ଜାତିସ୍ମର
ଜାତିସ୍ମର
ସଅଁବାଳୁଆର କୁତ୍ସିତ କଦାକାର କଳେବରକୁ
ଦେଖି ଏଇ ଦୁନିଆ କରେ ଦୂର୍ ଦୂର୍ ମାର୍ ମାର୍
ସିଏ ବି ତ ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟିର ଜୀବଟିଏ
ତା'ର ବି ରହିଛି ଏଠି ଜୀଇଁବାକୁ ସମ ଅଧିକାର।
ମହୀରେ ଏମିତି ଜନ୍ମ ନେବା କି ତା'ର ଅପରାଧ?
କାହିଁ ପାଇଁ ସିଏ ଘୃଣିତ ସଭିଙ୍କ ଘୃଣାର ପାତ୍ର?
କାୟା ନୁହେଁ ମନ ଚିହ୍ନିବାରେ ତ ସଭିଏଁ ଧୁରନ୍ଧର
ତେବେ କିଆଁ ସଅଁବାଳୁଆ ଲଭୁଥାଏ ସଦା ତିରସ୍କାର?
କେତେ ନିନ୍ଦା କେତେ ଅପବାଦ ଭାଗ୍ୟରେ ତାହାର
ହେଉଥାଏ ପ୍ରତ୍ୟାଖ୍ୟାତ ବାର ବାର ବାରମ୍ବାର
କେହି ବି ଚାହେଁନି ତାକୁ କେବେ ମଧୁ ସୋହାଗରେ
ବିଡ଼ମ୍ବିତ ଭାଗ୍ୟ ନେଇ ଜୀଉଁଥାଏ ଅସହ୍ୟ ଦୁଃଖରେ।
ସହିବାକୁ ପଡ଼େ ତାକୁ ନିଠୁର ନିଆଁ ହୁଳାର ଡହକ
ପିଇବାକୁ ପଡ଼େ ରାସାୟନିକ ବିଷାକ୍ତ ତରଳ ପଦାର୍ଥ
ତଥାପି ଦୃଢ଼ ମନା ଜୀଇଁ ରହିଥାଏ ସତୃଷ୍ଣ ଚିତ୍ତରେ
ତିତିକ୍ଷାରେ ତଲ୍ଲୀନ ହୋଇ ପରିବର୍ତ୍ତନର ପ୍ରତୀକ୍ଷାରେ।
କାଳର ଚକ୍ରରେ ପରିତ୍ୟାଗ କରି ଆପଣା ସ୍ୱରୂପ
ଯେବେ ସିଏ ପାଲଟିଯାଏ ଚିତ୍ରିତ ପ୍ରଜାପତି
ଓଃ କି ଆଦର ସଭିଙ୍କର କରିବାକୁ କୋଳାଗ୍ରତ
ଧରିବାକୁ ତାହାକୁ ସଭିଏଁ ଧାଆଁନ୍ତି ଦିନରାତି।
ଜାତିସ୍ମର ଜୀବଟି ସାଜି ପ୍ରଜାପତି ମନେ ଭାଳୁଥାଏ
ସ୍ୱାର୍ଥପର ଦୁନିଆର ରୀତିନୀତି ଲଭୁଥାଏ ଆତ୍ମତୃପ୍ତି
ଅବିବେକୀ ଜନଗଣର ଅବିମୃଶ୍ୟକାରିତାରେ
ଆପଣା ରଙ୍ଗ ରୂପର ମାୟାବୀ ଆକର୍ଷଣରେ।