STORYMIRROR

DILIP KUMAR SAHOO

Drama

4  

DILIP KUMAR SAHOO

Drama

ହେରାପଞ୍ଚମୀ

ହେରାପଞ୍ଚମୀ

2 mins
389


ହେରାପଞ୍ଚମୀ ର ରାତିଲୋ

ବିରହିଣୀ ମାଆ ଲକ୍ଷ୍ମୀ ଲୋ ।

ପ୍ରଭୁଙ୍କର ବାଟ ଚାହିଁ ଲୋ

ପାଞ୍ଚ ଦିନ ଯାଏ ବିତିଲୋ ।

ପାଞ୍ଚ ଯୁଗ ପରି ଲାଗଇ

କାହିଁରେ ମନ‌ନ ବୁଝଇ।

ବିମଳା ଙ୍କୁ ଲକ୍ଷ୍ମୀ ଭେଟନ୍ତି

ମନ କଥା ତାଙ୍କ କୁହନ୍ତି।

ବିମଳା ଯେ ସବୁ ଶୁଣନ୍ତି

ମୋହ ଚୂର୍ଣ୍ଣ ସେତ ଦିଅନ୍ତି।

ପ୍ରଭୁଙ୍କୁ ମୋହିବା କଥାଲୋ

ବୁଝେଇ କୁହନ୍ତି କାନେଲୋ ।।


ପ୍ରଭୁ ଯେବେ ରଥେ ଯାଆନ୍ତି

ଭଣ୍ଡାର ଘରେ ମା ରୁହନ୍ତି।

ସନ୍ଧ୍ୟା ଆଳତି ସରିଲେ ତ

ପାଳିଆ ମହାଜନ ସେତ,

ମାଆଙ୍କୁ ଯେ ବେଶ କରନ୍ତି

ପାଟ ଶାଢ଼ୀ ପିନ୍ଧାଇଥାନ୍ତି।

ଫୁଲମାଳ ଗଳେ ଝୁଲାନ୍ତି 

ଅଳଙ୍କାରେ ନାଇଦିଅନ୍ତି ।

ବେଶ ପରେ ହୁଏ ଆଳତି

ବନ୍ଦାପନା ମଙ୍ଗଳ ଗୀତି

ପନ୍ଥି ଭୋଗ ଲାଗି ହୁଏଲୋ

ପୁଷ୍ପାଞ୍ଜଳି ସମର୍ପଣ ଲୋ।।


କଳ୍ପ ବଟ ମୂଳେ ବିମାନ 

ସଜ ହୋଇ ଥାଏ ଟି ଜାଣ।

ମହାଜନେ ମାଆଙ୍କୁ ନେଇ

ବିମାନ ରେ ବସାନ୍ତି ଯାଇ ।

ବିମାନ ବଡୁ ସେବକେତ

ପାଲିଙ୍କି ବୋହି ନିଅନ୍ତି ତ।

ବାଜେ ବାଜା ବାଜେ କାହାଳୀ

ମସାଲିଆ ମସାଲ ଜାଳି,

ଆଗେ ଆଗେ ସେତ ଯାଆନ୍ତି

ବିମାନ କୁ ବାଟ କଢାନ୍ତି।

ବାଇଶି ପାହାଚେ ବିମାନ 

ଆହାକି ସୁନ୍ଦର ଶୋଭାବନ।


ସିଂହ ଦ୍ୱାର ଦେଇ ବିମାନ

ବଡ଼ଦାଣ୍ଡେ କରେ ଗମନ।

ମାଆଙ୍କର ଦର୍ଶନ ପାଇଁ 

ଭକ୍ତ ମାନେ ଥାଆନ୍ତି ଚାହିଁ।

ଗହଳୀ ଲାଗେ ବଡ଼ ଦାଣ୍ଡେ

ମାଆ ମାଆ ସବୁରି ତୁଣ୍ଡେ।

ମାଆଙ୍କର କରୁଣା କଣା

ପାଇବାକୁ ଭକତେ ବଣା।

ଦୟାକଲେ କରୁଣାମୟୀ

ଅଭାବ ଯେ ଯାଏ ଦୂରେଇ।

ଭକ୍ତେ ଜଣାନ୍ତି ମନ କଥା

ଦୂର ହେବାକୁ ପ୍ରାଣ ବ୍ୟଥା ।


ଦୟାମୟୀ ଦୁଃଖ ହାରିଣୀ

ଭକତଙ୍କ ମନକୁ ଜାଣି,

ବାଟରେ ସେ ଅଟକିଥାନ୍ତି

ପନ୍ଥି ଭୋଗ ଲାଗି ହୁଅନ୍ତି।

ଧୂପଦୀପ ରେ ବନ୍ଦାପନା

ଫୁଲ ଚନ୍ଦନେ ଅରଚନା।

ବଡ଼ଦାଣ୍ଡରେ ରହିରହି

ଭୋଗ ନୈବେଦ୍ୟ ପାଇପାଇ,

ଖୋଜିଖୋଜି ପ୍ରଭୁଙ୍କ ରଥ

ଅତିକ୍ରମ କରନ୍ତି ପଥ।

ସ୍ନେହ ଶ୍ରଦ୍ଧା ର ରଙ୍ଗ ବୋଳି

ବିମାନ ଚଳେ ଢଳିଢଳି।


ଗୁଣ୍ଡିଚା ମନ୍ଦିର ଆଗେ ସେତ

ଶରଧାବାଲି ରେ ତିନି ରଥ,

ମାଆ ଦେଖି ଖୁସି ହୁଅନ୍ତି

ପ୍ରଭୁ ନିଶ୍ଚେ ତହିଁ ଅଛନ୍ତି।

ନନ୍ଦିଘୋଷ ପାସେ ଚଳନ୍ତି

ରଥ ପାସେ ଅଟକିଥାନ୍ତି।

ପତିମହାପାତ୍ରେ ଆସନ୍ତି

ପୂଜା ବନ୍ଦାପନା କରନ୍ତି।

ଦହି ପଟି ଭୋଗ ଲାଗଇ

ଆଳତୀ ଅର୍ପଣ ହୁଅଇ ।

ମହାଲକ୍ଷ୍ମୀ ରଥ ପୁଜନ୍ତି

ଗୁଣ୍ଡିଚା ଘରେ ପ୍ରବେଶନ୍ତି।


ସିଂହଦ୍ଵାର ଦେଇ ଯାଆନ୍ତି

ମନ୍ଦିର ମଧ୍ୟରେ ଦେଖନ୍ତି,

ପ୍ରଭୁଙ୍କ ର ଧୂପ ଲାଗିଛି

ଆଗରେ ତ ଟେରା ପଡ଼ିଛି।

ମାଆ ତ ଅଟକି ରୁହନ୍ତି

ପ୍ରଭୁଙ୍କୁ ଦେଖି ନପାରନ୍ତି।

ରାଗ ଅଭିମାନ ମନରେ

ସିଞ୍ଚି ତହିଁ ମୋହ ଚୂର୍ଣ୍ଣ ରେ,

ମନ୍ଦିରୁ ବାହାର ହୁଅନ୍ତି

କପାଳକୁ ତାଙ୍କ ନିନ୍ଦନ୍ତି।

ନାକଚଣା ଦ୍ଵାର ଦେଇଟି

ବେଢ଼ା ବାହାରକୁ ଆସନ୍ତି।।


ମାଆଙ୍କ ନିରାଶ କଥାଟି

ମହାପ୍ରଭୁ ଜାଣି ପାରନ୍ତି।

ଲୋକମାତାଙ୍କୁ ଲୋକପାଳ

ଅଧର ଛୁଆଁ ଆଜ୍ଞାମାଳ,

ସେବକଙ୍କ ହାତେ ପଠାନ୍ତି

ମାଆ ଯେ ଯେବେ ପାଇଥାନ୍ତି,

ନାକଚଣା ଦ୍ଵାର ଆଗେଟି

ଦଣ୍ଡେ ମାଆ ଅଟକିଥାନ୍ତି।

ଆଜ୍ଞା ମାଳ ଘେନା କରନ୍ତି

ଆଳତୀ ଅର୍ପଣ ହୋଇଥାନ୍ତି।

ପୂଜା ଅର୍ଚ୍ଚନା ବନ୍ଦାପନା

ଫେରନ୍ତି ହୋଇ ଆନମନା।।


ପୁଣି ନନ୍ଦିଘୋଷ ପାଖରେ

ପହଞ୍ଚନ୍ତି ମାଆ ରାଗରେ।

ରଥଚକରୁ ଭାଙ୍ଗି କାଠ

ଧରନ୍ତି ଫେରିବାର ପଥ ।

ମସାଲ ଦିଅନ୍ତି ଲିଭାଇ

ବାଜା ବାଜଣା ବାଜେ ନାହିଁ।

ଅନ୍ଧାରେ ଅନ୍ଧାରେ ଚାଲନ୍ତି

ବଡ଼ଦାଣ୍ଡରେ ନ ଯାଆନ୍ତି।

ହେରାଗଉରୀ ସାହି ଦେଇ

ଫେରନ୍ତି ତମତମ ହୋଇ।

ଶ୍ରୀମନ୍ଦିରେ ପ୍ରବେଶିଥାନ୍ତି

ପ୍ରଭୁ ତେଣେ ଦୁଃଖ କରନ୍ତି ।।


ମୋହ ଚୂର୍ଣ୍ଣ ରେ ବସ ହୋଇ

ଶ୍ରୀମନ୍ଦିରେ ଫେରିବା ପାଇଁ,

ସଜବାଜ ପ୍ରଭୁ ହୁଅନ୍ତି

ଗୁପ୍ତ ରାସ ଅନ୍ତ କରନ୍ତି।

ହେରାପଞ୍ଚମୀ ପରଦିନ

ଶରଧାବାଲି ରେ ରଥମାନ,

ଦକ୍ଷିଣ ମୋଡ଼ ଯେ ହୁଅନ୍ତି

ଶ୍ରୀମନ୍ଦିର କୁ ମୁହଁ କରନ୍ତି।

ବାହୁଡ଼ା ଦଶମୀ ଦିନଟି

ଲିଳା ତାଙ୍କ ଶେଷ କରିଟି,

ସିଂହ ଦ୍ବାରେ ଦିଅଁ ଫେରନ୍ତି

ମାଆଙ୍କର ମାନ ଭାଙ୍ଗନ୍ତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama