Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

ଉତ୍କଳର ଗାଥା

ଉତ୍କଳର ଗାଥା

2 mins
270



ବିଶ୍ବେ ଭୂମଣ୍ଡଳେ ଭାରତ ସରସୀ

ଅପୂର୍ବ ଅନିନ୍ଦ୍ୟ ଯା'ର ଶୋଭାରାଶି||

ତହିଁ ଚଳଦଳ ପବିତ୍ର କମଳ

ପୂଣ୍ୟପବିତ୍ରା ଆମ ମାଆ ଉତ୍କଳ||

କଳା ସଂସ୍କୃତିରେ ଉତ୍କର୍ଷ ଉତ୍କଳ

ତା' ଟେକ ରଖିବାପାଇଁହେବା ମେଳ||

ଯାହାର ଠାକୁର ଶ୍ରୀ ବଡ ଠାକୁର

ଯାହାଙ୍କ ମନ୍ଦିର ଅଟେ ଶ୍ରୀ ମନ୍ଦିର||

ପୂଣ୍ୟ ଦେବାଳୟ ସେ ବଡ ଦେଉଳ

ବାରମାସ ଭକ୍ତ ଗହଳ ଚହଳ ||

ଦାଣ୍ଡଟି ଯାହାର ବଡଦାଣ୍ଡ ବୋଲି

 ଧୂଳିବାଲି ଅଟେ ଯେ ଶରଧାବାଲି||

ଆମ ଉତ୍କଳର ସେ ଭାଗ୍ୟ ବିଧାତା

ପ୍ରଭୁ ଜଗନ୍ନାଥ ଉତ୍କଳର ନେତା||

ପୂଣ୍ୟ ମହୋଦଧି ପାଦ ଧୋଇ ନିତି

ମୁକ୍ତକଣ୍ଠେ ଗାନ କରେ ଯଶୋଗୀତି||

ପୂଣ୍ୟ ପବିତ୍ର ତା ପ୍ରତି ଦେବାଳୟ

ରମ୍ୟ ପରିବେଶ ସଦା ଭକ୍ତିମୟ||

ତା'ର ମସଜିଦ ତା'ର ପ୍ରତି ଗୀର୍ଯା

ପୂଣ୍ୟ କ୍ଷେତ୍ର ଦିଏ ଧନାତ୍ମକ ଉର୍ଯ୍ୟା ||

ଆମ ଉତ୍କଳର ଘନ ଗିରି ବନ

ବୃଦ୍ଧିକରୁଅଛି ତାର ଶୋଭାବନ||

ଗିରି କାନନରୁ ବହି ନିର୍ଝରିଣୀ

ପକ୍ଷୀ କଳରବେ କୁଳୁକୁଳୁ ଧ୍ବନି,

ଶୁଣାଏ ଉତ୍କଳ ଉତ୍କର୍ଷ କାହାଣୀ

ଅତୀତ ଉତ୍କଳ ବୀରତ୍ବ କାହାଣୀ||

ପୂଣ୍ୟ ତୋୟ ଧରି ତା'ର ସ୍ରୋତସ୍ବିନୀ

କାମଧେନୁ ସମ ହସାଏ ଧରଣୀ||

ଚିଲିକା ତାହାର ଶୋଭାର ଭଣ୍ଡାର

ନନାଜାତି ପକ୍ଷୀ ଗା'ନ୍ତି ଯଶ ତା'ର||

 ବିଶ୍ବେ ଅଦ୍ବିତୀୟ କୋଣାରକ ତା'ର

ଉତ୍କଳର କଳା ଭାସ୍କର୍ଯ୍ୟ ସମ୍ଭାର||

ଧଉଳିଗିରିର ଶାନ୍ତି ସ୍ତୂପ ଯା'ର

ଗାଏ ବୀରଗାଥା ଓଡିଆ ଜାତିର||

ଅସ୍ତ୍ର ଦ୍ବାରା ଜୟ ଜୟ ନୁହେଁ କେବେ

କଳିଙ୍ଗ ଯୁଦ୍ଧର ମହା ଶିକ୍ଷା ଲାଭେ,

ଚଣ୍ଡାଶୋକ ଜାଣ ଧର୍ମାଶୋକ ହେଲେ

ସାରା ବିଶ୍ବେ ଶାନ୍ତି ବାର୍ତ୍ତା ପ୍ରଚାରିଲେ||

ଉତ୍କଳେ ପୂଜିତା ମାତା ସମଲେଇ

ସମ୍ବଲପୁରରେ ଅଧିଷ୍ଠିତା ହୋଇ||

ପାଟଣା ଗଡରେ ମା' ପାଟଣେଶ୍ବରୀ

ମୟୂରଭଂଜରେ ମା' କୀଚକେଶ୍ବରୀ||

ବାଙ୍କୀର ଚର୍ଚ୍ଚିକା ଘଟଗାଁ ତାରିଣୀ

କଟକର ଚଣ୍ଡୀ ମାତା ଠାକୁରାଣୀ||

ଝଙ୍କଡ ଗ୍ରାମରେ ଜନନୀ ସାରଳା 

କାକଟପୁରରେ ଜନନୀ ମଙ୍ଗଳା||

ଜାଜପୁର ଅଧିଷ୍ଠାତ୍ରୀ ମା' ବିରଜା

ବାଣପୁରେ ଭଗବତୀ ପା'ନ୍ତି ପୂଜା||

ପୂଣ୍ୟ ପବିତ୍ରା ମା' ଉତ୍କଳ ଜନନୀ

ସାରା ବିଶ୍ବେ ଶ୍ରେଷ୍ଠା ତ୍ରିଭୁବନରାଣୀ||

ସତେକି ଏସବୁ ସ୍ଥାନରେ ପୂଜିତା

ଭିନ୍ନ ଭିନ୍ନ ରୂପେ ମା' ଉତ୍କଳମାତା||

ପଠାଣୀ ସାମନ୍ତ ଅବା ପ୍ରାଣକୃଷ୍ଣ

ଜ୍ଞାନ ଵିଜ୍ଞାନରେ ଉତ୍କଳର ରତ୍ନ||

ଗୋପବନ୍ଧୁ ଥିଲେ ଉତ୍କଳରମଣି

ଉତ୍କଳ ଗୌରବ ମଧୁବାବୁ ପୁଣି ||

ବିଜୁବାବୁ ଏହି ମାଟିର ସନ୍ତାନ

ସାରା ବିଶ୍ବ ତାଙ୍କ କରେ ଯଶଗାନ||

ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ

ପ୍ରତିଷ୍ଠିତ କଲେ ଉତ୍କଳର ମାନ||

ଗଙ୍ଗାରୁ ଆରମ୍ଭି ଗୋଦାବରୀ ଯାଏ

ଅତୀତ ଉତ୍କଳ ବୀରଗାଥା ଗାଏ ||

ଓଡିଆ ସାଧବ ବୋଇତ ଧରିଣ

ଉତ୍ତାଳ ସାଗର ତରଙ୍ଗ ଲଙ୍ଘିଣ,

ଜାଭା ସୁମାତ୍ରା ଓ ବୋର୍ଣ୍ଣିଓକୁ ଯାଇ

ଆଣୁଥିଲେ ନାନା ଧନରତ୍ନ ବୋହି||

ଉତ୍କଳର ଅତୀତର ଇତିହାସ

ପଢି ଆଚମ୍ବିତ ହୁଏ ସାରା ବିଶ୍ବ||

ଉତ୍କଳ ଜନନୀ ଧରିଛି ଗରଭେ

ଅତି ମୂଲ୍ୟବାନ ଖଣିଜ ଦରବେ||

ସମୃଦ୍ଧ କରୁଛି ଦେଶ ଅର୍ଥନୀତି

ତଥାପି ଉତ୍କଳେ ଆର୍ଥିକ ଦୁର୍ଗତି||

ସ୍ବାର୍ଥପରତାର ହସ୍ତେ ହୋଇ ବନ୍ଦୀ

ଦୁର୍ନୀତି ହସ୍ତରେ ହୋଇଅଛ ଛନ୍ଦି||

ଅତୀତ ବିରତ୍ବ ଯାଇଅଛ ଭୁଲି

ଉତ୍କଳର ନାମେ କଳଙ୍କର କାଳି||

ଦୁର୍ମତି ଉତ୍କଳ ସମ୍ପଦକୁ ହରେ

ଶୋଇଛ କି ତୁମେ ନିଘୋଡ ନିଦରେ?

ଉଠରେ ଓଡିଆ ନିଦଭାଙ୍ଗି ଥରେ

ଉତ୍କଳର ସ୍ବାର୍ଥପାଇଁ ଲଢ ଥରେ||

ସ୍ବାର୍ଥ ତେଜି ରୁଣ୍ଡ ହୁଅ ତୁମେ ଥରେ

କମ୍ପାଅ ମେଦିନୀ ପ୍ରତିବାଦ ସ୍ବରେ||

ଜାତୀୟ ସମ୍ପତ୍ତି ନକରି ଲୁଣ୍ଠନ

ସର୍ବେ ମିଶି ତୁମେ କର ସଂରକ୍ଷଣ||

ଯେତେକ ଯୋଜନା ହୁଏ ପ୍ରଣୟନ

କରହେ ତା'ର ସଫଳ ରୂପାୟନ||

ତୁମ ପୂର୍ବ ପୁରୁଷଙ୍କର ପ୍ରଭାବେ

ଚଣ୍ଡାଶୋକ ଯଦି ଧର୍ମାଶୋକ ଭାବେ,

କାହିଁକି ଦେଖୁଛ ଦୁର୍ନୀତି ଏ ଭାବେ

ଦୁର୍ନୀତି ବିରୁଦ୍ଧେ ଲଢୁନାହଁ ଲବେ??

ଲଢିବାକୁ ତୁମେ ହୁଅରେ ପ୍ରସ୍ତୁତ

ଦୁର୍ନୀତି ପରାସ୍ତ ହୋଇବ ନିଶ୍ଚିତ||

ପଛଘୂଞ୍ଚା ନାହି ଓଡିଆ ଜାତକେ

ଡରେନାହିଁ କେବେ କାହାରି ଆତଙ୍କେ ||

ଏହି ଉତ୍କଳର ସମଗ୍ର ବିକାଶ

ଘଟାଇ ତେଜିବା ଅନ୍ତିମ ନିଃଶ୍ବାସ||

ବିକାଶପଥରେ ଯେତେ ଅଛି ଗାଢ

ପୂରୁ ପଡି ଆମ ସର୍ବ ମାଂସ ହାଡ||

ଦୁର୍ନୀତି ରାକ୍ଷସ ଯେଉଁଠି ଦେଖିବା

ମାରିଣ ବଙ୍ଗୋପ ସାଗରେ ଫିଙ୍ଗିବା||

ବିକାଶର ନନ୍ଦିଘୋଷ ରଥ ଆମ

କରିବା ଦ୍ରୁତରୁ ନେଇ ଦ୍ରୁତତମ||

ଆସରେ ସକଳ ଉତ୍କଳ ସନ୍ତାନ

କରିବା ଉତ୍କଳ ମାତା ଯଶଗାନ||

ଓଡିଶୀ ଶାସ୍ତୀୟ ସଙ୍ଗୀତର ତାନ

କରୁ ମୁଖରିତ ସାରା ତ୍ରିଭୁବନ||

ଓଡିଶୀ ନୃତ୍ୟର ତାଳେ ମତୁଆଲା

ହୋଇ ନାଚୁ ବିଶ୍ବେ ପ୍ରତି ନର ବାଳା||


Rate this content
Log in

Similar oriya poem from Inspirational