STORYMIRROR

SARATA KUMAR DAS

Inspirational

0.2  

SARATA KUMAR DAS

Inspirational

ହେ ମୋର କଲମ !

ହେ ମୋର କଲମ !

1 min
28K



ହେ ମୋର କଲମ ! ହୃଦୟ ସ୍ପନ୍ଦନ

ଚିର ବିପ୍ଳବର ସ୍ବର

ଅସି ଠାରୁ ତୁମେ ଶକ୍ତିଶାଳୀ ବୀର

ବୀର୍ଯ୍ୟ ଶୌର୍ଯ୍ୟ ଜ୍ୟୋତି ଧାର ।।


ବିକ୍ଷିପ୍ତ ଆଲୋକ ବହ୍ନି ପ୍ରଜ୍ବଳିତ

ତମିସ୍ରା ବଳୟ ଘେରେ

ତୁମ ଭଳି ବନ୍ଧୁ ପାଖେ ଥିଲେ ମୋର

ମୁକ୍ତାର ବରଷା ଝରେ ।।


ଫୁଟାଇଛ କେତେ ରକ୍ତ ପ୍ରଭାତ

ଚୀରି ଅନ୍ଧାର ରାତି

ତୁମରି ସ୍ବରରେ ଝଂକାର ତୋଳିଛି

ମାନବିକତାର ପ୍ରୀତି ।।


ଚୂର୍ଣ୍ଣ ହୋଇଛି ଦର୍ପ ଦାବାନଳ

ଭଗ୍ନହୋଇଛି ଶୃଙ୍ଖଳ

ଗର୍ବ ଅହଙ୍କାର ଜୁଇରେ ଜଳିଛି

ଫୁଟିଛି ନୀଳ କମଳ ।।


ସାମ୍ୟ ର ଝଲକ ମୁକ୍ତି ର ସ୍ତବକ

ଭାତୃତ୍ବ ର ଆବାହନୀ

ଜାଗୃତିର ବାର୍ତ୍ତା ଗୁଂଜରିତ କର

ଝରୁ ପ୍ରେମ ନିର୍ଝରିଣୀ ।।


ଶାନ୍ତିର ମହକ ମୈତ୍ରୀର ସଂଗୀତ

ଭେଦୁ ଧରଣୀର ବକ୍ଷ

ତୁମ ଜୟ ଯାତ୍ରା ବ୍ୟାପୁ ଚଉଦିଗ

ପଥ ଯେତେ ପଛେ ରୁକ୍ଷ ।।


ଶୋଷଣ କଷଣ ଅନ୍ୟାୟ ଅନୀତି

ଯେତେ କଳଙ୍କିତ ଛବି

ଦୂରକର ତୁମେ ଅନ୍ଧ ଅହମିକା

ଝଲସୁ ବିବେକ ରବି ।।


ସୁପ୍ତ ଚେତନା ଉତଥିତ କର

ଜାଗ୍ରତ ହେଉ ଜାତି

ଜୀବନର ବୀଣା ମଧୁର ରାଗିଣୀ

ଗାଉ ଅମୃତ ର ଗୀତି ।।


ହେ ମୋର କଲମ ! ଚିର ସହଚର

ଚର୍ ଚର୍ ଚାଲ ଥରେ

ଆସୁ ଯେତେ ଝଡ ଅନ୍ଧକାର ମାଡି

ଥକିଯିବ ନାହିଁ ବାରେ ।।


ଚିର ସ୍ମରଣୀୟ ସଖା ସହୋଦର

ବିଜନ ବେଳାର ସାଥୀ

ସୃଷ୍ଟି ତୁମେ ପୁଣି ସ୍ରଷ୍ଟା ଚିରନ୍ତନ

କଣ୍ଟକିତ ପଥ ଯାତ୍ରୀ ।।

-----------------

ଶରତ କୁମାର ଦାସ,ବଡବିଲ ମହାବିଦ୍ୟାଳୟ ବଡବିଲ ।


Rate this content
Log in

Similar oriya poem from Inspirational