ହେ ଗୁରୁ ତୁମେ ଚିର ନମସ୍ୟ
ହେ ଗୁରୁ ତୁମେ ଚିର ନମସ୍ୟ
ହେ ଗୁରୁ ! ତୁମେ ବିଜ୍ଞ ପ୍ରଜ୍ଞ ଚିର ନମସ୍ୟ
ଯୁଗେ ଯୁଗେ ତୁମେ ପୂଜ୍ୟ ପ୍ରଣମ୍ୟ
ବନ୍ଦେ ମୁଁ ତୁମ ଚରଣାରବିନ୍ଦେ
ତୁମେ ପଥପ୍ରଦର୍ଶକ ମୁଁ ଜ୍ଞାନାନ୍ଧ ପଥିକ
ଚାଲିବାକୁ ଶକତି ନାହିଁ ମୋ ପାଦେ।
ତୁମେ ଜ୍ଞାନ ଆକାଶର ଏକ ନକ୍ଷତ୍ର
ଜୀପ୍ତିମାନ ଉଜ୍ଜ୍ଵଳ ଜ୍ୟୋତିଷ୍କ ସମ
ତୁମ ଆଲୋକରେ କର ଆଲୋକିତ
ମୋର ଏ ଘୋର ବିପଦେ
କଣ୍ଟକିତ ଦୁର୍ଗମ ଦନ୍ତୁରିତ ଶିଳା
ମୋ ଚାଲିବାର ସୀମାହୀନ ପଥେ ପଥେ
ଚାଲୁ ଚାଲୁ ଝୁଣ୍ଟି ପଡ଼େ ପାଦଛନ୍ଦେ।
ହେ ଗୁରୁ ! ତୁମେ ମହାମନ୍ତ୍ରର ଜ୍ଞାନଶାସ୍ତ୍ର
ତୁମ ମନ୍ତ୍ରରେ କର ମୋତେ ମନ୍ତ୍ରିତ
ରହିଛି ରହିଥିବି ତୁମ ବଶମ୍ଵଦେ
ତୁମ ଶୁଦ୍ଧ ପବିତ୍ର ଜ୍ଞାନଦାନେ
ମୋ କର୍ଣ୍ଣରୁ ପାତକ ହେଉ ଦୂର
ଶୁଣି ତୁମ ଉଚ୍ଚାରଣର ଶବ୍ଦଧ୍ଵନି ପଦେ।
ତୁମେ ଗୁରୁ ନିର୍ମାତା ମୁଁ ଶିଷ୍ୟ ନିର୍ମାଣାଧିନ
ପଥ ମଧ୍ୟେ ପଡିଥିବା ଜଡ଼ କଠିନ ଶିଳା
ମତ୍ତ ସଦା ତର୍କ ବିତର୍କର ବିବାଦେ
ତୁମେ ସତ୍ୟର ଜାଜ୍ଜଲ୍ୟମାନ ପ୍ରତୀକ
ମୁଁ ସତ୍ୟ ଆଢୁଆଳର ଅସ୍ପଷ୍ଟ ଦୃଶ୍ୟ
ରହିଛି ଶଙ୍କା ସନ୍ଦେହର ପ୍ରମାଦେ।
ହେ ଗୁରୁ ! ତୁମେ ଜ୍ଞାନର ଭଣ୍ଡାର
ମୁଁ ଏକ ଫମ୍ପା କଳସ ପ୍ରାୟେ
ଅସ୍ଥିର କର୍କଶ କୋଳାହଳ ଶବଦେ
ତୁମେ ବୁଦ୍ଧିଦାତା ତୁମେ ସିଦ୍ଧିଦାତା
ଦିଅ ମୋତେ ବୁଦ୍ଧି ବିବେକ ବିଚାର
ମନ ମୋର ନ ରହୁ ଭେଦେ ବିଭେଦେ।
ତୁମେ ଫଳପ୍ରଦ ଏକ ଝଙ୍କାଳିଆ ମହାଦ୍ରୁମ
ମୁଁ ଅଙ୍କୁରିତ ବୀଜପତ୍ରୀ ଶିଶୁ ଚାରା
ତୁମ ପ୍ରେରଣାରେ କରେ ମୁଁ ଅନୁସରଣ
ରଖ ନାହିଁ ମୋତେ ଅବସାଦେ
ଯୁଗେ ଯୁଗେ ତୁମେ ପୂଜ୍ୟ ପ୍ରଣମ୍ୟ
ହେ ଗୁରୁ ! ତୁମେ ବିଜ୍ଞ ପ୍ରଜ୍ଞ ଚରି ନମସ୍ୟ
ବନ୍ଦେ ମୁଁ ତୁମ ଚରଣାରବିନ୍ଦେ।