STORYMIRROR

Arabinda Rath

Tragedy

3  

Arabinda Rath

Tragedy

ଇନ୍ଦ୍ରଜାଲ

ଇନ୍ଦ୍ରଜାଲ

2 mins
687



ଲେଖକ-ଅରବିନ୍ଦ ରଥ


କେତେ ଯେ ନିର୍ଦ୍ଦୟ, ନୃଶଂସ ହୃଦୟ ଧାରଣ କରିଛ ତୁମେ,

ରୁକ୍ଷ ବ୍ଯବହାର କାହିଁକି ମୋ ପାଇଁ ଭାବଥାଏ ମନେମନେ।।

ପ୍ରେମ ଫାଶେ ମୋତେ ଆବଦ୍ଧ କରିଲ, କିଛି ନ ପାରିଲି ଜାଣି,

ଇନ୍ଦ୍ରଜାଲ ତୁମ ଥିଲା ଶକ୍ତିଶାଳୀ, ନିଜ ଆଡେ ନେଲା ଟାଣି।। ୧

କିଶୋରୀ ବୟସେ ଦେଖାଇଲ ମୋତେ କେତେ ଯେ ସୁନେଲୀ ସ୍ବପ୍ନ,

ବୟସ ମୋ ଅଳ୍ପ ଶୁଣି ତୁମ ଗଳ୍ପ ପାଗଳ ହେଲା ମୋ ମନ।।

ଶୁଣି ମିଠା କଥା ଭୁଲି ଗଲି ବ୍ଯଥା ପିତା ମାତା ହେଲେ ପର,

ମର୍ଯ୍ଯାଦା ସଂସ୍କାର ପରମ୍ପରା ଭୁଲି ତୁମ ସାଙ୍ଗେ କଲି ଘର।।୨

ମନ୍ଦିରରେ ଦେଇ ମଥାରେ ସିନ୍ଦୁର ଅର୍ଦ୍ଧାଙ୍ଗିନୀ କଲ ମୋତେ,

ସାତ ଜନମ କୁ ସଙ୍ଗୀ କଲ ପରା, ଦେଇ ଥିଲ କଥା ସତେ।।

ମାତ୍ର ସବୁ ସ୍ବପ୍ନ ଭୁଲୁଣ୍ଠିତ ହେଲା କଲ ଯେବେ ଅତ୍ଯାଚାର,

ଯୌତୁକ ଲୋଭରେ ଭୁଲିଗଲ ସବୁ କେଡେ ତୁମେ ସ୍ବାର୍ଥପର ।।୩

ସ୍ନେହବୋଳା କଥା ହୋଇଲା ଅତୀତ ଟଙ୍କାଲୋଭ କଲା ଅନ୍ଧ,

ପାରୁନ କି ଜାଣି ଆଣିବି କେଉଁଠୁ ଦାବୀ ମୁତାବକ ଅର୍ଥ।।

ପିତାମାତା ପରେ ତୁମ ପାଶେ ଜାଣ ନେଇଛି ଆଶ୍ରୟ ସ୍ବାମୀ,

ତୁମେ ଯଦି ମୋତେ କର ହୀନିମାନ କେମନ୍ତେ ବଞ୍ଚିବି ମୁହିଁ।।୪

ମୋତେ ଚଳାଇବା ତୁମରି ଦାୟୀତ୍ବ ଯାଉଛ କି ସତେ ଭୁଲି,

ଆଣି ନ ପାରିବି ଟଙ୍କା,ସୁନା,ରୂପା ଦିଅ ପଛେ ମାଡ ଗାଳି।।

ତୁମ ଭରସାରେ ଛାଡିଦେଲି ସତେ ସ୍ବର୍ଗପରି ମୋର ଘର,

ନରକ ଯାତନା ଲେଖା ମୋ ଭାଗ୍ଯରେ ଭାଗ୍ଯର ଖେଳ ନିଷ୍ଠୁର।।୫

ରାଜକନ୍ଯା ସମ ପାଳିଥିଲେ ବାପା ଶୁଣିନି ମୁଁ ଟାଣ କଥା,

ମାଆ ପଣତର ସୁରକ୍ଷା କବଚେ ଭୁଲିଛି ବେଦନା ବ୍ଯଥା।।

ସାନସାନ ମୋର ଅଳି ଅର୍ଦ୍ଦଳିକୁ ଦିଅନ୍ତି ଗୁରୁତ୍ବ କେତେ,

ଯାହା ଚାହୁଁ ଥାଏ ମିଳିଯାଏ ସବୁ ହସିଖେଳି ଦିନ ବିତେ।। ୬

ସେସବୁ ସୁଖକୁ ନିଜେ ତ୍ଯାଗ କଲି ତୁମକୁ ଭରସା କରି,

ଏବେ ଲୁହ ଢାଳି ବିବଶ ହୋଇଲେ କେ ଶୁଣିବ ମୋ ଗୁହାରି।।

ଆପଣା ର ହସ୍ତେ ଜିହ୍ବା ମୁଁ ଛେଦିଛି କେ କରିବ ପ୍ରତିବାଦ,

ନିଜ ଧ୍ବଂସ ପାଇଁ କେବଳ ମୁଁ ଦାୟୀ ସହିବାକୁ ମୁଁ ଯେ ବାଧ୍ଯ।।୭

ସାଙ୍ଗ ସଖୀ ମୋର ଶୁଣ ଏହି କଥା ଉପଦେଶ ବୋଲି ମଣ,

ଇନ୍ଦ୍ରଜାଲ ଦିଶୁ ଯେତେ ମନୋରମ ତହିଁରେ ନ ଦିଅ ମନ।।

ସେସବୁ ସପନ ହଳାହଳ ବିଷ ଜାଳି ପୋଡି ଦେବ ପ୍ରାଣ,

ଚୋରାବାଲି ପରି ଟାଣି ନେବ ଗୋଡ ନ ପାଇବ ତ୍ରାହି ଜାଣ।।୮

କେତେ ଜଳିଛନ୍ତି , ଜଳିବେ ଆଗକୁ ସେ ଅଗ୍ନୀ ନ ହେବ ଶାନ୍ତ,

ଇନ୍ଦ୍ରଜାଲ ଜାଣ ମହାଶକ୍ତିଶାଳୀ ବଞ୍ଚିବା ତହିଁରୁ କଷ୍ଟ।।

ଆଧୁନିକତାର ଦ୍ବାହି ଦେଇ କେବେ ହରାଇ ଦିଅନି ମାନ,

ଚରିତ୍ର ତୁମର ନିଷ୍କଳଙ୍କ କରି ଛିଡାଅ ହେ ଇନ୍ଦ୍ରଜାଲ।।୯

ସୂର୍ଯ୍ଯସମ କର ତେଜସ୍ବୀ ସ୍ବରୂପ ଜଳି ଯିବେ ଦୁଷ୍ଟଜନ,

ଗଙ୍ଗାଜଳ ପରି ପବିତ୍ର ଆତ୍ମାକୁ କିଏ ବା କରିବ ହୀନ। ।

ବଚନକୁ ମୋର ସାଧାରଣ ଭାବି କଲ ଯଦି ହେୟଜ୍ଞାନ,

ମୋ ପରି ବି ତୁମେ ହାରିବ ଜୀବନ ଇନ୍ଦ୍ରଜାଲ ନେବ ପ୍ରାଣ।।୧୦

---------ସମାପ୍ତ---------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy