STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ହେ ଭଗବାନ୍ ତୁମେ ଅଛ କେଉଁଠି

ହେ ଭଗବାନ୍ ତୁମେ ଅଛ କେଉଁଠି

2 mins
4

  

ହେ ଭଗବାନ୍ ତୁମେ ଅଛ କେଉଁଠି...

ନିର୍ଦ୍ଦିଷ୍ଟ ଏକ ଠିକଣା ତୁମର ହୁଏନା ଜାଣି

ନାନା ମୁନି ତାଙ୍କ ଅଭିଜ୍ଞତାରୁ ଦିଅନ୍ତି ନାନା ମତ

ନିଜେ ଜଣେ ନ କରିବା ଯାଏଁ ତୁମକୁ ଦର୍ଶନ

ତାର ଅନୁଭବରେ ସେ କିଛିକୁ ମାନେ ନାହିଁ ସତ

ତୁମେ ଏକ ବ୍ରହ୍ମ ଅଦ୍ୱିତୀୟ ଅବ୍ୟୟ ଅକ୍ଷୟ 

ବିଶ୍ଵ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ତୁମେ ସର୍ବମୟ

ଭକତ ଭକ୍ତିଭାବେ ପବିତ୍ର ମନ ପ୍ରାଣରେ ତାର 

ତୁମକୁ ଖୋଜେ ସେ ଯେଉଁଠି ପାଏ ସେଇଠି

ହେ ଭଗବାନ୍ ତୁମେ ଅଛ କେଉଁଠି...

ବାହ୍ୟ ଜଗତେ ସହସ୍ର ସହସ୍ର ସଂଖ୍ୟାରେ 

ରହିଛି ସବୁ ମନ୍ଦିର ସମଜିଦ୍ ଗୀର୍ଜା ଗୁରୁଦ୍ୱାର 

ମହତେ ଯା' ବୁଝାଇଥାନ୍ତି ଇତରେ ତା' କରିଥାନ୍ତି

ଅନେକେ ଠିକ୍ ନ ବୁଝି ହନ୍ତସନ୍ତ ହୁଅନ୍ତି

ତୁମକୁ ପାଇଛି ଯିଏ କହିଲେ ବି ଅନ୍ୟ ଜଣେ

ବିଶ୍ଵାସ କରେ ନାହିଁ...ଭାବେ ମିଛ କହୁଛି

ପ୍ରତ୍ୟେକଙ୍କର ଅନୁଭବ ବିଚାରଧାରା ଭିନ୍ନ ଭିନ୍ନ

ମଣିଷ ସହଜେ ହୋଇଥାଏ ଭୟାଳୁ ଓ ସନ୍ଦେହୀ 

ଜୀବନକୁ ନବୁଝି ମରଣ ଭୟେ ଖଟେ ବେଠି 

ଅନେକେ ତ ନିଜର ସୁବିଧା ସୁଯୋଗ ଦେଖି

ଅନ୍ୟର ଧନ ସମ୍ପତ୍ତିକୁ କୌଶଳରେ ନିଅନ୍ତି ମାଠି

ଅନ୍ୟାୟ ଅନୀତି ଅତ୍ୟାଚାର ହୁଏ ସବୁଠି

ହେ ଭଗବାନ୍ ତୁମେ ଅଛ କେଉଁଠି...

ତୁମକୁ ଖୋଜିବାର ବାହାନାରେ ବହୁଲୋକ 

ମିଛରେ କରନ୍ତି କୁଟ କପଟ ଖେଳାନ୍ତି ଆତଙ୍କ

ବାହାର ଦୁନିଆଁରେ ଦେଖାନ୍ତି କେତେ ପଥ

ତୁମେ ସଭିଙ୍କର ପ୍ରାଣନାଥ ପୂର୍ଣ୍ଣକର ମନୋରଥ

ସଂପୂର୍ଣ୍ଣ ଭାବେ ନିଜକୁ କରେ ଯିଏ ସମର୍ପଣ

ତାର ଧ୍ୟାନ ଧାରଣାରେ ତୁମକୁ କରିଥାଏ ଦର୍ଶନ

ପ୍ରାଚୀନ ଶାସ୍ତ୍ର ଯେତେ ପୁରାଣ ଦିଏ ବୁଝାଇ

ଅନ୍ତରରେ ଅନ୍ତର୍ଯ୍ୟାମୀଙ୍କୁ ବ୍ରହ୍ମଦର୍ଶୀ ହିଁ ଦେଖଇ

ନ ହେଲେ ଅନ୍ତର୍ମୁଖୀ ଆସେ ନାହିଁ ଅନୁଭବ

ବାହ୍ୟ ଓ ଅନ୍ତଃ ଏକ କେନ୍ଦ୍ରରେ ହେଲେ ମିଜିତ 

ତୁମ ସାନ୍ନିଧ୍ୟ ପାଇବାରେ ତାକୁ ଦିଅ ସଂକେତ

ସଂଯମତାର ସୂତ୍ରେ ଭକ୍ତ ପାଏ ମାପକାଠି

ହାତରୁ ତା' ଛାଡ଼େ ହତିୟାର ଦଙ୍ଗାର ଲାଠି

ହେ ଭଗବାନ୍ ତୁମେ ଅଛ କେଉଁଠି...

ସତ୍ୟର ପତାକା ଧରି କରେ ତୁମ ଜୟଗାନ

ସରସ ସୁନ୍ଦର କରି ଗଢେ ତାର ଜୀବନ

ତୁମେ ତ ହରି ହର ସବୁ ଦୁଃଖ କ୍ଳେଶ ପାପ

ଥିଲେ ସତ୍କର୍ମେ ଆସେ ନାହିଁ ପଶ୍ଚାତାପ

ତୁମେ ସର୍ବଜ୍ଞ ସର୍ବ ବିଦ୍ୟମାନ ସର୍ବ ଶକ୍ତିମାନ

ସାରା ସଂସାରକୁ ତୁମେ କରୁଛ ପାଳନ

ଅଗାଧ ଭରସା ଅଖଣ୍ଡ ବିଶ୍ବାସ ଥାଏ ଯା'ର

ତୁମେ ଗୋଟାପଣେ ହୋଇଯାଅ ତାହାର

ତୁମେ ଭକତ ବତ୍ସଳ ଭାବଗ୍ରାହୀ କୃପାସିନ୍ଧୁ

ପତିତ ଉଦ୍ଧାରିବାକୁ ହୁଅ ସଖା ବନ୍ଧୁ

ମନ ହୃଦୟକୁ କରେ ଯିଏ ବିଶୁଦ୍ଧ ପବିତ୍ର

ନିଷ୍କଳଙ୍କ ନିରିମଳ ଅମ୍ଳାନ ରହେ ତା' ଚରିତ୍ର

ପାଳେ ତୁମର ଆଜ୍ଞା କରେ ନାହିଁ ଅବଜ୍ଞା

ଜାଣି ସୃଷ୍ଟିର ଗୁଢ଼ତତ୍ତ୍ଵ ହରାଏ ନାହିଁ ତା' ସଂଜ୍ଞା

ଦ୍ଵନ୍ଦ୍ଵରେ ପ୍ରଶ୍ନ ନ କରି ତୁମକୁ ଦେଖେ ସବୁଠି

କହେନାହିଁ କେବେ ତା' ସନ୍ଦେହକୁ ବାନ୍ଧି ଏକାଠି 

ହେ ଭଗବାନ୍ ତୁମେ ଅଛ କେଉଁଠି...?

   


Rate this content
Log in

Similar oriya poem from Action