ହେଉଛି ଯା' ମଥା କୋଡ଼ି
ହେଉଛି ଯା' ମଥା କୋଡ଼ି
ଧେ-ତେରିକି ତାଙ୍କୁ ଭେଟିବାକୁ ଆସି
କିସ କିସ ଗଲି କହି ,
ସତ କହୁଥିଲେ ମୁଣ୍ଡରେ ମୋହର
ଗୋବର ଯା' ଅଛି ରହି
ଏତେଦିନ ପରେ ଭେଟ ହେବ ବୋଲି
ଖୁସିରେ ଆସିଲି ଧାଇଁ ,
କେଡ଼େ ସରାଗରେ ଭଳି ଭଳି ଚିଜ
ଆଣିଥିଲେ ସେ ମୋ ପାଇଁ
ତୁଚ୍ଛା କଥାରେ ଯା' ଅଭିମାନ କରି
ଗର ଗର ଖାଲି ହେଲି ,
ଗଲା ଶ୍ରାବଣରୁ ଫଗୁଣ ବିତିଲା
ଆସିଲେନି କିଆଁ ବୋଲି
କେତେ ପରକାରେ ବୁଝେଇଲେ ସିଏ
ପଳେଇଲି ମୁହଁ ମୋଡ଼ି ,
ଏବେ ଖାଲିଟାରେ ସେଇ କଥା ଭାଳି
ହେଉଛି ଯା' ମଥା କୋଡ଼ି
