STORYMIRROR

Arabinda Rath

Comedy Others

3  

Arabinda Rath

Comedy Others

କି ବେଳାରେ କଲି ଚାକିରି

କି ବେଳାରେ କଲି ଚାକିରି

1 min
18.5K


କି ବେଳାରେ କଲି ଚାକିରି

ରଙ୍ଗୀନି ଜୀବନ କଳାଧଳା ହେଲା

ରଙ୍ଗ ସବୁ ଗଲା ଉତୁରି,

ସବୁ ସୁଖ ମୋର ଶୁଖି ହେଲେ କଣ୍ଟା

ଲୁହେ ଗଲା ଗାଲ ବତୁରି

କି ବେଳାରେ କଲି ଚାକିରି।।

ସକାଳରୁ ସଂଞ୍ଜ କେଡେ ଦହଗଞ୍ଜ

କାମ କରିକରି ଥୋବରା,

ତଥାପି ଅକର୍ମା, ଅଳସୁଆ ବୋଲି

ଶୁଣି କାନ ମୋର ବଧିରା ।।

ପଖାଳ କଂସା କୁ ବଡି ଚୁରା ପାଗ

ମନରୁ ଦେଲିଣି ପାଶୋରି

କି ବେଳାରେ କଲି ଚାକିରି।

ଘରଣୀ ଭାଷାରେ ଚାଲବାଜ ମୁହିଁ

ଘର କଥା କିଛି ବୁଝେନି,

ପିଲା କୁହେ ବାପ ଜଗତ ମିଛୁଆ

ବଜାର ବୁଲେଇ ନିଏନି।।

ବନ୍ଧୁବାନ୍ଧବ ତ ବିଚାରନ୍ତି ଭୂତ

କାମ ନିମିତ୍ତ କୁ ଯାଏନି,

ବେଭାର ବୁହାରେ ହେଳା ନାହିଁ ମୋର

ଗଞ୍ଜଣା ତଥାପି କମେନି।।

ମିଳିଲେ ସୁଯୋଗ ସର୍ବେ ମିଳିମିଶି

ଛାଲ ମୋ ଦିଅନ୍ତି ଉତ୍ତାରି

କି ବେଳାରେ କଲି ଚାକିରି।।

ସାଙ୍ଗସାଥୀଗଣ ବିଚାର କରନ୍ତି

ଗରବ ରେ ମୁଁ ଯେ ଫାଟୁଛି,

ଚାକିରିଟା କରି ଦରମା କୁ ଧରି

ସଂସାରକୁ ତୁଚ୍ଛ ମଣୁଛି।।

ଭଲମନ୍ଦ ତାଙ୍କ ବୁଝି ନ ପାରଇ

ଉଦଗାର କରନ୍ତି ଗରଳ,

ଦେଖିଦେଲେ ମୋତେ

ବାକ୍ଯଶର ବିନ୍ଧି

ବଢାଇ ଦିଅନ୍ତି ଜଞ୍ଜାଳ।।

ବୁଝାଇ ପାରେନି ଅବସ୍ଥା ମୋହର

ପଙ୍କେ ଲୋଟେ ଯେହ୍ନେ ଶୁକରୀ

କି ବେଳା ରେ କଲି ଚାକିରି ।।

ଫାଇଲ୍ ନଦୀରେ ପହଁରୁ ଥାଏ ମୁଁ

ନ ଦିଶଇ କୂଳ କିନାରା,

କାମ କରିକରି ଝଡିଲାଣି ଚୁଟି

ମୁଣ୍ଡ ଟି ଦିଶଇ ଟାଙ୍ଗରା।।

ଆଳୁବସ୍ତା ପରି ଲଦି ହୋଇ ବସେ

ତଳେ ଥାଏ କାଠ ଚଉକି,

ଖିଆ,ପିଆ,ଶୁଆ ଅଫିସ ଭିତରେ

ନାହିଁ ମନେ କିଛି ସଉକି।।

ଗଧ ଖଟଣିରେ ହୁଏ ଛଟପଟ

ଆତ୍ମା କାନ୍ଦୁଥାଏ ଗୁମୁରି

କି ବେଳାରେ କଲି ଚାକିରି।।

ମାଗିଦେଲେ ଛୁଟି ଉଡି ଯିବ ଚୁଟି

ମଧ୍ୟାହ୍ନରେ ସୂର୍ଯ୍ୟ ଯିବେ ଅସ୍ତ,

ଶହେ କୈଫିୟାତ୍ ଦେଇ ସାରିଲେ ବି

ମିଳିବନି ଛୁଟି ଏହା ସତ୍ୟ ।।

ଦୁଇଦିନ ଯଦି ଛୁଟି ନେବ କିଏ

ସଂସାର ର ଚକ ରହିଯିବ,

ସମୁଦ୍ର ଲଙ୍ଘିବ ଆସିବ ପ୍ରଳୟ

ବଜ୍ରପାତେ ସବୁ ଧ୍ଵଂସ ହେବ।।

ଏହି କାରଣରୁ ମିଳେ ନାହିଁ ଛୁଟି

ଏଇ ତ କାହାଣୀ ସବୁରି

କି ବେଳାରେ କଲି ଚାକିରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy