STORYMIRROR

Arabinda Rath

Inspirational

3  

Arabinda Rath

Inspirational

ଟ୍ରାଫିକି ପୁଲିସି ଜଗିଛି

ଟ୍ରାଫିକି ପୁଲିସି ଜଗିଛି

1 min
461

ଗଳିକନ୍ଦି ସାହି ଛକ ବଜାରରେ   ପୁଲିସିଙ୍କ ମେଳା ଜମିଛି

ଠେଙ୍ଗାବାଡି ସହ ନଥିପତ୍ର ଧରି   ଶିକାର ଅପେକ୍ଷା କରୁଛି

ଗାଳିଚାଳକଙ୍କ ଛାତି ଭିତରଟା   ଧାକୁଡୁ ଧାକୁଡୁ କମ୍ପୁଛି

ମୁଖ୍ଯରାସ୍ତା ଛାଡି ସହର କନ୍ଦିରେ   ଲୁଚିଛପି ଗାଡି ଗଡୁଛି

ଟ୍ରାଫିକି ପୁଲିସି ଜଗିଛି


ତେଲଟାଙ୍କି ଛାଡି ହେଲମେଟ ଦୋକାନେ   ଗ୍ରାହକଙ୍କ ଭିଡ ଜମୁଛି

ଏତେ ମୁଣ୍ଡ ପାଇଁ ନାହିଁ ହେଲମେଟ      ନିଅଣ୍ଟ ଅବସ୍ଥା ଘାରିଛି

ମହାଶକ୍ତିଶାଳୀ ପୁଲିସିବାହିନୀ      ଗୁଡେଇ ତୁଡେଇ ଧରୁଛି

ବୁଢୀଆଣି ଜାଲେ ମାଛି ଯେହ୍ନେ ଫସେ   ଚାଳକ ବିଚରା ଫସୁଛି

ଟ୍ରାଫିକି ପୁଲିସି ଜଗିଛି


ଗଣିଗଣି ତଣ୍ଡ ଭାଙ୍ଗେ ମେରୁଦଣ୍ଡ      ଜନତା ଗୁମୁରି କାନ୍ଦୁଛି

ରିପୋର୍ଟ କୁହଇ ଜରିମନା ଭୟେ      ଦୁର୍ଘଟଣା ମାତ୍ରା କମିଛି

ପାହାନ୍ତି ପହରୁ ରାତି ଅଧ ଯାଏ      ଚାଲାଣ କାଟତି ଚାଲିଛି

ଫାଇନ ଆଦାୟେ ଆମ ରାଜ୍ଯ ପରା      ଅଉଲ ନମ୍ବର ପାଇଛି

ଟ୍ରାଫିକି ପୁଲିସି ଜଗିଛି


ମାହାନ୍ତି ମାଇପ ହେଲମେଟ ତଳେ      ଧାର ଧାର ଲୁହ ଢାଳୁଛି

କେଡେ ମୁଲାୟମ ସାମ୍ପୁକରା କେଶ      ଘୋଡାଲାଞ୍ଜ ପରି ଦିଶୁଛି

କଟକ ବିଖ୍ଯାତ ଗାଙ୍ଗୁଲି ଲଳନା      ଆନନ୍ଦରେ ହେଣ୍ଡୁ ମାରୁଛି

ହେଲମେଟ୍ ପିନ୍ଧି ଶହେ ନାଗରଙ୍କ      ଗାଡି ପଛ ଲୁଚି ଯାଉଛି

ଟ୍ରାଫିକି ପୁଲିସି ଜଗିଛି


ଗୁଣ୍ଡା ବଦମାସ ଖଣ୍ଟଙ୍କ ଉତ୍ପାତ      ସହସ୍ରଗୁଣରେ ବଢିଛି

ଚୋର ଧରିବାକୁ ପୁଲିସି ଅଭାବ      ଥାନାରେ କୋଲପ ଝୁଲୁଛି

ଝିଣ୍ଟିକା ମାରିଣ ବଣି ପୋଷା ନୀତି      ଅତି ସୁରୁଖୁରେ ଚାଲିଛି

ପାନଖଣ୍ଡେ ଜାକି ବୁଲେଟ୍ ରେ ଚଢି      କେମିତି ଯିବି ମୁଁ ଭାବୁଛି

ଟ୍ରାଫିକି ପୁଲିସି ଜଗିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational