ଜେଜେଙ୍କ ଚୌକି
ଜେଜେଙ୍କ ଚୌକି
ପରିବାର ଏକ ବିଶ୍ବାସର ଆଶ୍ରୟ ସ୍ଥଳ
ଜେଜେ ବିଶ୍ବାସର ଜୀବନ୍ତ ବୃକ୍ଷପରି
ସବୁ ବିଶ୍ବାସକୁ ଯିଏ ଆଦରିଥାଏ
ସମ୍ପର୍କର ଦଉଡିକୁ ଯାବୁଡି ଧରିଥାଏ
ସିଏ ମୋ ଜେଜେବାପା ।
ନୁଆଁଣିଆ ବୟସରେ ଜେଜେ
ଆଶା ବାଡ଼ି ଧରି କେବେ କେବେ
ଚାଲୁଥାନ୍ତି ଟିକିଏ ନଇଁ ନଇଁ
ଥକି ପଡ଼ିଲେ ଆସି ବସି ପଡ଼ନ୍ତି
ଘର ଅଗଣାରେ ପଡ଼ିଥିବା
କାଠ ଚୌକି ଉପରେ।
ଜେଜେ ଙ୍କ ଚୌକି ଏକ
ଆଦର୍ଶ ର ଅଲିଭା ଗାର
ଚୌକିରେ ବସି ଡାକନ୍ତି
ରେ ମାଧ ରେ ଯଦୁ
ଏମିତି ଅନେକ ନାଁ ଧରି
ଅନୁଭୁତି ଓ ଅନୁଶାସନ ର ରୁଜୁରେ
ବାନ୍ଧି ରଖିଥାନ୍ତି ସମସ୍ତଙ୍କୁ ।
ବୟସର ଅପରାହ୍ନରେ ଅବତୀର୍ଣ୍ଣ
ଜେଜେ ବାପା ଆଦେଶ ନିର୍ଦ୍ଦେଶରେ
ବାଣ୍ଟି ଚାଲନ୍ତି ଅନେକ ଅଭିଜ୍ଞତା
ତାଙ୍କ ଆଦେଶ ନିର୍ଦ୍ଦେଶରେ ଲୁଚି ଥାଏ
ଅନେକ ସଫଳତାର ରାସ୍ତା
ଯିଏ ଆଦେଶ ନିର୍ଦ୍ଦେଶ ମାନିଲା
ସିଏ ଜୀବନର ଭଲ ରାସ୍ତାଟିଏ
ପାଇ ଭଲ ମଣିଷଟିଏ ହୁଏ।
ଜେଜେଙ୍କ ଚୌକି ତ
ଲମ୍ବା ରାସ୍ତା ତିଆରି କରେ
ଆଦେଶ ନିର୍ଦ୍ଦେଶର ସଂକେତ
ଅନେକ ନିୟମ ଅନୁସାରେ
କାର୍ଯ୍ୟକ୍ରମ ସବୁ ହୋଇଥାଏ
ଗାଁ ମାଟିରେ ଜେଜେ ବାପାଙ୍କ
ଆଦେଶ ନିର୍ଦ୍ଦେଶର ମାନ୍ୟତା
ଭରପୁର ଥାଏ।
