ଈଶ୍ୱରଙ୍କୁ ଚିଠି
ଈଶ୍ୱରଙ୍କୁ ଚିଠି
କାହିଁକି ଈଶ୍ୱର ହେଉଛ ନିଷ୍ଠୁର
ଗଢୁଛ ପ୍ରଭେଦ କରି
ସର୍ବାଙ୍ଗ ସୁନ୍ଦର କରିଛ କାହାକୁ
କିଏ ଅଧାଗଢା ପରି ।
କାହାରି କପାଳେ ଲେଖିଛ ପ୍ରଭୁ ହେ
ସୌଭାଗ୍ୟ ପ୍ରସନ୍ନ ଚିତ୍ତେ
କିଏ ଭାଗ୍ୟ ହୀନ ଭୋଗୁଛି କଷଣ
ସୁନ୍ଦର ଏଇ ଜଗତେ ।
ପୁରୁଷ କି ନାରୀ ଗଢିଥିଲ ଯଦି
କାହିଁକି ବଳିଲା ମନ
କେଉଁ ଦୋଷେ ପୁଣି ତୃତୀୟ ଲିଙ୍ଗୀ ଯେ
ପାଇଲା ପୁଣି ଜୀବନ ।
କାହାକୁ ଦେଇଛ ଅମାପ ସମ୍ପତ୍ତି
କିଏ ଏଠି ଅସହାୟ
ଦାନା ମୁଠେ ପାଇଁ କିଏ ଅସମର୍ଥ
ଏହା କି ତୁମ୍ଭର ନ୍ୟାୟ ?
ରୋଗବ୍ୟାଧି କାହିଁ ଖଞ୍ଜିଛ ଶରୀରେ
ବୁଝିପାରେ ନାହିଁ ମୁହିଁ
କାହାକୁ ମାରୁଛ କାହାକୁ ତାରୁଛ
ତାହାର କଳନା ନାହିଁ ।
କିଏ ବିଛଣାରେ ଛଟପଟ ହୁଏ
ଖୋଜେ ମୃତ୍ୟୁ ବିକଳରେ
ତାକୁ ଛାଡ଼ିଦେଇ ନିରୋଗ ମଣିଷ
ଶୋଇଯାଏ ଶ୍ମଶାନରେ ।
ପୁଅ କାନ୍ଧେ ବାପା ଯିବ ବୋଲି ଭାବେ
ପୁଅ ଚାଲିଯାଏ ଆଗ
ବାପାର ହୃଦୟ କେମିତି ସହିବ
କେମିତି କରିଛ ଭାଗ ।
ମନ ଟିଏ ଯଦି ଦେଇଛ ପ୍ରଭ ହେ
କାହିଁକି କରିନ ଜଡ
ଆଶା ଆକାଂକ୍ଷାକୁ ଆବୋରିବା ପାଇଁ
ଅନେଇ ବସିଛି ମୁଢ ।
କିଏ ସେ ଚାଖୁଛି ସଫଳତା ଏଠି
କିଏ ହୁଏ ହତୋତ୍ସାହ
କା ପାଇଁ ଆଶା ଯେ ନିରାଶର ସଂଜ୍ଞା
କା ପାଇଁ ଖୁସିର ମୋହ ।
ମୋହଗ୍ରସ୍ତ ଏଠି ମଣିଷ ସମାଜ
ମାୟାଜାଲେ ହୁଏ ଛନ୍ଦି
ସେ ମାୟାଜାଲ କି ତୁମ ଠାରୁ ଶକ୍ତ
ସାଜିଛନ୍ତି ସର୍ବେ ବନ୍ଦୀ ?
କିଏ ଏଠି ନିତି ସତପଥେ ଚାଲି
ପାଏନା ଆଦର କେବେ
କିଏ ମିଥ୍ୟା କହି ଜଗତ ଜିଣୁଛି
ଛଳନାର ପରାଭବେ ।
ଲୋଭ ମୋହ ସ୍ୱାର୍ଥ କାହିଁକି ଭରିଛ
ସଂସାର ସାଗରେ ସାଇଁ
ସେଇ ମୋହ ବଳେ ବଳିୟାର ଯିଏ
କୁହ ଅଜ୍ଞାନ କି ନାହିଁ ?
କିଏ ପର ପାଇଁ ଜୀବନ ଦେବାକୁ
ଦିଏ ନାହିଁ ପଛଘୁଞ୍ଚା
କିଏ ନେଇଯାଏ ପରର ଜୀବନ
ନିଇତି ହୁଅଇ ଚର୍ଚ୍ଚା ।
ପଥର ଦେହରେ ତୁମକୁ ପୂଜୁଛି
ଭକତି ଅନ୍ତରେ କିଏ
କେଉଁଠାରେ ଅଛ କେମିତି ଦିଶୁଛ
ମନେ ମନେ ଭାବୁଥାଏ ।
ଶରୀର ଦେହରେ ହୃଦୟ ଯୋଡିଛ
ଦେଇଛ ଜୀବନ ସତ୍ତା
କାହିଁକି ଆବେଗ ଭରିଛ ସଂସାରେ
ସାଜିଛ କୃପାଳୁ ଦାତା ।
ତୁମେ ଦେଇଅଛ ତୁଣ୍ଡ ଟିଏ ଯଦି
ନୁହେଁ କି ତୁମ ଅଧୀନ
କିଏ ମିଠା କଥା କହି ମନତୋଷେ
କଟୁବାକ୍ୟ କା'ର ଟାଣ ।
ଜୀବନ ଟା ପରା ଅଢେ଼ଇ ଦିନିଆ
ବୁଝି କି ଅବୁଝା ସର୍ବେ
ଗର୍ବ ଅହଂକାରେ ସାଜିଛି କେ ଅନ୍ଧ
ହେଉଛ ନୀରବ ତୁମ୍ଭେ ।
ପ୍ରକୃତି ପୃଥିବୀ ତୁମରି ସର୍ଜନା
ତୁମେ ହିଁ ସ୍ୱାମୀ ସୃଷ୍ଟିର
ତଥାପି କାହିଁକି ସାଜିଛି ଦାନବ
ଦୁର୍ବିପାକ ଜଗତର ।
ସଦଗୁଣ କାରେ ଦେଇଛ ଈଶ୍ୱର
ତ୍ୟାଗ ଦୟା ଆଉ କ୍ଷମା
କେ ସାଜେ କାହିଁକି ନିଷ୍ଠୁର ନିର୍ଦ୍ଦୟ
ବୁଝିହୁଏ ନାହିଁ ଜମା ।
ପ୍ରୀତି ସ୍ନେହଶ୍ରଦ୍ଧା ସଂସାରର ଧନ
ସଭିଏଁ ପ୍ରେମରେ ବନ୍ଧା
ଧୋକା,ପ୍ରତାରଣା କାହିଁକି ପ୍ରେମକୁ
ଦେଇଥାଏ ଖାଲି ନିନ୍ଦା ।
କର୍ମ ଭଗବାନ ବାକ୍ୟ ଯଦି ସତ୍ୟ
କର୍ମବୀର କିଏ କୁହ
ଯିଏ ଝାଳ ଦେଇ ଖଟେ ବାରମାସ
ଅବହେଳିତ କି ନୁହଁ ?
ଉଚ୍ଚ ପଦବୀର ପ୍ରତିଷ୍ଠା ସମ୍ମାନ
ବିଚିତ୍ର ଲାଗେ କି ନାହିଁ
ତୁମ ଅବିଚାର ଆନ୍ଦୋଳିତ କରେ
ମୁଁ ଯେ ପାରେନାହିଁ କହି ।
ଜ୍ଞାନୀ ପୂଜାପାଏ ସର୍ବତ୍ର ଜାଣନ୍ତି
ଏଠି ଜ୍ଞାନ ସୀମା ଭିନ୍ନ
ଅଜ୍ଞାନ ଆଗରେ ଜ୍ଞାନୀ ଦୁରୁବଳ
ଜ୍ଞାନ ହୋଇଯାଏ ମ୍ଳାନ ।
ସୂର୍ଯ୍ୟ,ଚନ୍ଦ୍ର ,ତାରା ତୁମରି ନିର୍ଦ୍ଦେଶେ
ହୋଇଥାନ୍ତି ଆତଜାତ
କାହିଁକି ସଂସାରେ ଘୋଟିଛି ଅନ୍ଧାର
ଅକୀର୍ତ୍ତି କରୁଛି ନୃତ୍ୟ ?
ତୁମ୍ଭ ଆଶିଷର ପୁଣ୍ୟ ସ୍ରୋତଧାରେ
ପ୍ଳାବିତ ଧରଣୀ କୋଳ
ତେବେ କୁହ ମୋତେ କାହିଁକି ଈଶ୍ୱର
ପାପ କରୁଅଛି ଖେଳ ।
ତୁମ୍ଭେ ଯଦି ସତ୍ୟ ଶିବ ଓ ସୁନ୍ଦର
ପବିତ୍ର ଧରଣୀ କୋଳେ
କାହିଁକି ଯାତନା ଭୋଗନ୍ତି ସକଳେ
ଅସତ୍ୟ ଅଧର୍ମ ବଳେ ।
ନାରୀକୁ ଦେଇଛ ଯଦି ବରଦାନ
ଗର୍ଭେ ଜୀବନର ସୃଷ୍ଟି
କାହିଁକି ସେ ନାରୀ ନିର୍ଯ୍ୟାତିତ ଏଠି
ଦେଖି ଛାତିଯାଏ ଫାଟି ।
କାହିଁକି ପ୍ରଭୁ ହେ ସୀତା, ଦ୍ରଉପଦୀ
ଅହଲ୍ୟା ସହିଲେ କଷ୍ଟ
କାହିଁକି ପ୍ରଭୁ ହେ ପୁରୁଷ ବିଚାର
ହୋଇଲାଣି ପଥଭ୍ରଷ୍ଟ ।
ସଂସାରେ ନାରୀର ଉଚ୍ଚସ୍ଥାନ ବୋଲି
ଖାଲି ମିଥ୍ୟା ପ୍ରହେଳିକା
ପାଦତଳେ ନାରୀ ସ୍ଥାନ କାହା ପାଇଁ
ଏହା କି ପ୍ରକୃତ ଶିକ୍ଷା ?
ସର୍ବ ଶକ୍ତିମାନ ସର୍ବ ବିଦ୍ୟମାନ
ତୁମ୍ଭେ ସ୍ୱୟଂ ସୃଷ୍ଟିକର୍ତ୍ତା
କାହିଁକି ସାମର୍ଥ୍ୟ ପଡ଼ିଅଛି ବନ୍ଧା
ମୂଲ୍ୟହୀନ ବେଦ ଗୀତା ।
ଧନ, ଯଉବନ ନୁହେଁ ଚିରସ୍ଥାୟୀ
ଅଳ୍ପକାଳେ ବେଶି ଭାଉ
ସହିବ କିଏ ସେ ସେମାନଙ୍କ କୋପ
ଜୀବନରେ ତାଙ୍କ ଦାଉ ।
ଚୋରି ,ଡକାଏତ ,ଲୁଣ୍ଠନ ,ଧର୍ଷଣ
ଦିନରାତି ପ୍ରାୟ ସମ
କାହିଁକି ନୀରବ ପାପୀ ପାଇଁ କୁହ
ପୁରୁନାହିଁ କାଳଯମ ।
ତୁମେ ଚାହିଁଲେ କି ବଦଳିବ ନାହିଁ
ସଂସାରର ଏହି ରୂପ
ସତ୍ୟ,ପ୍ରୀତି ,ଭକ୍ତି,ଧର୍ମ ,ନ୍ୟାୟ,ପୁଣ୍ୟ
ଦେଖାଇବେ ବୀରଦର୍ପ ।
ଚିଠିଟିକୁ ମୋର ପଢିବ ପ୍ରଭୁହେ
ସ୍ୱଳ୍ପ ବୁଦ୍ଧି କରେ ପ୍ରଶ୍ନ
ଗୋଟି ଗୋଟି କରି ଉତ୍ତର ରଖିବ
ଶୁଣ ମୋର ନିବେଦନ ।