ଜାଗ ହେ ନାଉରି ସାଜି
ଜାଗ ହେ ନାଉରି ସାଜି


ଆହେ ଆର୍ଯ୍ୟପୁତ୍ର,କାହିଁକି ଭାବୁଛ
ଶିଶୁ ତୁମେ,କ୍ଷୁଦ୍ରଦ୍ରୁମ !
କିପାଇଁ ମନରେ ଏତେ ଦୁର୍ବଳତା
ଥାଇ ଏତେ ପରାକ୍ରମ ??
କ୍ଷୁଦ୍ର ଅତି କ୍ଷୁଦ୍ର ବୀଜର ଭ୍ରୁଣରୁ
ମହାଦ୍ରୁମର ଉତ୍ପତ୍ତି ।
ଜଳକଣା,ଜଳ ବିନ୍ଦୁରେ ବିନ୍ଦୁରେ
ମହୋଦଧିର ସଂସ୍ଥିତି ।।
ଶିଶୁ ତୁମେ ନୁହଁ, ଅନାବିଳ ଅର୍ଘ୍ୟ
ଈଶ୍ୱରଙ୍କ ଅନ୍ତରଙ୍ଗ ।
ହସରେ ତୁମରି ବିଶ୍ୱ ପରିକ୍ରମା
କାନ୍ତିରେ ସାନ୍ଧ୍ୟ ବିହଙ୍ଗ ।।
ମହା ଅସତ୍ୟରେ ଧ୍ରୁବସତ୍ୟ ତୁମେ
କ୍ଷୁଦ୍ର ରୂପେ ମହାଦ୍ରୁମ ।
ପ୍ରଳୟ ପାପରେ ନିଷ୍ପାପ ନିର୍ଲିପ୍ତ
ନିର୍ବଳ ନୁହଁ, ବିକ୍ରମ ।।
ତୁମରି ହୃଦୟେ ହୃଦୟ ମିଶିଛି
ଅଖଣ୍ଡ ଈଶ୍ୱରଙ୍କର ।
ନାହିଁ ଛଳ ନାହିଁ କପଟ,କଳଙ୍କ
ଅମ୍ଳାନ ତୁମରି ସ୍ୱର ।।
ବିଶ୍ୱ ପରିକ୍ରମା ଯଶୋଦା ଦେଖିଲେ
ସେଦିନ ତୁମ କଣ୍ଠରେ ।
ଚକ୍ଷୁରେ ତୁମରି ତେଜୀଆନ୍ ଶିଖା
ବିଶାଳ ବିଶ୍ୱ,ବକ୍ଷ
ରେ !!
ଧ୍ରୁବ ପ୍ରହଲ୍ଲାଦ ଅମ୍ଳାନ ଆହ୍ଲାଦ
ଶକ୍ତିରେ ଶକ୍ତିରେ ଶକ୍ତ ।
କେତେକେତେ ଭୀରୁ କେତେ ମହାମେରୁ
ତାଙ୍କରି ହସ୍ତେ ନିହତ ।।
କ୍ଷୁଦ୍ର ନୁହଁ ତୁମେ ରୁଦ୍ର ନୁହଁ ତୁମେ
ବୃହତ୍ତ୍,ସୁରମ୍ୟ,ସୁଶାନ୍ତ !
ସ୍ନିଗ୍ଧ ସାନ୍ନିଧ୍ୟର ସିଦ୍ଧ ସିଦ୍ଧେଶ୍ୱର
ଦିବ୍ୟ ଦର୍ଶନେ ସମ୍ଭ୍ରାନ୍ତ ।।
ତୁମରି ପଦର ଅମୃତ ପରଶେ
ଶୁଷ୍କ ହୁଏ ଦୁର୍ବାଦଳ ।
ମହା ସଂଗ୍ରାମର ସାର୍ଥକ ସାରଥୀ
ଭବିଷ୍ୟତର ସମ୍ବଳ ।।
ତୁମଠି ଦିଶୁଛି,ଦେଖି ମୁଁ ପାରୁଛି
କର୍ମଠ କୃତିରେ ପ୍ରଜ୍ଞା ।
ଅନନ୍ତ ତୁମରି ଲକ୍ଷ ଓ ସାଧନା
ହେଉ ଜୀବନର ସଂଜ୍ଞା ।।
ହେ ପୁଣ୍ୟ ଉଦ୍ଭବ ସଭିଙ୍କ ସଦ୍ଭାବ
ନିତ୍ୟ ସତ୍ୟ ସୁସନ୍ତାନ ।
ତୁମ ରଙ୍ଗ ନେଇ ତୁମକୁ ହସେଇ
ବଢିବ ଜାତିର ମାନ ।।
ଜାତି କର୍ମବୀର ହୁଅ ଧୂଆଁଧାର
ସୈନିକ,ଶତ୍ରୁକୁ ହେଜି ।
ଦେଶ ନିରେଖିଛି ତୁମରି ନାଆକୁ
ଜାଗ ହେ ନାଉରି ସାଜି ।।