ହଂସ ତତ୍ତ୍ବ
ହଂସ ତତ୍ତ୍ବ
ଆତ୍ମା ପରମାତ୍ମା ଦୁଇ ହଂସ ପକ୍ଷୀ
ଶରୀର ବୃକ୍ଷରେ ଖେଳନ୍ତି ବସି
ଇଡ଼ା ପିଙ୍ଗଳା ଶିଶୁମୁନା ନାଡ଼ି
ସଙ୍ଗରେ ଲଲାଟ ମଧ୍ୟରେ ହସି ।
ଦେହୀର ସଙ୍ଗତେ ଅଭେଦ ପ୍ରୀରତି
ସଞ୍ଚରିଲା ଦିନୁ ରଚିଥାଆନ୍ତି
ଜନମୁ ମରଣ ସୁଖଦୁଃଖ ଫଳ
ଜୀବାତ୍ମା ନିଇତି ଚାଖୁଥାଆନ୍ତି ।
ତାକୁ ପରମାତ୍ମା ନିରେଖୁଥାଆନ୍ତି
ରହି ସେ ବୃକ୍ଷରେ ପ୍ରତିଟିକ୍ଷଣ
ଫଳ ମିଠା ଖଟା କିଏ ବି ବିଷାକ୍ତ
ସୂଚାଉଥାଆନ୍ତି ସେ ଅନୁକ୍ଷଣ ।
ତୋଷ ଅସନ୍ତୋଷ ଭୋଗାଭୋଗ ଶେଷ
ଉଡ଼ିଯାଏ ପ୍ରାଣବାୟୁ ଶେଷରେ
ପୁଣି ନବ ରୂପ କରଇ ଧାରଣ
ନିଜ ଅରଜିଲା କର୍ମାନୁସାରେ ।
ପୁରୁଣାକୁ ଛାଡ଼ି ପିନ୍ଧି ନୂଆ ବସ୍ତ୍ର
ପୁଣି ସେ ବୃକ୍ଷରେ କରଇ ଖେଳା
ବାରବାର ଉଡ଼ି ନୂଆ ରୂପ ନେଇ
ଫେରି ଆସିବାକୁ ବାନ୍ଧଇ ଭେଳା ।
ପାରି ହେବାପାଇଁ ଭବସାଗରକୁ
ଯେବେ ମଜଭୂତ ଭେଳା ତିଆରି
ଉଡ଼ିଗଲେ ହଂସ ନାହିଁ ଅବସୋସ
ଗତି ମୋକ୍ଷପଥେ ପ୍ରାପତ ହରି ।
ଜପ ତପ ଧ୍ୟାନ ଧାରଣାରେ ରହି
ଅକର୍ମା ପାଲଟି ଯେ ଚିନ୍ତେ ବିଭୁ
କେବଳ ତାହାର ପ୍ରାପ୍ତ ବଇକୁଣ୍ଠ
ଭବ ନରକରୁ ଉଦ୍ଧାରି ପ୍ରଭୁ ।
ଲୀଳାମୟ ହରି ଲୀଳା ରଚିଥାନ୍ତି
ପରମାତ୍ମା ରୂପୀ ହଂସଟେ ହୋଇ
ଆନ ହଂସ ରୂପେ ଖେଳଇ ଜୀବାତ୍ମା
ଏହା ପରା ହଂସ ତତ୍ତ୍ବ ଅଟଇ ।।
