ହାଉଲେ ହାଉଲେ କହୁଛି
ହାଉଲେ ହାଉଲେ କହୁଛି
ଶୂନ ସାନ ଏହି ଏବେ ଧରଣୀ ରେ,
ବରଷା ର ସହ ରଜ ଆସିଲା ରେ
ଲାଗୁଛି ଯେମିତି ଆସେ ପାଦ ଚିପି,
ଡରୁଛି କି ସତେ ଏ ମହାମାରିକି
ହାଉଲେ ହାଉଲେ କହୁଛି,
କାନ ଡେରି ସେ ତ ଶୁଣୁଛି......
ଦେଖୁଛି ସେ ଏବେ, ନାହିଁ ସେ ଆନନ୍ଦ,
ଉତ୍ସାହ ବି ନାହିଁ, ନ ଶୁଭେ ଶବଦ
ନାହିଁ ସଜବାଜ, ଝୁଲୁ ନାହିଁ ଦୋଳି,
ନାହିଁ ଗୀତ ବାଇଦ କି ହୁଳହୁଳି
ହାଉଲେ ହାଉଲେ କହୁଛି,
ମନ ହାଉଯାଉ ହେଉଛି......
ଖାଲି ଭୁଇଁରେ ନାଲି ଅଳତା ଦାଗ,
କୁଆଁରୀ ମନରେ ନାହିଁ ତ ସରାଗ
ନାହିଁ ଦୋଳି ଖେଳ ନାହିଁ ପୁଚି ଖେଳ,
ପାନ ଖିଆ ନାଲି ଓଠେ ବନ୍ଧୁ ମେଳ
ହାଉଲେ ହାଉଲେ କହୁଛି,
ମନ ମାରି ସେ ତ ରୂଷିଛି.......
ଗାଁ ମାଇପେ ଙ୍କ ନାହିଁ ତ ଦିଆ ନିଆ,
ପଡୋଶୀ ଏବେ ସବୁ ହେଲେ ଛାନିଆ
ପୁରୁଷ ଙ୍କ ନାହିଁ ପଶାପାଲି ଖେଳ,
ତାସ ବି ଲୁଚିଛି, ଜଗିଛି ତା ଖୋଳ
ହାଉଲେ ହାଉଲେ କହୁଛି,
ବଡ଼ ଅଖାଡୁଆ ଲାଗୁଛି......
ଗାଁ ପିଲାଙ୍କ ବାଗୁଡ଼ି କଉଡ଼ି ଖେଳ,
ଦେଖା ନାହିଁ, ନ ଶୁଭେ ତ କୋଳାହଳ
ସହର ର ପିଠା ପଣା ର ସମ୍ବାଦ,
ପରିବେଷଣ ବିନା ଦିଏ ବିଷାଦ
ହାଉଲେ ହାଉଲେ କହୁଛି,
ଫିକା ଫିକା ସବୁ ଲାଗୁଛି...........
ଚାଷୀ ମୁହେଁ ନାହିଁ ହସ ଦେଖି ପାଗ,
ମହାମାରୀ ମାରିଛି ମନର ସୁହାଗ
ଆତଙ୍କ ଖେଲାଇଛି ଏବେ କରୋନା,
ତା ଉପଜ ସଢ଼େ, ବିକ୍ରି ତ ହୁଏନା
ହାଉଲେ ହାଉଲେ କହୁଛି,
ଏ କି ବେଳ କାଳ ଆସିଛି ???
ଦିଅଁ ଦେବତା ଙ୍କୁ ବାଦ ବି ଦେଇନି,
ତାଙ୍କ ମନ୍ଦିରେ ତ ପଡିଛି କିଳିଣି
ସବୁ ଜୀବ ଏବେ ତ ନିର୍ଜୀଵ ପ୍ରାୟ,
ଦିଶୁନାହିଁ କିଛି ମୁକ୍ତି ର ଉପାୟ
ହାଉଲେ ହାଉଲେ କହୁଛି,
ସତେ କି କିମିୟା କରିଛି !!!!
ତୁନି ତୁନି ରଜ ସବୁ ତ ଦେଖୁଛି,
ଆଖି ଲୁହ ଝର ଝର ତ ଝରୁଛି
ବରଷା ରାଣୀ ତାକୁ ସାଥି କରିଛି,
ସଙ୍ଗେ ନେଇ ଧରାରାଣୀ କୁ ଛୁଇଁଛି
ହାଉଲେ ହାଉଲେ କହୁଛି,
ସହଳ ଯିବାକୁ ଭାବୁଛି........
ତେବେ ଏବେ ସବୁ ରଜକୁ ସମ୍ଭାଳ,
ଯଥା ମତେ ଏଇ ରୀତି କୁ ତ ପାଳ
ସବୁ କିଛି କର ସମୟ କୁ ଦେଖି,
ତୁଣ୍ଡି ବାନ୍ଧି, ଉଚିତ ଦୂରତା ରଖି
ହାଉଲେ ହାଉଲେ କହୁଛି,
ଟିକେ ଟିକେ ହସି ଦେଉଛି..........
