ଇଉଟୋପିଆ
ଇଉଟୋପିଆ
ସୁଖର ସନ୍ଧାନେ ବ୍ରତ କରି
ବନ୍ଧୁର ଦୁର୍ଗମ ପଥ ଚିରି
ଝୁଣ୍ଟିଲି ଅସଂଖ୍ୟ ଅନ୍ଧାର ଗିରି
କଚାଡ଼ି ପଡିଲି ଥରକୁ ଥର ଧରି ଥରି
ଖଣ୍ଡିଆ ଖାବରା ହେଲି ରକ୍ତ ପିଚକାରୀ
ଧୂଳି ଧୂସରିତ ଧରଣୀ କୋଳେ
କୁଚ୍ଛେଇଲି ଭୂଉଁ ଆବୋରୀ
ପୁଣି ଆରମ୍ଭିଲି ଅସମ୍ଭବ ଅଭିଯାନ
ଦୁଇ ଗୁଣା ସାହସ ସଂଚାରି ।
ଖୁସିର ଠିକଣା ପଚାରି ପଚାରି
ଗ୍ରାମ ସହର ନଗର
ମଠ ମନ୍ଦିର ଗୀର୍ଜାଘର
ଘର ଅଗଣା ବାରିଘର
କାନନ କେଦାର ସ୍ଵର୍ଗଦ୍ଵାର
ପାରୁ ପର୍ଯ୍ୟନ୍ତ ଶକ୍ତି ସଂଚୟ କରି
କ୍ଳାନ୍ତ ନଯାନ୍ତ ଶ୍ଵେଦସାରି
ପୁଣି ଆସନ୍ତାକାଲିର ସମ୍ଭାବନା ହାତ ଠାରେ
ନୂଆ ଠିକଣା ମିଳିଛି ବାରେ
ଚାରି ଗୁଣ ଉତ୍ସାହ ଉଦ୍ଦିପନାରେ
ମାଡିଚାଲେ ଆଖି ଇଶାରାରେ ।
ଶାନ୍ତିର ଉତ୍ସକୁ ଉତାରି ଉଖାରି
ତନ୍ନ ତନ୍ନ କରି
ଖିନ୍ ଭିନ୍ କରି
କଣ କଣ ରେ ପରୀକ୍ଷା ନିରୀକ୍ଷା କରି
ଅଣୁ ପରମାଣୁରେ ବିଭାଜନ କରି
ମାନସାଙ୍କ ଗାଣିତିକ ମନୋବୈଜ୍ଞାନିକ
ତର୍କ ତର୍ଜମା କରି
ବିରାମ ବିଶ୍ରାମ ପରିତ୍ୟାଗ କରି
ପୁଣି ଝାଡି ଝୁଡ଼ି ଦୃଷ୍ଟିକୋଣ ପ୍ରସାରୀ ।
ମାତ୍ର କାହିଁ ?
ହାତ ପାଆନ୍ତାରେ କିଛି ବି ନାହିଁ !
କ'ଣ ବା କହିବି
ସୁଖ--ଖୁସି-ଶାନ୍ତି କୁ ଛାଡ଼
ସେମାନଙ୍କର ସାନ ଭଉଣୀ ମାନେ
ହସ-କୌତୁକ-ମଜା-ମଭଜ
ସେମାନଙ୍କର ପାଖ ପଡ଼ିଶା
ଦୟା-କରୁଣା-ସେବା-ସ୍ନେହ
ସବୁ ଫେରାର୍
ସବୁ ଉଭାନ୍ ଦିଗବଳୟ ବିସ୍ତାରୀ ।
ମ
ିଳିବା ତ ସାତ ସପନ
ପାଇବା ତ ଅସମ୍ଭବ ସୋପାନ
ସୈକତ ମୁଷ୍ଟିବଦ୍ଧ ହୋଇ
ନାହିଁ ନାହିଁ ଯେସନ
ପାଶେ ପାଶେ ଛୁଇଁ ପୁଣି ଉଭାନ
ଅଙ୍ଗେ ଅଙ୍ଗେ ଅନୁଭବ କ୍ଷଣିକ
ପୁଣି ଛତ୍ରଭଙ୍ଗ ଲୀନ ।
ନଛୋଡବନ୍ଧା ମଣିଷ ଅନୁସରଣଗାମୀ
ଚେଷ୍ଟା ଅନବରତ
ଆଶାର କ୍ଷୀଣ ଖିଅଟେ ପୁଣି ବଳ
କଂଚାଏ ଅବିରତ
ଅଭେଦ୍ୟ ଶାନ୍ତିଦୁର୍ଗ ଦ୍ଵାର ଅବଶ୍ୟମ୍ଭାବି
ଗୁପ୍ତ ଚାବି ହେବ କି ପ୍ରାପ୍ତ ?
ବିଚରା ମଣିଷ ଆଜି ଉପେକ୍ଷିତ
ଇଉଟୋପିଆ କପୋଳ କଳ୍ପିତ ଇପ୍ସିତ
କେଉଁ ମନଗଢଣ ଚତୁର ଚଇତାଳି ମିଶ୍ରିତ ।
ସମସ୍ୟା କଣ୍ଟାରେ ଚାଲିବାକୁ ହେବ
ତୁଣ୍ଡ କମାଣ କ୍ଷତାକ୍ତ କରିବ ହିଁ କରିବ
ବିଷଧର ସର୍ପମାନେ
ଚୋଟ ମାରିବେ ହିଁ ମାରିବେ
ଜୀବନ ବଳୟ ଅଛି ଆଦର୍ଶ -ଅନାଦର୍ଶ ବି ରହିବେ
ଛୋଟ ମୋଟ ଦାନ ଦକ୍ଷିଣା ବି ଅଛି
ବଡ଼ ମୋଟ କଳା ସାମ୍ରାଜ୍ୟ ବି ରହିବେ ।
ମିଛ ମରିଚିକା ମାୟା କୁହେଳିକା
ପିଛା ଛାଡିଦେ ରେ ବାଇମନ
ବାଣ୍ଟିଜେ ଯାହା ସବୁ ଗଛିତ
ସୁଗୁଣ ଗୁପ୍ତ ସୁପ୍ତ ଧନ ।
ଦରୋଟି ଓଠରେ ଝଲସି ଦେ ଅନାବିଳ ସ୍ମିତହାସ୍ୟର ଅରୁଣ
କୋଳେଇ ଆପଣେଇ ନେ ଅଚିହ୍ନା ଜନ୍ମରାଶ
ଆପେ ଆପେ ବଢେଇ ଦେ
ଦୁଇ ହାତରେ ଖୋଲା ଆମନ୍ତ୍ରଣ ସମର୍ପଣ ।
ଦେଖିବୁ
ନେତ୍ର ଫାଡି ନିହାରିବୁ
ବେନି ନୟନ ବିସ୍ତାରି ପରଖିବୁ
ହସ --ଖୁସି- ଶାନ୍ତି ଇତ୍ୟାଦି ଇତ୍ୟାଦି
ଓହଳି ଦୋଳି ଖେଳିବେ
ଆଶେ ପାଶେ ଚଉପାଶେ
ବୈଶାଖ ଶ୍ରାବଣ ଫଗୁଣ ।