ବୁଢୀମା
ବୁଢୀମା
ହୋଇଥିଲି ଖୁବ୍ ଛୋଟ ...
ଖାଲି ଏତିକି ମନେ ପଡୁଛି ,
ହାଫ୍ ପ୍ୟାଣ୍ଟର ବୋତାମ ଦବାଟା ବି
ଲାଗୁଥିଲା ଗୋଟେ କାରସାଦି କାମ ,
ବୁଢୀମାଆ କାଙ୍କରେ ବାଡି ପଛ
ଚାରି ହାତ ମାଟିକୁ ଆଡେଇ ଦେଇ
ଫିଙ୍ଗି ଦେଇଥିଲା ମୁଠେ ଶାଗ ମଞ୍ଜି ।
ଖାଲି ଏତିକି ମନେ ପଡୁଛି ,
ମାଟି ବତର ନ ଶୁଖୁଣୁ ବୁଢୀମା
ନସର ପସର ହୋଇ ଢାଳିଦିଏ
ଦୁଇ ଢାଳ ପାଣି ଚାରି ହାତ ମାଟି ଉପରେ ,
ଆଉ , ଦିନ କେଇଟାରେ ...
ଚୁଇଁ ଚୁଇଁ ପତ୍ର କି ଗଛ କେଜାଣି !
ମନଲୋଭା କଅଁଳ ରଂଗକୁ ସାଉଁଟି ,
ଚାରି ହାତ ମାଟିକୁ ଧରିଥିଲେ ଜାବୁଡ଼ି।
ଶାଗ ଖାଇବା ଘାସ ଖାଇଦେବେ କହି
ଆଙ୍ଗୁଠି ଟିପରେ ଘାସ ଓପାଡି ଦେଉଥିଲା ,
ଛନ ଛନ ଶାଗ ପତ୍ର ବଢିବାର ଦେଖି
ବୁଢୀମାଆ ଟିକିଏ ବଡିମା ବି ମାରୁଥିଲା ।
ଧୁ ... ଧୁ ... ଖରା ବେଳେ ବି
ବାଡି ପଛ ଢ଼ିଙ୍କି ଶାଳରେ ମୁହଁ ଘୋଡାଇ
ବୁଢୀମା ବାରବୁଲା କୁକୁଡ଼ାଙ୍କୁ ଜଗି ବସୁଥିଲା।
ଖାଲି ଏତିକି ମନେ ପଡୁଛି ,
ମୁହଁ ସଞ୍ଜ ବେଳେ ବୁଢୀମାଆ
ମୁଣ୍ଡଟାକୁ କାନ୍ଥରେ ଆଉଜି ବସିଥିଲା ,
ସରୁ ଓଢଣୀର ମାପଚୁପ ପଣତରେ
ନାକ ଆଉ ଆଖି ତଳ ପୋଛି ଆଣୁଥିଲା
ହଁ ... ପ୍ରାୟ , ସେ କାନ୍ଦୁଥିଲା ।
କଷରା , କାଳିଆ ଦାମୁରି ଦୁଇଟା
ବିଡେ ନଡ଼ା ପାଇଁ ମାଡଗୋଳରେ ...
ଚାରି ହାତ ଶାଗ ଟୋକଳି ଠେଲା ଠେଲିରେ
ପ୍ରାୟତଃ ... ନିଶ୍ଚିହ୍ନ ହୋଇଗଲା ।
ବାପା କଷରା , କାଳିଆ ଦୁଇଟାଙ୍କୁ
ଗୁହାଳରେ ପଘା ଦେଇ ବାନ୍ଧିଦେଲେ ,
ବୁଢୀମା ର ଲୁହ କି ଆଉ କ'ଣ କେଜାଣି
ଗୋରୁଙ୍କୁ ପିଟି ଚାଲିଲେ , ହଗା ନଗା ...
ବୁଢୀମା ଦୈାଡି ଆସି ପାଞ୍ଚଣଟା ଛଡାଇଲା
ବାପାଙ୍କୁ ତାଗିଦ୍ କରି କହିଲା -
ଶାଗ ଟୋକୋଳିଟିଏ ଉଜୁଡିଲା ... ଉଜୁଡିଲା ...
ଚାଷ ଉଜାଡିବୁ ନା କ'ଣ ?
ସତ କଥା ଲୋ ବୁଢୀମାଆ...
ତୁ ହିଁ ଠିକ୍ ବୁଝିଥିଲୁ ଉଜୁଡିଯିବାଟା କ'ଣ ?
କାଲି କାହିଁ କେବେଠୁ ସରିଯାଇ
ଆଜି ହେଇ ପୁଣି ଆଜି ବି ସରିବାକୁ ବସିଲାଣି ।
ଆଜି ଅନ୍ଧାରୁଆ ଆକାଶକୁ
ଥୋଡ଼ି ଟେକି ଅନାଇବା ପରେ ,
ମନରେ ଅନାୟାସରେ ଚାଲିଆସେ
ତୋରି କଇଁ ଫୁଲିଆ ମୁହଁଟା ,
ଖୋଜୁଥାଏ ମିଞ୍ଜି ମିଞ୍ଜି ତାରା ମେଳରେ ...
ସବୁଠୁ ବେଶି ଜଳକା ତାରାଟାକୁ
ଅତି ଅଳ୍ପ ସମୟର ଭାବନା ପରେ
ମାନିଯାଏ ସେଇଟା ନିଶ୍ଚେ ତୁ ...।
ହୋଇପାରେ ... ତୋ ଗେଲବସରତାର
ଅନ୍ତର ଭରା ପ୍ରତିଦାନ ।