ଅଧରପଣା
ଅଧରପଣା
ଶ୍ରୀଗୁଣ୍ଡିଚା ଶେଷ ଆଜିଏ ଦିବସ
ନୀଳାଦ୍ରି ବିଜୟ ପାଇଁ,
ସଜ ହୋଇଲେଣି ଚତୁର୍ଦ୍ଧା ମୂରତି
ଲୀଳା ଖେଳା ସାରି ଦେଇ;
ରତ୍ନସିଂହାସନ ଛାଡି,
ଗଲେ ସେ ଗୁଣ୍ଡିଚା ବାଡି;
ଏତେ ଦିନ ପରେ ବାହୁଡିବେ ପ୍ରଭୁ
ଆନନ୍ଦର ସୀମା ନାହିଁ ।।
ରଥେ ବସି ଯେବେ ବଡ ଦାଣ୍ଡେ ଗଲେ
ମୁନି ଋଷି ଦେବା ଦେବୀ,
ଅଶରିରୀ ଯେତେ ବୁଲୁଥିଲେ ଦାଣ୍ଡେ
ଆଶ୍ରା କଲେ ମନେ ଭାବି;
ମିଳିଛି ଏଇ ସୁଯୋଗ,
ଆଶ୍ରା କଲୁ ମହାଭାଗ;
ମୁକତି ଦେବହେ ଶ୍ରୀପତି ଆମକୁ
ଆଶା ଆକାଶର ରବି ।।
ସର୍ବମୟ ହରି ବୁଝନ୍ତି ସବୁରି
ମନ ଗହନର କଥା,
ତେଣୁତ ତାହାଙ୍କୁ କୁହନ୍ତି ଜଗତେ
ବୋଲି ଜଗତର ପିତା;
ତୁମେ ଇହ ପର ଲୋକ,
ତ୍ରିଭୁବନ ର ପାଳକ;
ତୁମେ ଲୀଳାମୟ ଅଭିନ୍ନ ଅଭୟ
ଦେଇ ପାର ଆହେ ଦାତା ।।
ସେ ସବୁ ଜୀବନ ହେବାକୁ ପାବନ
ଅଧର ପଣା ର ନୀତି,
କରିଛ ସାଆନ୍ତ ଅଧର ଚୁମ୍ଵିତ
କୁଡୁଆରେ ପଣା ରଖି;
କରି ଦେଇଣ ଆଘ୍ରାଣ,
କରିବାକୁ ପରିତ୍ରାଣ;
ଭାଙ୍ଗି ଦେବା ପାଇଁ ଆଦେଶ ଦେଲ ହେ
ଅଚଳ ଦାରୁ ମୁରତି ।।
ଅଧର ଛୁଆଁ ସେ ପଣା ପାଇ ଆହା
ସତେ କି ଆନନ୍ଦ ଭରେ,
ଛାଡି ଚାଲିଗଲେ ଯେତେ ଯିଏ ଥିଲେ
ଚଣ୍ଡୀ ଚାମୁଣ୍ଡା ରଥରେ;
ପାଇ ମହାର୍ଘ୍ୟ ପଦାର୍ଥ,
ଜନମ ହେଲା କୃତାର୍ଥ;
ଧନ୍ୟ ମହାବାହୁ ଧନ୍ୟ ତବ ଲୀଳା
ଲାଗିଛି ପୁରସ୍ତମରେ ।।
