ହଜିଯିବି ତୁମ ପ୍ରେମରେ
ହଜିଯିବି ତୁମ ପ୍ରେମରେ
ଦୁନିଆଁର ଯେତେ ଦୁଃଖ କ୍ଳେଶକୁ ବରଜି
ଏ ଉଡ଼ା ମନ ସୁଖ ଶାନ୍ତି ଖୋଜି ଖୋଜି,
ମୋହିତ ହୁଏ ସେ ଯେଉଁଠି ରହିଥାଏ ମଜି
ସେଇଠି ନିଜ ଅଜାଣତରେ ଯାଏ ହଜି।
ସେଇ ତ ପ୍ରକୃତ ପ୍ରେମ ସୁଧା ସମ ଅନୁପମ
ତଉଲି ତାକୁ କୁହନ୍ତି ସର୍ବେ ସେ ଅସୀମ,
ପ୍ରେମ ମନ ଉପବନେ ସୁବାସିତ କୁସୁମ
ଜୀବନକୁ ଗଢ଼ି ତୋଳେ କରି ସର୍ବୋତ୍ତମ।
ପାହିଲେ ରଜନୀ ଅନ୍ଧାର ଉଇଁ ଆସେ ତରଣି
ତାର ଆଭାର ପ୍ରଭାରେ ହସଇ ଧରଣୀ,
ନବ ରୂପ ଲାବଣ୍ୟେ ସଜ ହୁଏ ପ୍ରକୃତିରାଣୀ
ଭାବୁକ ଜନର ମାନସକୁ ଯାଏ ସେ ଜିଣି।
ଉତ୍କଣ୍ଠିତ ଆଶାୟୀ ପ୍ରାଣର ଆବେଗରେ
ମୁଗ୍ଧ ହୋଇ ସ୍ତବ୍ଧ ହୁଏ ରହେ ଏକ ଧ୍ୟାନରେ,
ଭଲପାଇ ମିଶି ଯିବାକୁ ଏକ କେନ୍ଦ୍ରବିନ୍ଦୁରେ
ନୀରବେ ଭାବେ ମୁଁ ହଜିଯିବି ତୁମ ପ୍ରେମରେ।
ପ୍ରେମର ମଧୁର ବନ୍ଧନେ ବନ୍ଧା ସାରା ଜଗତ
ଯିଏ ଯାହାର ତା' ପାଇଁ ସେ ଉତ୍ସର୍ଗୀକୃତ,
ହୃଦୟର ଏ ପବିତ୍ର ଭାବ କରେ ଆକର୍ଷିତ
ଆତ୍ମା ଆତ୍ମାର ସ୍ଵୀକୃତିରେ ହୁଏ ଅନୁବନ୍ଧିତ।
ଆକାଶ ପୃଥିବୀ ଦିଗବଳୟରେ ଥା'ନ୍ତି ମିଶି
ବେନିଙ୍କ ପ୍ରେମରେ ବରଷା ପଡ଼େ ବରଷି,
ବସୁଧା କୋଳେ ଶସ୍ୟ ଶ୍ୟାମଳ ଉଠଇ ହସି
ପ୍ରାଣୀଜଗତ ଇଚ୍ଛା ପୂରଣେ ହୁଅନ୍ତି ଖୁସି।
ଫୁଲ ପାଖକୁ ଭଅଁର ଆସେ ଗୀତ ଗାଇ ଗାଇ
ଶୁଭ ମିଳନରେ ତୃପ୍ତ ହୁଏ ସେ ମଧୁରସ ପିଇ,
କଳାମେଘ ଦେଖି ନାଚନ୍ତି ମୟୂର ମୟୂରୀ
ବିଧିର ନିୟମେ ଅଛନ୍ତି ସଭିଏଁ ଛନ୍ଦା ହୋଇ।
ଭଲ ପାଇ ମୁଁ ତୁମକୁ ରଖିଛି ହୃଦୟରେ
ତୁମ ବିନା ଆଉ କିଛି ଆସେନା ଭାବନାରେ,
ତୁମେ ମୋ ଆଶା ସ୍ଵପ୍ନ ସବୁ ଏ ଜୀବନରେ
ଏକାନ୍ତରେ ଚାହେଁ ହଜିଯିବି ତୁମ ପ୍ରେମରେ...।
