ଉତ୍କଳ ଗାଥା
ଉତ୍କଳ ଗାଥା
ବିଶ୍ବେ ଭୂମଣ୍ଡଳେ ଭାରତ ସରସୀ
ଅପୂର୍ବ ଅନିନ୍ଦ୍ୟ ଯା'ର ଶୋଭାରାଶି
ତହିଁ ଚଳଦଳ ପବିତ୍ର କମଳ
ପୂଣ୍ୟପବିତ୍ରା ଆମ ମାଆ ଉତ୍କଳ
କଳା ସଂସ୍କୃତିରେ ଉତ୍କର୍ଷ ଉତ୍କଳ
ତା' ଟେକ ରଖିବାପାଇଁହେବା ମେଳ
ଯାହାର ଠାକୁର ଶ୍ରୀ ବଡ ଠାକୁର
ଯାହାଙ୍କ ମନ୍ଦିର ଅଟେ ଶ୍ରୀ ମନ୍ଦିର
ପୂଣ୍ୟ ଦେବାଳୟ ସେ ବଡ ଦେଉଳ
ବାରମାସ ଭକ୍ତ ଗହଳ ଚହଳ
ଦାଣ୍ଡଟି ଯାହାର ବଡଦାଣ୍ଡ ବୋଲି
ଧୂଳିବାଲି ଅଟେ ଯେ ଶରଧାବାଲି
ଆମ ଉତ୍କଳର ସେ ଭାଗ୍ୟ ବିଧାତା
ପ୍ରଭୁ ଜଗନ୍ନାଥ ଉତ୍କଳର ନେତା
ପୂଣ୍ୟ ମହୋଦଧି ପାଦ ଧୋଇ ନିତି
ମୁକ୍ତକଣ୍ଠେ ଗାନ କରେ ଯଶୋଗୀତି
ପୂଣ୍ୟ ପବିତ୍ର ତା ପ୍ରତି ଦେବାଳୟ
ରମ୍ୟ ପରିବେଶ ସଦା ଭକ୍ତିମୟ
ତା'ର ମସଜିଦ ତା'ର ପ୍ରତି ଗୀର୍ଯା
ପୂଣ୍ୟ କ୍ଷେତ୍ର ଦିଏ ଧନାତ୍ମକ ଉର୍ଯ୍ୟା
ଆମ ଉତ୍କଳର ଘନ ଗିରି ବନ
ବୃଦ୍ଧିକରୁଅଛି ତାର ଶୋଭାବନ
ଗିରି କାନନରୁ ବହି ନିର୍ଝରିଣୀ
ପକ୍ଷୀ କଳରବେ କୁଳୁକୁଳୁ ଧ୍ବନି,
ଶୁଣାଏ ଉତ୍କଳ ଉତ୍କର୍ଷ କାହାଣୀ
ଅତୀତ ଉତ୍କଳ ବୀରତ୍ବ କାହାଣୀ
ପୂଣ୍ୟ ତୋୟ ଧରି ତା'ର ସ୍ରୋତସ୍ବିନୀ
କାମଧେନୁ ସମ ହସାଏ ଧରଣୀ
ଚିଲିକା ତାହାର ଶୋଭାର ଭଣ୍ଡାର
ନନାଜାତି ପକ୍ଷୀ ଗା'ନ୍ତି ଯଶ ତା'ର
ବିଶ୍ବେ ଅଦ୍ବିତୀୟ କୋଣାରକ ତା'ର
ଉତ୍କଳର କଳା ଭାସ୍କର୍ଯ୍ୟ ସମ୍ଭାର
ଧଉଳିଗିରିର ଶାନ୍ତି ସ୍ତୂପ ଯା'ର
ଗାଏ ବୀରଗାଥା ଓଡିଆ ଜାତିର
ଅସ୍ତ୍ର ଦ୍ବାରା ଜୟ ଜୟ ନୁହେଁ କେବେ
କଳିଙ୍ଗ ଯୁଦ୍ଧର ମହା ଶିକ୍ଷା ଲାଭେ,
ଚଣ୍ଡାଶୋକ ଜାଣ ଧର୍ମାଶୋକ ହେଲେ
ସାରା ବିଶ୍ବେ ଶାନ୍ତି ବାର୍ତ୍ତା ପ୍ରଚାରିଲେ
ଉତ୍କଳେ ପୂଜିତା ମାତା ସୋମଲେଇ
ସମ୍ବଲପୁରରେ ଅଧିଷ୍ଠିତା ହୋଇ
ପାଟଣା ଗଡରେ ମା' ପାଟଣେଶ୍ବରୀ
ମୟୂରଭଂଜରେ ମା' କୀଚକେଶ୍ବରୀ
ବାଙ୍କୀର ଚର୍ଚ୍ଚିକା ଘଟଗାଁ ତାରିଣୀ
କଟକର ଚଣ୍ଡୀ ମାତା ଠାକୁରାଣୀ
ଝଙ୍କଡ ଗ୍ରାମରେ ଜନନୀ ସାରଳା
କାକଟପୁରରେ ଜନନୀ ମଙ୍ଗଳା
ଜାଜପୁର ଅଧିଷ୍ଠାତ୍ରୀ ମା' ବିରଜା
ବାଣପୁରେ ଭଗବତୀ ପା'ନ୍ତି ପୂଜା
ପୂଣ୍ୟ ପବିତ୍ରା ମା' ଉତ୍କଳ ଜନନୀ
ସାରା ବିଶ୍ବେ ଶ୍ରେଷ୍ଠା ତ୍ରିଭୁବନରାଣୀ
ସତେକି ଏସବୁ ସ୍ଥାନରେ ପୂଜିତା
ଭିନ୍ନ ଭିନ୍ନ ରୂପେ ମା' ଉତ୍କଳମାତା
ପଠାଣୀ ସାମନ୍ତ ଅବା ପ୍ରାଣକୃଷ୍ଣ
ଜ୍ଞାନ ଵିଜ୍ଞାନରେ ଉତ୍କଳର ରତ୍ନ
ଗୋପବନ୍ଧୁ ଥିଲେ ଉତ୍କଳରମଣି
ଉତ୍କଳ ଗୌରବ ମଧୁବାବୁ ପୁଣି
ବିଜୁବାବୁ ଏହି ମାଟିର ସନ୍ତାନ
ସାରା ବିଶ୍ବ ତାଙ୍କ କରେ ଯଶଗାନ
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ
ପ୍ରତିଷ୍ଠିତ କଲେ ଉତ୍କଳର ମାନ
ଗଙ୍ଗାରୁ ଆରମ୍ଭି ଗୋଦାବରୀ ଯାଏ
ଅତୀତ ଉତ୍କଳ ବୀରଗାଥା ଗାଏ
ଓଡିଆ ସାଧବ ବୋଇତ ଧରିଣ
ଉତ୍ତାଳ ସାଗର ତରଙ୍ଗ ଲଙ୍ଘିଣ,
ଜାଭା ସୁମାତ୍ରା ଓ ବୋର୍ଣ୍ଣିଓକୁ ଯାଇ
ଆଣୁଥିଲେ ନାନା ଧନରତ୍ନ ବୋହି
ଉତ୍କଳର ଅତୀତର ଇତିହାସ
ପଢି ଆଚମ୍ବିତ ହୁଏ ସାରା ବିଶ୍ବ
ଉତ୍କଳ ଜନନୀ ଧରିଛି ଗରଭେ
ଅତି ମୂଲ୍ୟବାନ ଖଣିଜ ଦରବେ
ସମୃଦ୍ଧ କରୁଛି ଦେଶ ଅର୍ଥନୀତି
ତଥାପି ଉତ୍କଳେ ଆର୍ଥିକ ଦୁର୍ଗତି
ସ୍ବାର୍ଥପରତାର ହସ୍ତେ ହୋଇ ବନ୍ଦୀ
ଦୁର୍ନୀତି ହସ୍ତରେ ହୋଇଅଛ ଛନ୍ଦି
ଅତୀତ ବିରତ୍ବ ଯାଇଅଛ ଭୁଲି
ଉତ୍କଳର ନାମେ କଳଙ୍କର କାଳି
ଦୁର୍ମତି ଉତ୍କଳ ସମ୍ପଦକୁ ହରେ
ଶୋଇଛ କି ତୁମେ ନିଘୋଡ ନିଦରେ
ଉଠରେ ଓଡିଆ ନିଦଭାଙ୍ଗି ଥରେ
ଉତ୍କଳର ସ୍ବାର୍ଥପାଇଁ ଲଢ ଥରେ
ସ୍ବାର୍ଥ ତେଜି ରୁଣ୍ଡ ହୁଅ ତୁମେ ଥରେ
କମ୍ପାଅ ମେଦିନୀ ପ୍ରତିବାଦ ସ୍ବରେ
ଜାତୀୟ ସମ୍ପତ୍ତି ନକରି ଲୁଣ୍ଠନ
ସର୍ବେ ମିଶି ତୁମେ କର ସଂରକ୍ଷଣ
ଯେତେକ ଯୋଜନା ହୁଏ ପ୍ରଣୟନ
କରହେ ତା'ର ସଫଳ ରୂପାୟନ
ତୁମ ପୂର୍ବ ପୁରୁଷଙ୍କର ପ୍ରଭାବେ
ଚଣ୍ଡାଶୋକ ଯଦି ଧର୍ମାଶୋକ ଭାବେ
କାହିଁକି ଦେଖୁଛ ଦୁର୍ନୀତି ଏ ଭାବେ
ଦୁର୍ନୀତି ବିରୁଦ୍ଧେ ଲଢୁନାହଁ ଲବେ
ଲଢିବାକୁ ତୁମେ ହୁଅରେ ପ୍ରସ୍ତୁତ
ଦୁର୍ନୀତି ପରାସ୍ତ ହୋଇବ ନିଶ୍ଚିତ
ପଛଘୂଞ୍ଚା ନାହିଁ ଓଡିଆ ଜାତକେ
ଡରେନାହିଁ କେବେ କାହାରି ଆତଙ୍କେ
ଏହି ଉତ୍କଳର ସମଗ୍ର ବିକାଶ
ଘଟାଇ ତେଜିବା ଅନ୍ତିମ ନିଃଶ୍ବାସ
ବିକାଶପଥରେ ଯେତେ ଅଛି ଗାଢ
ପୂରୁ ପଡି ଆମ ସର୍ବ ମାଂସ ହାଡ
ଦୁର୍ନୀତି ରାକ୍ଷସ ଯେଉଁଠି ଦେଖିବା
ମାରିଣ ବଙ୍ଗୋପ ସାଗରେ ଫିଙ୍ଗିବା
ବିକାଶର ନନ୍ଦିଘୋଷ ରଥ ଆମ
କରିବା ଦ୍ରୁତରୁ ନେଇ ଦ୍ରୁତତମ
ଆସରେ ସକଳ ଉତ୍କଳ ସନ୍ତାନ
କରିବା ଉତ୍କଳ ମାତା ଯଶଗାନ
ଓଡିଶୀ ଶାସ୍ତୀୟ ସଙ୍ଗୀତର ତାନ
କରୁ ମୁଖରିତ ସାରା ତ୍ରିଭୁବନ
ଓଡିଶୀ ନୃତ୍ୟର ତାଳେ ମତୁଆଲା
ହୋଇ ନାଚୁ ବିଶ୍ବେ ପ୍ରତି ନର ବାଳା
ଉତ୍କଳର ଚାରୁକଳା କାରୁକଳା
ଦେଖି ଆଚମ୍ବିତ ବିଶ୍ବ ନରବାଳା
ଉତ୍କଳର ତନ୍ତବୁଣା ଖଦୀ ପାଟ
ସାରାବିଶ୍ବେ ରଚୁ ସେ ହଟ ଚମଟ
ଉତ୍କଳକୁ କର ଉତ୍ପାଦନ କ୍ଷେତ୍ର
ଶିଳ୍ପ କ୍ଷେତ୍ରେ ହେଉ ଉଜ୍ଜ୍ବଳ ନକ୍ଷତ୍ର
ଜାଗିଉଠ ସର୍ବେ ଉତ୍କଳ ସନ୍ତାନ
ଏହାର ବିକାଶ ଲାଗି କରପଣ
ସ୍ବାର୍ଥ ମେଧ ଯଜ୍ଞ କରିବା ଆସରେ
ନିଜର ସ୍ବାର୍ଥକୁ ଆହୂତି ଦେବାରେ
ଓଡିଆର ସ୍ବାର୍ଥ ଓଡିଆ ଅସ୍ମିତା
ସର୍ବେ ଆସ ଦେବାରେ ପ୍ରାଥମିକତା
ଜାତୀୟ ବିକାଶ ବିଶ୍ବ ଜନପ୍ରୀତି
ସବୁ ଓଡିଆଙ୍କ ହେଉ ଏହି ନୀତି
ଧଉଳି ଗିରିର ଶାନ୍ତି ସ୍ତୂପ କହେ
ବିଶ୍ବେ ହିଂସା ଲୋପେ ଶାନ୍ତିବାର୍ତ୍ତା ଦିଏ
ଉତ୍କଳ ମାତାର କରି ଜୟଗାନ
ରଖିବା ଆସରେ ଉତ୍କଳରମାନ