ହଁ ନାଁ ର ଏକ ମିଛ ସମ୍ପର୍କ
ହଁ ନାଁ ର ଏକ ମିଛ ସମ୍ପର୍କ
ସତରେ ' ନା ' ମିଛରେ ' ହଁ ' କହିବାକୁ
ଦୁନିଆଁରେ ଅଛନ୍ତି ଲୋକ ଶତ ଶତ
ଆଜିର ସତ ମଣିଷ କାଲିକୁ ବଦଳି ଯାଇ
ଭୁଲିଯାଏ ତା' ବିଗତ ଦିନର ସେ ଅତୀତ
ମତରେ ହୁଏ ମତାନ୍ତର ମନରେ ମନାନ୍ତର
ମାନସିକ ଚାପରେ କରେ ତର୍କ ବିତର୍କ
ପ୍ରମାଣିତ ହୁଏ ' ହଁ ' 'ନା 'ର ମିଛ ସମ୍ପର୍କ
ସମ୍ପଦ କାଳରେ ସବୁ ଆତ୍ମୀୟ ଆପଣାର
ବିପଦ ବେଳେ ହୁଅନ୍ତି ଅନେକେ ସାତ ପର
ସମାଜର ଏ ନିତି ଦିନିଆ ବହୁତ ଘଟଣା
ନଜର ପକାଇଲେ ସବୁ ପଡେ ଜଣା
ସବୁ ଥାଇ ଜାଣି ଜାଣି ହୁଏ ବାଟ ବଣା
ଖୋଜି ବୁଝି ପଚାରୁ ଥାଏ ନିଜର ଠିକଣା
ବଳିର ଛାଗ ମେଷ ପରି ଖାଏ ସେ ହଣା
ସମ୍ଭାଳିବାକୁ ନିଜର ସୁନ୍ଦର ଘର ଘରକରଣା
ସ୍ଵାର୍ଥର ଅଠାରେ ସେ ରହିଥାଏ ଜଡ଼ିତ
ଜଡ଼ା ତେଲ ମେଣ୍ଢା ବାଳ ପ୍ରାୟେ ହୋଇ
ବିବେକ ବିଚାରକୁ ଦିଏ ତାର ଶୂନ୍ୟ କରି
ନିଜ ପାଇଁ ନିଜେ ବଞ୍ଚେ ଅହଂ ଦେଖାଇ
ପିଲାଟି ଦିନରୁ ଦେଖୁଥିବେ ଏ ସବୁ ଦୃଶ୍ୟ
ପଢା ବହି ପୁରାଣ ଇତିହାସରେ ବି ରହିଛି
ଏ ଭଳି ଚିତ୍ର ଚରିତ୍ର ଅସଂଖ୍ୟ ବେହିସାବ
ଦେଖି ଶୁଣି ଅନୁଭବ କରି ବି ମଣିଷ
ବଦଳାଏ ନାହିଁ ତା'ର ନୀଚ୍ଚ ମନୋଭାବ
ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ହୁଏ ମହଙ୍ଗା
ସଂଗଠିତ ସଂସ୍କୃତି ପରମ୍ପରା ହୁଏ ଭଙ୍ଗା
କଥା କଥାରେ ହୁଏ ଫୌଜଦାରୀ ଦଙ୍ଗା
ହୃଦୟ ପାଲଟେ ଅସ୍ଵଚ୍ଛ ମଳିନ ଗଙ୍ଗା
ଆଦର୍ଶ ମହତ ଜନଙ୍କ ଫୋଟ ହୁଏ ଟଙ୍ଗା
ନୀତିବାଣୀ ତାଙ୍କର ନ ମାନି ନ ପାଳି
ନିଜ ନିଜର ସ୍ବାର୍ଥ ପାଇଁ ଦେଖାନ୍ତି ଠେଙ୍ଗା
' ହଁ ' ' ନା ' ର ସମ୍ପର୍କ ସବୁ ହୁଏ ମିଛ
ଭାବନ୍ତି ନାହିଁ କେବେ କିଛି ଆଗ କି ପଛ
ଏମିତି କରୁ କରୁ ଜୀବନ ବି ହୁଏ ଶେଷ
ଗଲାବେଳକୁ ବି ମନରେ ଥାଏ ଅବଶୋଷ
ସଂସାରଟା ଲାଗେ ହଁ ନା' ର ମିଛ ସମ୍ପର୍କ
ତରି ଯାଏ ସିଏ ଥାଏ ଯିଏ ସଦା ସତର୍କ।
