ହେ ବର୍ଷା
ହେ ବର୍ଷା
ଆକାଶେ ମୂଦିର ବନରେ ମୟୂର
ସବୁଜ ଘାସ ଗାଲିଚା,
ପରେ ସାଧବାଣୀ ନାଲି ଗୁଲୁଗୁଲୁ
ସତେକି ସିନ୍ଦୂର ଟିପା;
ପାଦପ ନବ ପଲ୍ଲବ;
ଦିଶୁଛି ସୁନ୍ଦର ପ୍ରକୃତି ରାଣୀ ତା
ରୂପ ବଡ ଅଭିନବ ।
ଅବିଶ୍ରାନ୍ତ ଝଡି ବର୍ଷା ଲଗାଇଛି
ହେଲାଣି ଚିତୋର ବଢୀ,
କେଦାରେ କୃଷକ ରୋଇ ଦେଇ ଅଛି
ତାର ଶାଳି ଶସ୍ୟ ତଳି;
ପିନ୍ଧି ପକ୍ଷିଆ,ତଲାରି;
ବଛା ଖେଳା କାମ କରଇ କ୍ଷେତରେ
ବର୍ଷାକୁ ନାହିଁ ଖାତିରି ।
ଫୁଟିଛି କଦମ୍ଵ ଉଡ଼ିଣ ମଧୂପ
ବଜାଉ ଅଛିକି ବୀଣା,
ଛମଛମ ନାଦେ ସେ ବୀଣା ଶବଦେ
ନୃତ୍ୟ ରତା *ମେଘାଙ୍ଗନା; (*ମେଘାଙ୍ଗନା-ମୌସୁମୀ)
ଡାହୁକ ବଜାଏ ବାଜା;
ଜୀମୂତ ବାହାନେ ତଡିତ ପତାକା
ଫେଇ ଆସେ ମେଘ ରଜା ।
ଟମକ ନିଶାଣ *ଶତକୋଟି ବାଣ (*ଶତକୋଟି-ବଜ୍ର)
ଶବଦେ ଉଛୁଳେ ଧରା,
ମଉସୁମୀ ସଙ୍ଗେ ବରଷା ନୃପତି
ଧରାକୁ ଆସିଲେ ପରା;
ଏ ଋତୁ ଉଦ୍ଭିଦ ମିତ୍ର;
ସରେ ସରୋରୁହ ମରଇ ଅସହ୍ୟ
ବର୍ଷା ଧାରା ଅବିରତ ।
ପ୍ରମ ମୈଥୁନର ଋତୁ ଅସମ୍ଭାଳ
କାମି ହୃଦେ ଫୁଲ ଶର,
ମାରେ କାମଦେବ ଶୀତୁଆ ପବନେ
ମନ ହୁଅଇ ଆତୁର;
ପ୍ରିୟାର ପଣତ କାନୀ;
ଟାଣିଧରେ ପ୍ରେମ ପାଗଳ ପ୍ରେମିକା
ରତୀ ରସେ ପାଗଳିନୀ ।
ବେଙ୍ଗ ହୁଳହୁଳି ଝିଙ୍କାରିର ଝିଇଁ
ବିଜନ ବେଳାକୁ ଭାଙ୍ଗେ,
ଜୁଳୁଜୁଳା ପୋକ ବିସ୍ତାରେ ଆଲୋକ
ସତେ ଆହା କେତେ ରଙ୍ଗେ;
ଏମିତି ୟେ ବର୍ଷା କାଳ;
ଇନ୍ଦ୍ର ଧନୁ ସପ୍ତ ରଙ୍ଗର ତରଙ୍ଗ
ମନ କରଇ ଉତାଳ ।
