ଇନ୍ଦ୍ରଧନୁ
ଇନ୍ଦ୍ରଧନୁ


କିଏ ଦେଲା ଗଢି ରଙ୍ଗ ତୋରଣଟି
ସୁଦୂର ଆକାଶ ପଥେ
ସାତ ରଙ୍ଗେ ଶୋଭା ଅତି ମନଲୋଭା
ଇନ୍ଦ୍ର କି ବିରାଜେ ରଥେ ।।
ନିମିଷେ ରୁହଇ ଯାଏ ସେ ଦୂରେଇ
ଖରା ବର୍ଷା ଖେଳ ଏହି
ସବୁରି ହୃଦୟ କ୍ଷଣେ କରେ ଜୟ
ତାହା ତ ଗଢିଛି ବିହି ।।
ସାତ ରଙ୍ଗେ ସୃଷ୍ଟି ଧବଳ ରଙ୍ଗଟି
ଦିଅନ୍ତି ତପନ ଢାଳି
ଖରା ବର୍ଷା ସାଥେ ଲୁଚକାଳି ଖେଳେ
ଦିଶେ ଇନ୍ଦ୍ରଧନୁ ପରି ।।
ଝିପି ଝିପି ବର୍ଷା ଜଳ କଣା ମାନ
ପ୍ରିଜିମ ରୂପେ ତରଙ୍ଗ
ବିପରୀତ ଦିଗୁଁ ସୂରୁଜ କିରଣ
ପଡ଼ି ହୁଏ ସାତ ରଙ୍ଗ ।।
ଅଭୁଲା ସ୍ମୃତି ସେ ବିରାଜେ ଆକାଶେ
କିଣି ନିଏ ପ୍ରତି ହୃଦ
ପ୍ରେମର ସଉଧ କ୍ଷଣେ ଗଢେ ସେତ
ନିରାଶ ମନେ ଆନନ୍ଦ ।।
ରିମ୍ ଝିମ୍ ବର୍ଷା ବାସବ ଦୁହିତା
ନୃତ୍ୟାଙ୍ଗନେ ଶୋହେ ଧରା
ସୂରୁଜ କିରଣ ପୁତ୍ର ତେଜୀୟାନ
ଭରେ ପ୍ରଣୟର ଧାରା ।।
ଦୁଇ ସଚ୍ଚା ପ୍ରେମ ହୋଇଲେ ପୂରଣ
ସୃଷ୍ଟି ହୁଏ ଇନ୍ଦ୍ରଧନୁ
ସାତ ରଙ୍ଗେ ପୂର୍ଣ୍ଣ ପ୍ରେମର ଜୀବନ
ସୂଚାଏ ଗଗନେ ତେଣୁ ।।