STORYMIRROR

kahnu charan sahu

Fantasy

4  

kahnu charan sahu

Fantasy

ହେ ସମାଜ !

ହେ ସମାଜ !

1 min
288

ତମେ ମୋର ବୋଲି

ଦୁନିଆ ଆଗରେ ପରିଚୟ ଦେବାକୁ

ଯେବେ ଅଗ୍ନି ପରୀକ୍ଷା କରାଏ

ଶ୍ରେଷ୍ଠତାର ପ୍ରମାଣ ପତ୍ରରେ

ଚିରଦିନ ମୁଁ କଳଙ୍କିତ ହେଇ ରହିଯାଏ

ପ୍ରଜାପାଳନ କର୍ତ୍ତବ୍ୟରୁ ବଞ୍ଚିତ ହୁଏ ।


ଶାଶ୍ୱତ ପ୍ରେମକୁ 

ତେଜ୍ୟପୁତ୍ର କରିଦେଇ

ଚଉଦ ବର୍ଷ ପ୍ରିୟତମା ମୁଖ ନ ଚାହିଁ

ବନେ ବାସ କରେ,

ତଥାପି ଏ ଦୁନିଆ ବୁଝେନି

ହୃଦୟରେ ଚାପି ଦେଇଥିବା ପ୍ରେମ ।


ଭଗ୍ନୀର ମାନ, ଅଭିମାନ

ଇଚ୍ଛା, ଅନିଚ୍ଛାକୁ 

ନିଜର ସର୍ଵସ୍ୱ ମଣେ ବୋଲି

ଜ୍ଞାନୀରୁ ଅଜ୍ଞାନ ବୋଲାଏ

ଦୁନିଆ ଆଗରେ 

ପ୍ରତି ବର୍ଷ ରାବଣ ହେଇ ଜଳୁଥାଏ ।


ଭଉଣୀର ଦୁଃଖ, କଷ୍ଟ, ଅପମାନ, ଇଜ୍ଜତ 

କଦାପି ଦେଖି ପାରେନି ବୋଲି

କନା ଖଣ୍ଡେ ବଦଳରେ, 

ସହସ୍ର ବସ୍ତ୍ର ଦାନ କରେ ।


ସର୍ବଶକ୍ତିମାନ ହେଇ

ରାଜସଭାରେ ମୁଁ ଲଜ୍ଜିତ ହୁଏ

ପରିଚୟ ହରାଏ

ଗୁରୁଙ୍କ ଠାରୁ ଅଭିଶାପ ପାଏ,

ବନ୍ଧୁତ୍ୱର ରକ୍ଷା ପାଇଁ ଅଧର୍ମ ପଥ ବାଛି ନିଏ ।


ଆହୁରି ଅନେକ ମୋର ଚରିତ୍ର ଅଛି

ଇତିହାସରୁ ଆଧୁନିକ ଯାଏଁ

ସ୍ୱର୍ଗୀୟ ପ୍ରେମକୁ ଆପଣାର ଭାବେ ବୋଲି

ଘୃଣ୍ୟ ପ୍ରେମିକ ବୋଲାଏ,

ଘରକୁ ସ୍ୱର୍ଗ ମଣିବାର ନିଶାରେ ମୁଁ ଜଳିପୋଡି 

ଛାରଖାର ହେଇଯାଏ ।


ମୁଁ ପୁରାଣ ବର୍ଣ୍ଣିତ ରାମ, ଲକ୍ଷ୍ମଣ, କୃଷ୍ଣ, କର୍ଣ୍ଣ, ରାବଣ

ଆଧୁନିକ ଦୁନିଆର ସୁଶାନ୍ତ, ବିକ୍ରମ, 

ଟ୍ୟାକ୍ସି ଡ୍ରାଇଭର, ଏସିଏଫ ସୌମ୍ୟ ରଞ୍ଜନ

ଆହୁରି ଅନେକ ନାଆଁ ଅଛି ଇତିହାସରେ,

ମୋ ପ୍ରେମ, ମୋ କର୍ତ୍ତବ୍ୟ ଆଜିବି ଶ୍ରୀହୀନ !

ମୁଁ ଘର ବାହାରେ ଷଣ୍ଢ କିନ୍ତୁ 

ଦରଦକୁ ସାଇତି ପାରେନି ଛପନ ଇଞ୍ଚର ଛାତିରେ

କାନ୍ଦିବାକୁ ବାଛି ନିଏ ଘର କୋଣ ।


ହାତ ଗଣତି କେଇ ରାକ୍ଷସଙ୍କ ପାଇଁ 

ସଦା ମୁଁ ଲଜ୍ଜିତ, ଧର୍ଷିତ, ବେଇମାନ, ଲୁଣ୍ଠିତ

ମୋତେ ନାଇବାକୁ ହୁଏ ବିଜୟ ମଥାରେ କଳଙ୍କର ଦାଗ

ଘରେ ବାହାରେ ସବୁଠାରେ ଅନ୍ୟକୁ ସାହାଯ୍ୟ କରୁ କରୁ

ମୋତେ ବିନା କାରଣେ ବନେଇଦିଆ ଯାଏ ଦୋଷୀ

ନା ନ୍ୟାୟ ଦେଇପାରେ ନ୍ୟାୟାଳୟ, ନା ବୁଝିପାରେ କେହି 

ମୁଁ ବଞ୍ଚୁଥାଏ ଜଣେ ପିତା, ସ୍ୱାମୀ, ପ୍ରେମିକ ଓ ଭାଇର ପରିଚୟ ନେଇ,

ହେ ସମାଜ! କେବେ ମୋତେ ବୁଝିବାକୁ ଚେଷ୍ଟାକର

ମୁଁ ମାଗେ ନାହିଁ କେବେ ଅଧିକା ଅଧିକାର

ମୋ ପାଇଁ ସ୍ୱର୍ଗ ମୋ ସୁଖୀ ପରିବାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy