ହିରୋ
ହିରୋ
ଅତି ଶରଧାରେ ନାତିଆ ଟୋକାର
ନାମ ଦେଲେ ଅଜା ହିରୋ,
ଦଣ୍ଡେ ନ ଦେଖିଲେ କାହିଁକି କେଜାଣି
ଦେହ ଲାଗେ ଜର ଜର ।
ରାତି ବିଛଣାଟା ଖାଁ ଖାଁ ଲାଗେ
ନଶୁଣିଲେ ହିରୋ ଗପ,
ସତେକି ସେଦିନ ଅଧୁରା ରହିଛି
ଠାକୁର ଘରର ଜପ ।
ବାଳକରୁ ହିରୋ କିଶୋର ହୋଇଲା
ଗପରେ ନଲାଗେ ମନ,
ଘର କୋଣେ ବସି ମୋବାଇଲ ଦେଖି
ଦିନ ପରେ ବିତେ ଦିନ ।
ଦିବସ ରଜନୀ କିଛି ନ ମାନିଲା
ଖେଳେ ମୋବାଇଲ ଖେଳ,
ନୟନ ଦୁଇଟି ନୟାନ୍ତ ହୋଇଣ
ବୁହାଇଲେ ସଦା ଜଳ ।
ଝାପସା ଦିଶିଲା ଅକ୍ଷର ସମୂହ
ନ ପାରିଲା ପଢି ପାଠ,
ଘର କୋଣେ ପଡି ଲୁହ ଗଢାଇଲା
ବଢି ଚାଲିଥିଲା କଷ୍ଟ ।
ବାପା ସଙ୍ଗେ ଗଲା ଡାକ୍ତରଖାନାକୁ
ଦେଖାଇଲା ଆଖି ତାର,
ଡାକ୍ତର କହିଲେ ନୀଳ କିରଣଟା
କରିଅଛି ହରବର ।
ସବୁକଥା ହିରୋ ବୁଝିଗଲା ଏବେ
ମୋବାଇଲ ଖେଳ କାଳ,
ସମୟରେ ସବୁ କରିବ ସେ କାମ
ନଷ୍ଟ ନକରି ବେଳ ।
ଜେଜେ ସଙ୍ଗେ ଗଲା ପ୍ରାତଃ ଭ୍ରମଣରେ
ଦେଖିଲା ସବୁଜ ଦୄଶ୍ୟ,
ପନିପରିବା ସେ ଆନନ୍ଦେ ଖାଇଲା
ମନରେ ନରଖି ରୋଷ ।
ଆଖିର ମହତ୍ତ୍ଵ ବୁଝିଗଲା ହିରୋ
ବେଳୁ ହେଲା ସାବଧାନ,
ଆଖି ଭଲ ହେଲା ପାଠ ସେ ପଢିଲା
ଆନନ୍ଦେ କାଟିଲା ଦିନ ।
