ହେଉ ଜଗତ କଲ୍ୟାଣ
ହେଉ ଜଗତ କଲ୍ୟାଣ
ଆହେ ଭଗବାନ କରୁଛି ଜଣାଣ
ଶୁଣ ବାରେ ଦେଇ ମନ
ତୁମ ପାଦ ତଳେ ସମର୍ପିଲି ପ୍ରଭୁ
ମୋର ଏ ତୁଚ୍ଛ ଜୀବନ ,
ତୁମେ ତ ଗଢିଛ ସୁନ୍ଦର ଏ ବିଶ୍ଵ
ସରଗ ସୁଷମା ଭରି
ମିଳିମିଶି ପ୍ରଭୁ ରହୁଥିଲେ ସବୁ
ହୃଦେ ତୁମ ନାମ ଧରି ,
ତୁମରି ଆଦେଶେ ଆତ-ଯାତ ହୋଇ
ସୂର୍ଯ୍ୟ ଦିଅନ୍ତି ପ୍ରକାଶ
ଋତୁ ଆସେ ପୁଣି ଋତୁ ଯେ ବଦଳେ
ବଦଳେ ନିଶି ଦିବସ ,
ତୁମେ ପରା ପ୍ରଭୁ ଗଢିଛ ସଂସାର
ଅଟ ବିଶ୍ଵର ନିୟନ୍ତା
ସବୁ ପ୍ରାଣୀଙ୍କର ଭାଗ୍ଯର ଦଉଡ଼ି
ତୁମ ହାତେ ପରା ବନ୍ଧା ,
ତଥାପି କାହିଁକି କୁହ ହେ ମୁରାରୀ
ଭକ୍ତଙ୍କ ଡ଼ାକ ନ ଶୁଣ !
ପାଷାଣର ସମ କର ଅଭିନୟ
କାହିଁ ଗଲା ତୁମ ମନ !
ତୁମେ ଗଢିଥିଲ ଏ ବିଶ୍ଵ ବ୍ରହ୍ମାଣ୍ଡ
ସ୍ନେହ ପ୍ରେମ ଭାବ ନେଇ
ଏବେ ଦେଖ ପ୍ରଭୁ ଏଇ ଦୁନିଆଁରେ
ସ୍ନେହ ପାଇଁ ସ୍ଥାନ ନାହିଁ,
କେମିତି ସହୁଛ ଆହେ ଭଗବାନ
ଦେଖି ଏ ଧରାର ରୂପ
ଅନ୍ତର ତୁମର କାହିଁ ଆନ୍ଦୋଳିତ
ହେଉନାହିଁ ବିଶ୍ଵରୂପ !
ଯେଉଁଠି ଦେଖୁଛି ସେଠି ଖାଲି ଦୁଃଖ
ଈର୍ଷା, ହିଂସା ଅଛି ଭରି
ଆତୁର ନୟନେ ଭକତ ଡ଼ାକୁଛି
ତ୍ରାହି କର ଆହେ ହରି ,
ଆହେ କୃପାସିନ୍ଧୁ ଦୀନ-ଜନ ବନ୍ଧୁ
ହୁଅ ହେ ତୁମ୍ଭେ ସଦୟ
ଦୁଃଖ ଦୂର କର ହେ ଜଗଦୀଶ୍ଵର
ଦୂର ହେଉ ମିଛ ଭୟ
ମୋ ଜୀବନୁ ସବୁ ସୁଖ ଫେଡ଼ି ପ୍ରଭୁ
କର ଜଗତ କଲ୍ୟାଣ
ଶାନ୍ତି-ମୈତ୍ରୀ-ଭକ୍ତି ବିରାଜୁ ଜଗତେ
ହର ସବୁରି କଷଣ
ଶେଫାଳୀର ସମ ଫୁଟି ଝରିଯିବି
କରିବିନି ମନ ଉଣା
ପ୍ରାଣୀଙ୍କର ଦୁଃଖ ହର ପୀତବାସ
ଏତିକି କର କରୁଣା
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କିବା ସହୁ !
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ,
ପ୍ରଜ୍ଜ୍ୱଳିତ ହେଉ ପ୍ରଶାନ୍ତି ପ୍ରଦୀପ
ସବୁରି ହୃଦ ମନ୍ଦିରେ
ମାନବିକତାର ମହନୀୟ ସ୍ପର୍ଶେ
ହିଂସା ଦ୍ଵେଷ ଘୁଞ୍ଚୁ ଦୂରେ ,
ଦୂର ହେଉ ଯେତେ ଯାତନା, କଷଣ
ଦୂର ହେଉ ଭୟ ଭ୍ରାନ୍ତି
ଦୂର ହେଉ ଅମାବାସ୍ୟା ଅନ୍ଧକାର
ଜଳିଉଠୁ ଦିବ୍ୟ ଜ୍ୟୋତି ।