ୍ସଳ ପୂର୍ଣ୍ଣ ବ୍ରହ୍ମ ପ୍ରଭୁ
ଭକ୍ତ ଅପେକ୍ଷାରେ ସ୍ଥିତ
ମନ ଚେତନରେ ତୁମ ଭାବନେଇ
ଚାହିଁ ଅଛି ରଥଯାତ ।।
