ଆହା ମୋବାଇଲ
ଆହା ମୋବାଇଲ
ଲେଖକ-ଅରବିନ୍ଦ ରଥ
ଆମ ସାହି ପିଲା ସୁକୁଟା ମାଝିକୁ
ମୋବାଇଲ ନିଶା ଘାରିଛି,
ଦିନ ରାତି ଖାଲି ମୋବାଇଲ ଧରି
ଟୁପୁରୁ ଟାପୁରୁ କରୁଛି।।
ଘର ତାର ଏବେ ଥୁଣ୍ଟା ବରଗଛ
ତାଆରି ମୂଳରେ ବସୁଛି,
ପଚାରିଲେ ଦାନ୍ତ ନିକୁଟାଇ କୁହେ
ଏଠି ସିଗିନାଲ ଧରୁଛି।।
କାମ ଧାମ ସବୁ ଭୁଲି ସେ ଗଲାଣି
ସାଙ୍ଗଙ୍କୁ ଦେଲାଣି ପାଶୋରି,
ମୋବାଇଲ ମଧ୍ଯେ ସଂସାର ତାହାର
ନେଲାଣି ସନ୍ଯାସ ଆବୋରି ।।
ବାପ ଲାଗେ ମୂଲ ମେରୁଦଣ୍ଡ ଭାଙ୍ଗି
ମାଆ କରେ କାମ ପାଇଟି,
ସୁକୁଟା ଆମର ନିକ୍କମା ଙ୍କ ବାପ,
ମସ୍ତି କରେ ଡେ ନାଇଟି ।।
କାମ ପାଇଁ ଯଦି କହିଦେଲା କିଏ
ତ୍ରିଭୁବନ ଜାଣ କମ୍ପିବ,
ଭେଣ୍ଡିଆ ପିଲାକୁ ଟେନସନ ଦେଲ
ସୁକୁଟା ଆମର ଗର୍ଜିବ।।
ଛାଡିଦେବି ଘର ପିଇବି ଜହର,
ନୋହିଲେ ନଦୀରେ ବୁଡିବି
ଫାଲତୁ କଥାରେ କଚକଚ ହେଲେ,
ଇହଧାମ ତ୍ଯାଗ କରିବି।।
ସୁକୁଟା ଡରାଣ ଭୟଙ୍କର ଜାଣ
ବାପା ମାଆ ଛାତି ଧଡପଡ,
କାଳେ ଧନମଣି ଜୀବନ ହାରିବ
ସେ ଚିନ୍ତାରେ ଦୁହେଁ ଜଡସଡ ।।
ରୁଷିଲେ ସୁକୁଟା ମୁହଁ ହାଣ୍ଡିକରି
ବସଇ ଘରର ଅଗଣାରେ,
ଅନ୍ନଜଳ ଜାଣ ତ୍ଯାଗ ସେ କରଇ
ଅଭିନୟ କରେ ତୁଚ୍ଛାଟାରେ।।
ବାପା ମାଆ ତାର ମୁର୍ଖ ବୋଲି ଜାଣି
କରେ ଅତ୍ଯାଚାର ନାନାବିଧ,
କାର୍ଡ ରିଚାର୍ଜ ଟଙ୍କା ନ ମିଳିଲେ
ସୁକୁଟା ମାହାପ୍ରୁ ହେବେ କ୍ଷୁବ୍ଧ।।
ଚିରା ଶାଢିକାନି ଗଣ୍ଠି ଖୋଲି ମାଆ
ବଢାଇ ଦିଅଇ କିଛି ଟଙ୍କା,
ସେତିକିରେ ହୁଏ କ୍ରୋଧ ଶାନ୍ତ ତାର
ହସି ଦିଏ କରି ଓଠ ବଙ୍କା।।
ପଚାରିଲେ କିଏ ମୋବାଇଲ କଥା
ଉଠଇ ଚିହିଁକି କରି ପାଟି,
କିସ ଗଲା ତୁମ ବୋପା ଅଜାଙ୍କର
ପାଲଟୁଛ କାଇଁ ଝିଟିପିଟି।।
ମୋ ବାପ ପଇସା ଖର୍ଚ୍ଚ ମୁଁ କରୁଛି
ପତଉନି ହାତ କାହା ପାଖେ,
ମୋବାଇଲ ଧରେ, ରକେଟରେ ଚଢେ
ତୁମର ବା କେତେ ଯାଏ ଆସେ।।
ମୋବାଇଲ ଜାଣ ହୃଦୟ ମୋହର
ପ୍ରାଣ ପକ୍ଷୀ ଅଛି ତାର ମଧ୍ଯେ,
ବଞ୍ଚି ନ ପାରିବି ତାକୁ ଛାଡି ମୁଁ ଯେ
କୃଷ୍ଣ ସେ ମୋହର ମୁହିଁ ରାଧେ।।
ଫେସବୁକ୍, ଟ୍ବିଟର, ହ୍ବାଟସଆପ ସବୁ
ଚଳନ୍ତି ଠାକୁର ମୋର ପାଇଁ,
ଲାଇକ୍, କମେଣ୍ଟ୍,, ଟ୍ବିଟ୍ ଓ ମେସେଜ୍
ଭଜନ,ଜଣାଣ ହେ ଗୋସାଇଁ।।
ନୁଆ ଷ୍ଟାଇଲର ଭକ୍ତିରସ ଇଏ
ପାନ କର ମଜା ଜାଣି ଯିବ,
ଜୀବ ଥିବା ଯାଏ ମୋବାଇଲ ଭକ୍ତ
ସାଜି ଏ ଅମୃତ ପିଉଥିବ।।
ଫ୍ରେଣ୍ଡ ରିକ୍ବେଷ୍ଟ୍ ପାଇଗଲେ କେବେ
ଜାଣିବ ତୁମର ଭାଗ୍ଯ ଟାଣ,
ଫଟୋରେ ଲାଇକ୍ ଗୋଟିଏ ମିଳିଲେ
ଆନନ୍ଦର ନାହିଁ ପଟାନ୍ତର।।
ଥିଲେ କିଛି ପୂଣ୍ଯ ପାଇଯିବ ଜାଣ
କମେଣ୍ଟ, ସେୟାର ବରଦାନ,
ପରମାତ୍ମାପ୍ରାପ୍ତି ପରାୟେ ଆନନ୍ଦ
ମିଳିବ ହେ ଶୁଣ ସୁଧିଜନ।।
ଯେତେ ବେଶି ଥିବେ ଫ୍ରେଣ୍ଡ୍ ତୁମର
ସେତେ ଯେ ଇଜ୍ଜତ କମେଇବ,
ପ୍ରଧାନମନ୍ତ୍ରୀ ଠୁ ହିରୋଇନ ଯାଏ
ଦିନ ରାତି ଚାଟ୍ କରୁଥିବ।।
