ପିଲା ଦିନର ସେ ମଧୁର ସ୍ମୃ ତି
ପିଲା ଦିନର ସେ ମଧୁର ସ୍ମୃ ତି
ଅରବିନ୍ଦ ରଥ
ପିଲା ଦିନର ସେ ମଧୁର ସ୍ମୃତିକୁ, କେତେ ମୁଁ ଯେ ଆଜି ଝୁରୁଛି
ଚାଲିଗଲା କାହିଁ ଏତେ ଯେ ଚଞ୍ଚଳ, ସେଇ କଥା ବସି ଭାବୁଛି।।
ଛନ୍ଦ କପଟର ଚିହ୍ନ ତ ନ ଥିଲା, ସବୁ ଥିଲେ ମୋର ଆପଣାର
ଲଜ୍ଯା ସଙ୍କୋଚର କେତେ ଉର୍ଦ୍ଧେ ଥିଲି,ପୁରା ଗାଁଆ ମୋର ପରିବାର
ଗୁଲି ଦଣ୍ଡା ଖେଳ, ଆମ୍ବ ଗଛ ଡାଳ ଆଖି ଆଗରେ ମୋ ନାଚୁଛି
ସାଙ୍ଗସାଥୀ ମେଳେ ନିର୍ଧୁମ ଖରାରେ, କେତେ ଯେ ଦୁଷ୍ଟାମୀ କରିଛି।।
ପିଲା ଦିନର ସେ ମଧୁର ସ୍ମୃତିକୁ, କେତେ ମୁଁ ଯେ ଆଜି ଝୁରୁଛି....
ନିର୍ମଳ ଆକାଶ, ଶୀତଳ ପବନ, ଗାଁ ଦାଣ୍ଡ ଧୂଳି ଅମୃତ
ଗୋଧୂଳି ଲଗ୍ନରେ ଗାଈ ପଟୁଆର,ହେଲା ସତେ ଆଜି ବିସ୍ମୃତ
ଚାରିପଟ ମୋର ଦିଶୁଥିଲା ବଡ,ଆଜି କେତେ ସାନ ଦିଶୁଛି
ପିଲା ଦିନର ସେ ମଧୁର ସ୍ମୃତିକୁ, କେତେ ମୁଁ ଯେ ଆଜି ଝୁରୁଛି।।
କଅଁଳ ଖରାରେ ଦୁବ ଘାସ ଶେଯେ, କେତେ ଥର ମୁଁ ଯେ ଶୋଇଛି
କୋଇଲିର ମିଠା କୁହୁତାନ ରାବେ ଆତ୍ମା ମୋ ଝଙ୍କୃତ ହୋଇଛି,
ପଦ୍ମଭର୍ତ୍ତି ଆମ ଗାଁ ଗାଡିଆରେ ପହଁରି ପହଁରି ଖେଳିଛି
କେରାଣ୍ଡି,ମାଗୁର,ଶେଉଳ ମାଛଙ୍କୁ ଗାମୁଛା ପକେଇ ଧରିଛି
ପିଲା ଦିନର ସେ ମଧୁର ସ୍ମୃତିକୁ, କେତେ ମୁଁ ଯେ ଆଜି ଝୁରୁଛି।
ବାପାଙ୍କ ଆକଟ
, ଅବଧାନ ଛାଟ ଲାଗୁଥିଲା ସତେ କେତେ ଡର
ପଣକିଆ ଘୋଷା ଥିଲା କେତେକଷ୍ଟ, ଯାଉଥିଲି ଭୁଲି ବରାବର,
ମିଛ ଜ୍ବର ପାଇଁ, କାଖ ତଳେ ରଖି ରସୁଣ କୋଲାକୁ ଶୋଇଛି
ଦେହେ ତାତି ଦେଖି ,ମୋ ମାଆ ଆଖିରୁ ଲୁହ କେତେ ଥର ଝରିଛି
ପିଲା ଦିନର ସେ ମଧୁର ସ୍ମୃ ତିକୁ, କେତେ ମୁଁ ଯେ ଆଜି ଝୁରୁଛି
ସଞ୍ଜ ନଇଁଗଲେ ଡିବିରି ଆଲୁଏ,ଦିଶୁଥିଲା ସବୁ କେତେ ଭଲ
ତଳେ ଚକାପାରି, ସିଲଟ କୁ ଧରି ପାଠ ପଢିବାରେ ମସଗୁଲ,
ଖଡି ଥାଏ ସେଇ ଗୋଟିଏ ଯାଗାରେ, ମନ ଘୁରୁଥାଏ ଅଣାୟତ
ଆଖିଦୁଇ ମୋର ହୋଇଯାଏ ମୁଦି,ସପନ ରାଇଜେ ଆତଯାତ।
ନ ଶୁଅରେ ଧନ ପାଠେ ଦିଅ ମନ, ବୋଉ ଡାକ ଶୁଣି ଚେତିଛି
ପିଲା ଦିନର ସେ ମଧୁର ସ୍ମୃ ତିକୁ କେତେ ମୁଁ ଯେ ଆଜି ଝୁରୁଛି।।
କେତେ ଯେ ଚଞ୍ଚଳ ଗଡିଗଲା ବେଳ, ଅତିକ୍ରାନ୍ତ ହେଲା ପିଲା ଦିନ
ବାଲ୍ଯକାଳର ସେ ସ୍ବର୍ଣ୍ଣାଭ ଚିତ୍ର କୁ ଧୁମ୍ରମୟ କଲା ବର୍ତ୍ତମାନ,
ରୂପାନ୍ତରଣ ର ସ୍ରୋତରେ ଭାସିଲା ଛନ୍ଦହୀନ ସେହି ବାଲ୍ଯମନ
କ୍ରୋଧ,ହିଂସା, କ୍ଷୋଭ, ଦୁଃଖ ଓ ନିରାଶା ସମ୍ମୁଖରେ ହେଲେ ବିଦ୍ଯମାନ ।।
କପଟରେ ଭରା ସଂସାର ଜୁଇରେ ଅହରହ ମୁଁ ଯେ ଜଳୁଛି
ପିଲା ଦିନର ସେ ମଧୁର ସ୍ମୃ ତିକୁ କେତେ ମୁଁ ଯେ ଆଜି ଝୁରୁଛି।
*****************