ହୋଇପାରିବିନି କୃତଘ୍ନ କେବେ ମୁଁ
ହୋଇପାରିବିନି କୃତଘ୍ନ କେବେ ମୁଁ
ଜନନୀ ଜଠର ଅନ୍ଧାରକୁ ଚିରି
ମାତୃଭୂମି କୋଳ ଛୁଇଁ
ଦୁନିଆ ଆଲୋକ ଦେଖିଲି ନେତ୍ରରେ
କୁଆଁ କୁଆଁ କାନ୍ଦି ମୁହିଁ ।
ସ୍ନେହମୟୀ ମାଆ ବକ୍ଷରେ ଜାବୁଡି
ପିଆଇଲା ମୋତେ ସୁଧା
ମାତୃଭୂମିଠାରୁ ପାଇଲି ବାୟୁ ମୁଁ
ବଞ୍ଚିବାରେ ନାହିଁ ବାଧା ।
ଅନ୍ତଚିରି ଜଳ ସମର୍ପି ଖୁସିରେ
ମେଣ୍ଟାଇଲା ମୋର ତୃଷ୍ଣା
ପେଟ ମୋ' ଭରିଲା ସୁନା ଫସଲରେ
ଫୁଲ ବିଚ୍ଛୁରିଲା ବାସ୍ନା ।
ମାଆ ଶିଖାଇଲା ମିଠା ମାତୃଭାଷା
ଶିଖାଇଲା କଥାକୁହା
ମନର ଭାବନା ବ୍ୟକ୍ତ କରିବାକୁ
ଜଗାଇଲା ମନେ ସ୍ପୃହା ।
ମାଆ ହାତଧରି ମାତୃଭୂମି କୋଳେ
ହସିଖେଳି ବଡ଼ ହେଲି
ମାତୃଭାଷା ବଳେ ଦୁନିଆରେ ମୋର
ପରିଚୟ ଗଢ଼ିଦେଲି ।
ଶିଖିଲି ମାଆଠୁ ସ୍ନେହର ମୂଲ୍ୟ ମୁଁ
ମାତୃଭୂମିଠାରୁ ତ୍ୟାଗ
ମାତୃଭାଷା ବଳେ ଶିଖିଲି ଜୀବନେ
ଜାତିପ୍ରୀତି ଅନୁରାଗ ।
ଭାବ ବିନିମୟ ମାନ ଅଭିମାନ
ସମ୍ପର୍କର ମଧୁରତା
ମାତୃଭାଷା ଦ୍ୱାରା ସମ୍ଭବ ହୋଇଲା
ଆବୋରିଲି ଆତ୍ମୀୟତା ।
ଦକ୍ଷତା ବାଣ୍ଟିଲି ମତ ପ୍ରକାଶିଲି
ଆପଣାଇ ମାତୃଭାଷା
ଜୀବନ ଜୀବିକା କର୍ମ ଧର୍ମ ସର୍ବ
କରିନେଲି ମୋର ନିଶା ।
ମାଆ ମାତୃଭୂମି ମାତୃଭାଷା ଦାନ
ମୋ' ଜୀବନ ଉପହାର
ମାନ ସନମାନ ଅନ୍ତରୁ ଝରାଇ
କରିବିନି କେବେ ଦୂର ।
ହୋଇପାରିବିନି କୃତଘ୍ନ କେବେ ମୁଁ
ଜୀଵ ଥିଲାଯାଏଁ ମୋର
କରୁଛି ଶପଥ ପୂଜୁଥିବି ନିତ୍ୟ
ହୃଦୟରେ ନିରନ୍ତର ।
