ହେ ମଣିମା
ହେ ମଣିମା
ସ୍ଥିର ହୋଇ ପ୍ରଭୁ ସବୁ ତ ଦେଖୁଛ
ଶୁଣୁଛ ବି ଦୁଇ କାନେ
କିମ୍ପାଇ ଠାକୁର ମଉନେ ବସିଛ
ସମୟର ଆବାହନେ ।
ପାପୀ, ତପି ସବୁ ପାପ ପୁଣ୍ୟ ରାହ
ବିଚାରନ୍ତି ନିଜ ମତେ
ଈଶ୍ୱର ତ ଏକ ଅଭିନ୍ନ ରୂପରେ
ଦିଶଇ କେମନ୍ତେ ସତେ ।
ବିଶ୍ଵାସ ନିଃଶ୍ୱାସ ସବୁଠୁଁ ଉର୍ଦ୍ଧ୍ୱରେ
ପରମ୍ ବ୍ରହ୍ମ ଅଟନ୍ତି
ଯାହାଠାବେ ତାଙ୍କ ଇଚ୍ଛା ଅନୁଯାୟୀ
ସେଠାବେ ସେ ପ୍ରକଟନ୍ତି ।
ସେ ଭାବକୁ ଯିଏ ଅନୁଭବୀ ଛନ୍ତି
ସେ ତ ପୁରାଣ ପୁରୁଷ
ସେ ପୁରାଣ ଭାବକୁ ଯିଏ ପ୍ରକାଶଇ
ସେ ପୁଣ୍ୟ ହୃଦ ମଣିଷ ।
ମୁଁ ତ ଅକିଞ୍ଚନ ଭାବ ଭକ୍ତି ହୀନ
ସୌଭାଗ୍ୟ ଆହ୍ଲାଦ ବଳେ
ଯୋଡ଼ି ବେନି ହସ୍ତ ଶରଣ ପଶୁଛି
ପ୍ରଭୁ କୃପା ନେତ୍ର ତଳେ ।
ମୁହିଁ ଯେ ଅଜ୍ଞାନ ବର୍ଣ୍ଣିବା ପୁରାଣ
ନାହିଁ ମୋର ଧ୍ୟାନ ଶକ୍ତି
କେଉଁ ଜନମର ପୁଣ୍ୟ କର୍ମ ବଳେ
ହୃଦୟେ ପ୍ରକାଶେ ଭକ୍ତି ।
ହେ! ମଣିମା ପ୍ରଭୁ କୃପା କରିଥିବ
ତୁମ ଲୀଳା ତୁମେ ଜାଣ
ତୁମ ନାମ ଲେଖି ତୁମ ନାମ ଗାଇ
ଚାଲିଯାଉ ଏହି ପ୍ରାଣ ।
ଦୋଷ କ୍ଷମା କର ପ୍ରଭୁ କୃପା କର
ଦେଖି ପାଏ ମୁହିଁ ତୃପ୍ତି
ତୁମ ମନ୍ଦିରର ପ୍ରବେଶ ଦ୍ଵାରରେ
ମୁକ୍ତି ମାଗେ ଏ' ପ୍ରଣତି ।