STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଈଶ୍ୱରଙ୍କୁ ଚିଠି

ଈଶ୍ୱରଙ୍କୁ ଚିଠି

1 min
180

ଏବେ ତୁମେ ଭାରି ଖୋଜା

ଆମ ହାତ ଖାଲି ହେଲା ପରେ

ଆଉ ଲାଜ ନାହିଁ ଖୋଲି କହିବାକୁ

ନିଜ ନିପାରିଆ ପଣିଆକୁ ତୁମରି ଆଗରେ । 


ଏବେ ତୁମ ଅଦେଖା ଦେହକୁ ଆଉ

ସ୍ୱୀକାର କରିବାରେ ଆଉ କାହା ଆପତ୍ତି ନାହିଁ

ବିଜ୍ଞାନ ବି ହାତଯୋଡ଼େ

ନିଜ ଅହଙ୍କାରର ପଗଡ଼ିକୁ ଖୋଲି

ଆଜି ତୁମେ ହିଁ ଆଶ୍ରା ସବୁ ଆଶ୍ୱାସନାରେ ।


କାଲି ତୁମେ ଦେଖୁଥିଲ

ତୁମ ଆଗେ ଆମେ କେତେ ନାଚୁଥିଲୁ

ତୁମକୁ ଛିଗୁଲେଇ ହୋଇ 

ନିଜ ଘରକୁ ଉଜାଡ଼ି ଦେଇ

ଜାଗା ଖୋଜୁଥିଲୁ ଯାଇ 

ଚନ୍ଦ୍ର ଆଉ ମଙ୍ଗଳ ଗ୍ରହରେ । 


ତୁମେ ବି ଖୁବ ହସିଥିବ ବୋଧେ 

ଆମର ଏ ମୁର୍ଖତାକୁ ଦେଖିବା ପରେ

ଆମର ଏ ବାଜେ ଉଚ୍ଚାକାଂକ୍ଷାକୁ 

ଶିଶୁଟିଏର ଜିଦ ଭାବି

ଏଡ଼ାଇ ଯାଇଥିବ ନିଶ୍ଚେ

ଅବିରକ୍ତ ଓଠ ଧାରେ ହସଟେ ଖେଳାଇ ।


ଏତେ ଶୀଘ୍ର କଣ ସୀମା ଟପିଗଲା

ଆମର ସେ ପିଲାଳିଆମି

ଆଜି ଅପରାଧ ପାଲଟି ଗଲା କି 

ତୁମର ସେ ସୃଷ୍ଟିର ନିୟାମକ ପୁସ୍ତିକାରେ

ଆଜି ଦେଇ ଚାଲିଛ ଏତେ କଠୋର ଦଣ୍ଡ

ଭୀତ ଆଜି ତୁମ ସୃଷ୍ଟି

ତୁମର ସେ କ୍ରୋଧ ଜର୍ଜରିତ ଆରକ୍ତ ଦୃଷ୍ଟିରେ । 


କେତେ ଆଉ ନେବ କୁହ

ଚଢ଼ାଦରରେ କଲାକର୍ମର ବାକିଆ ଖଜଣା

ବିକ୍ରି ହୋଇଯାଏ ଜୀବନ ପରେ ଜୀବନ

ସୁଝିବାକୁ ପାଉଣା ତୁମର । 


ଏବେ ତ ଟିକେ କ୍ଷାନ୍ତହୁଅ ଶାନ୍ତହୁଅ

ହେ ଶୁନ୍ୟପୁରୁଷ

ଆତ୍ମସମର୍ପଣ ଛଡ଼ା ଅନ୍ୟ ଗତି ନାହିଁ

ଆଉ କେତେ ପ୍ରତୀକ୍ଷା କରିବ ଆଉ

କଣ ପୁରା ଭାଙ୍ଗିଯାଇ

ମାଟିରେ ମିଶିଗଲା ପରେ ।


ଯଦି ଆଉ ନାହିଁ ଲୋଭ ତୁମ

ତୁମର ଏ ପୁରୁଣା ଖେଳନାରେ

ଭାଙ୍ଗିଦିଅ ଏକା ସଙ୍ଗେ

ଧ୍ୱଂସ କର ଏ ବିଶ୍ୱକୁ ତୁମର ଆଖି ପିଛୁଳାକେ

ତିଆରିବ ଆଉ ଏକ ନୂଆ ସର୍ଜନାଟେ

ତୁମ ଇଛା ତୁମ ନିୟମରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract