STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ହେ ବର୍ଷା

ହେ ବର୍ଷା

1 min
232


ଆକାଶେ ମୂଦିର ବନରେ ମୟୂର

ସବୁଜ ଘାସ ଗାଲିଚା, 

ପରେ ସାଧବାଣୀ ନାଲି ଗୁଲୁଗୁଲୁ

ସତେକି ସିନ୍ଦୂର ଟିପା;

ପାଦପ ନବ ପଲ୍ଲବ;

ଦିଶୁଛି ସୁନ୍ଦର ପ୍ରକୃତି ରାଣୀ ତା

ରୂପ ବଡ ଅଭିନବ ।


ଅବିଶ୍ରାନ୍ତ ଝଡି ବର୍ଷା ଲଗାଇଛି

ହେଲାଣି ଚିତୋର ବଢୀ,

କେଦାରେ କୃଷକ ରୋଇ ଦେଇ ଅଛି

ତାର ଶାଳି ଶସ୍ୟ ତଳି;

ପିନ୍ଧି ପକ୍ଷିଆ,ତଲାରି;

ବଛା ଖେଳା କାମ କରଇ କ୍ଷେତରେ

ବର୍ଷାକୁ ନାହିଁ ଖାତିରି ।


ଫୁଟିଛି କଦମ୍ଵ ଉଡ଼ିଣ ମଧୂପ

ବଜାଉ ଅଛିକି ବୀଣା,

ଛମଛମ ନାଦେ ସେ ବୀଣା ଶବଦେ

ନୃତ୍ୟ ରତା *ମେଘାଙ୍ଗନା; (*ମେଘାଙ୍ଗନା-ମୌସୁମୀ)

ଡାହୁକ ବଜାଏ ବାଜା;

ଜୀମୂତ ବାହାନେ ତଡିତ ପତାକା

ଫେଇ ଆସେ ମେଘ ରଜା ।


ଟମକ ନିଶାଣ *ଶତକୋଟି ବାଣ (*ଶତକୋଟି-ବଜ୍ର)

ଶବଦେ ଉଛୁଳେ ଧରା,

ମଉସୁମୀ ସଙ୍ଗେ ବରଷା ନୃପତି

ଧରାକୁ ଆସିଲେ ପରା;

ଏ ଋତୁ ଉଦ୍ଭିଦ ମିତ୍ର;

ସରେ ସରୋରୁହ ମରଇ ଅସହ୍ୟ

ବର୍ଷା ଧାରା ଅବିରତ ।


ପ୍ରମ ମୈଥୁନର ଋତୁ ଅସମ୍ଭାଳ

କାମି ହୃଦେ ଫୁଲ ଶର,

ମାରେ କାମଦେବ ଶୀତୁଆ ପବନେ

ମନ ହୁଅଇ ଆତୁର;

ପ୍ରିୟାର ପଣତ କାନୀ;

ଟାଣିଧରେ ପ୍ରେମ ପାଗଳ ପ୍ରେମିକା

ରତୀ ରସେ ପାଗଳିନୀ ।


ବେଙ୍ଗ ହୁଳହୁଳି ଝିଙ୍କାରିର ଝିଇଁ

ବିଜନ ବେଳାକୁ ଭାଙ୍ଗେ,

ଜୁଳୁଜୁଳା ପୋକ ବିସ୍ତାରେ ଆଲୋକ

ସତେ ଆହା କେତେ ରଙ୍ଗେ;

ଏମିତି ୟେ ବର୍ଷା କାଳ;

ଇନ୍ଦ୍ର ଧନୁ ସପ୍ତ ରଙ୍ଗର ତରଙ୍ଗ

ମନ କରଇ ଉତାଳ ।

 



Rate this content
Log in

Similar oriya poem from Fantasy