ହେ କବିତା
ହେ କବିତା
ହେ କବିତା ତୁମେ ମୁଗ୍ଧ ମାନସର ମରମ ଭିତର କଥା,
କେବେ ପ୍ରେମ ପୁଣି ବିଦ୍ରୋହୀ ହୃଦରେ ଜଳନ୍ତା ନିଆଁର ବ୍ୟଥା।
ହେ କବିତା ତୁମେ ନୂଆ ଫଗୁଣର ରଙ୍ଗ ବୋଳା ଦରହାସ,
କେବେ ସେ ନିରବ ଅଧରର ଭାଷା ସ୍ମୃତି ଭିଜା ଇତିହାସ।
ହେ କବିତା ତୁମେ କ୍ଳାନ୍ତ ପଥିକର ସୁଶୀତଳ ପାନ୍ଥଶାଳା,
ନିର୍ଝରିଣୀ ତୁମ ଲିଭାଇ ଦିଏ ଯେ ଶତ ନିଦାଘର ଜ୍ବାଳା।
ହେ କବିତା ତୁମେ ଜ୍ଞାନର ଅସୀମ ଆକାଶର ଛତ୍ର ଛାୟା,
ତୁମେ ଅନୁଭୂତି ଜୀବନ ନଦୀରେ କୂଳ ଖୋଜୁଥିବା ରାହା।
ହେ କବିତା ତୁମେ ଭାବ ମନ୍ଥନରୁ ନିର୍ଗତ ପୀୟୂଷ ଧାରା,
ମୃତ୍ୟୁ ଯାଏ ହାରି ଶୋକ ନିଏ ହରି ଶବ୍ଦ ସଂଜୀବନୀ ଧାରା।
ହେ କବିତା ତୁମେ ଶ୍ରାବଣ ରାତିରେ ମନେ ଜଳୁଥିବା ନିଆଁ,
ଗୋଧୂଳି ସେପାଖେ ହଜି ଯାଇଥିବା ଘନ କୁହୁଡ଼ିର ଧୂଆଁ।
ହେ କବିତା ତୁମେ ବିରହୀ ଆଖିରେ ଲୁହ ଭିଜା ବେଳାଭୂମି,
ପୀଡ଼ିତ ଆଖିରୁ ଝରି ପଡୁଥିବା ବେଦନା ବିଧୁର ଉର୍ମି।
ହେ କବିତା ତୁମେ ରୁକ୍ଷ ସମାଜର କମନୀୟ ପ୍ରତିବିମ୍ବ,
ଅବସାଦ ଭରା ଭଙ୍ଗା ହୃଦୟରେ ଭରି ଦିଅ ତୁମେ ଦମ୍ଭ।
ହେ କବିତା ତୁମେ ସମୟ ପ୍ରାନ୍ତରେ ଋତୁର ରଙ୍ଗୀନ ମେଳା,
ତୁମେ ହସିଦେଲେ ଫଗୁ ଯାଏ ଝରି, କାନ୍ଦିଲେ ଶ୍ରାବଣ ଧାରା।
ହେ କବିତା ତୁମେ ଛନ୍ଦବଦ୍ଧ ଏକ ଜୀବନର ଗୀତା ସାର,
ତୁମେ ହିଁ ଜୀବନ ତୁମ ବିନା ସତେ ଚଉଦିଗ ଅନ୍ଧକାର।
