STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

ହେ ଶୃଙ୍ଖଳା

ହେ ଶୃଙ୍ଖଳା

1 min
176

          

ହେ ଶୃଙ୍ଖଳା ! ତୁମେ ଜୀବନର ଏକ ବ୍ରତ 

ତୁମକୁ କରୁଛି ଅନ୍ତରରୁ ବିନମ୍ର ଅନୁରୋଧ 

ପ୍ରତିଟି ହୃଦୟ ଭିତରକୁ ତୁମେ କର ପ୍ରବେଶ 

ତୁମ ବିନା ଆଜି ପତନମୁଖୀ ଏ ସମାଜ,

ମଣିଷର ମନ ହୃଦୟରୁ ମଶାଣିର ଜୁଇ ଯାଏଁ 

ଘର ପରିବାରରୁ ସମଗ୍ର ପ୍ରକୃତି ପୁରୁଷ ପର୍ଯ୍ୟନ୍ତ 

ଯେଉଁଠି ତୁମେ ନାହିଁ ସେଠି କିଛି ନାହିଁ 

ନା ଅଛି ଜୀବନ ନା ଅଛି ଜୀବିକାର ଆନନ୍ଦ, 

କେବଳ ଅଛି ମାତ୍ର ବଞ୍ଚିବାର ପ୍ରବଞ୍ଚନା 

ଏ ମଣିଷ କାଠଗଣ୍ଡି ସମ ଏକ ଶରୀର ନେଇ 

ସ୍ଵେଚ୍ଛାଚାରିତାରେ କରି ଚାଲିଛି ତାର ଅବକ୍ଷୟ।

ହେ ଶୃଙ୍ଖଳା ! ତୁମେ ଶାନ୍ତି ସନ୍ତୋଷର ଚାବି 

ତୁମେ ଥିଲେ ପାଶେ ଖୋଲିଦେଇ ଜ୍ଞାନର ଭଣ୍ଡାର 

ହସ ଖୁସି ସବୁ ନେଇ ଆସ ଫଗୁଣର ରଙ୍ଗ ଭରି 

ଜୀବନର ଯେତେ ଆଶା ଆକାଂକ୍ଷା ଅଭିପ୍ସା 

ସମୁଦ୍ରର ଲହରୀ ଭଳି ମାଡି ଆସି ଛୁଇଁ ଯାନ୍ତି 

ସାର୍ଥକତାରେ ସଫଳତାର ବେଳାଭୂମିକୁ, 

ତୁମେ ସମୟ ସୁବିଧାର ହୋଇ ଅଗ୍ରଦୂତ 

ଦିଅ ସଭିଙ୍କୁ ଆବଶ୍ୟକତା ଅନୁଯାୟୀ ପରାମର୍ଶ 

ହୋଇ ପୁଣି ପଥପ୍ରଦର୍ଶକ ଦେଖାଅ ମାର୍ଗ 

ତୁମେ ଜୀବନ ଗଢିବାର ଅସରନ୍ତି ଇନ୍ଧନର ଉତ୍ସ,

ଅସଜଡାକୁ ସଜାଡି ଦିଅ କରି ସର୍ବାଙ୍ଗ ସୁନ୍ଦର 

ହାତ ଧରି ଆଲୋକକୁ ନେଇ ଯାଅ ଆଶ୍ରିତଙ୍କର 

ତୁମେ ସଖା ଭାଇ ବନ୍ଧୁ କୁଟୁମ୍ବର ସଦସ୍ୟ ପରି 

ସଦା କଲ୍ୟାଣ କାମନା କରି ଦିଅ ଆଶୀର୍ବାଦ।

ହେ ଶୃଙ୍ଖଳା ! ତୁମେ ଜୀବନର ଆବାହନୀ ମନ୍ତ୍ର 

ତୁମକୁ ବିନତି କରେ ମନ ହୃଦୟ ଆତ୍ମାରୁ 

ଏ ମଣିଷ ଜାତିକୁ ଦିଅ ଅଭୟ କର ନିର୍ଭୟ 

ହଟି ଯାଉ ତୁମ ସାନ୍ନିଧ୍ୟରେ ଧରାରୁ ଆତଙ୍କରାଜ

ଚାଲିଯାଉ ଦୂରେ ସବୁରି ମନରୁ ହିଂସାଭାବ,

ଲେସ ମାତ୍ର ନ ରହୁ ଛଳନା ପ୍ରତାରଣା ପ୍ରହସନ 

କାଚ ପରି କରିଦିଅ ସ୍ବଚ୍ଛ ସୁନ୍ଦର ପ୍ରତିଟି ହୃଦୟ 

ମଣିଷ ମଣିଷକୁ ଭଲପାଉ ମଣିଷଟିଏ ହୋଇ 

ଏ ପରିବେଶ ଜୀବଜଗତର ନେଉ ସଠିକ ଯତ୍ନ 

ବିନିଯୋଗ କରି ତାର ସବୁ ଜ୍ଞାନ ବୁଦ୍ଧି ବିବେକ,

କାହା ପାଇଁ ଆଉ ଲୋଡା ହେବନାହିଁ ସ୍ବର୍ଗ 

ଏ ବସୁନ୍ଧରା ହେବ ସ୍ନେହ ପ୍ରେମ ଶ୍ରଦ୍ଧା ମମତାର

ନ ରହିବ କିଛି ପାପ ଶଙ୍କା ସନ୍ଦେହ ଅବିଶ୍ୱାସ 

କେବଳ ଅମର ହୋଇ ରହିଥିବ ଆତ୍ମୀୟତା। 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract