ହେ କଳାଠାକୁର
ହେ କଳାଠାକୁର
ହେ କଳାଠାକୁର ବଳିଆର ଭୁଜ
ରତନ ଚିତା ଯେ ଉଠୁଛି ଝଟକି
ଦୟଣାର ଚୂଳ ତୁଳସୀର ମାଳ
ଗଳେ ଲମ୍ବଇ ଫୁଲ ଭଳିଭଳିକି ।
ଶ୍ରୀମୁଖର ଶୋଭା ଅତି ମନଲୋଭା
ଦିଶେ ସତେ କିବା ପୁନେଇଁର ଚାନ୍ଦ
ରଙ୍ଗ ଅଧରରୁ ପଡ଼ୁଅଛି ଝରି
ମନ୍ଦମନ୍ଦ ସେ ତ ହସ ମକରନ୍ଦ ।
କେଡ଼େ ଶୋଭାବନ୍ତ ଦିଶୁଛ ସାମନ୍ତ
ରତ୍ନ ସିଂହାସନେ ବିଜେ ହୋଇକରି
କଞ୍ଜ ବଦନକୁ ଚାହିଁ ଦେଲେ ବାରେ
ମନ ମୋହର ତ ଉଠୁଛି ଶିହରୀ ।
ହେ ନୀଳାଚଳିଆ କହିଦିଅ ଥରେ
ଚାହିଁ ଦିଅ ବାରେ ଚକାନୟନରେ
ତୁଟିବ ସନ୍ଦେହ ମୋ ମନ କନ୍ଦରେ
ନ ରହିବ ଦୁଃଖ ଏହି ଜନମରେ ।
କୋଟି ଭକତର ଆଖି ଲୁହ ଝରେ
ତୋ ଆଖିରେ କେବେ ଝରେ ନାହିଁ ଲୁହ
କାହିଁକି କାଳିଆ ତୋ ଆଖିରେ ଚାହିଁ
ମୋ ଆଖିରେ ବହେ ଲୋତକର ସୁଅ ।
ତୋ ମନ ଗହନେ ଜାଣେ ନାହିଁ ମୁହିଁ
ଭାବୁକିରେ ସଦା ଭକତର ପାଇଁ
ମୋ ମନ ଅନ୍ତରେ ହେ କଳାଠାକୁର
ଭାବୁଥିବି ତୋତେ ଚିରଦିନ ପାଇଁ ।