ହାଟ
ହାଟ
ଦୁନିଆ ହାଟରେ ସଭିଏଁ କୁଣିଆ
ଆସୁଛନ୍ତି ଯାଉଛନ୍ତି,
କିଛି ସମୟର ରହଣି କାଳରେ
ଧରାକୁ ସରା ମଣନ୍ତି।।
ମିତ୍ର ଶତ୍ରୁ ସୃଷ୍ଟି ବ୍ୟବହାର ବଳୁ
ଏହି ସଂସାର ମଧ୍ୟରେ,
ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ
ଦୁନିଆ ବଡ଼ ଦାଣ୍ଡରେ।।
ଏ ଭଵ ହାଟକୁ ତୁମରି ଆଗରୁ
ଆସିଥିଲେ ଯେତେଜଣ,
କା'ର ଦେଖାନାହିଁ ଖୋଜିଲେ ହାଟରେ
କେଣିକି କଲେ ଗମନ।।
କର୍ମଫଳ ପ୍ରାଣୀ ଭୋଗିବା ପାଇଁକି
ହାଟରେ କରିଛି ଘର,
ଦୁଃଖ ସୁଖ ନର୍କ ଯନ୍ତ୍ରଣାକୁ ଭୋଗି
ହାଟରୁ ହୁଏ ବାହାର।।
ହାଟରୁ ସଉଦା କରିବା ସରିଲେ
ଆପଣା ବାଟରେ ପ୍ରାଣୀ
କେଉଁ ବାଟେ ଏହି ହାଟରୁ ସେ ଗଲା
କେହି ନ ପାରନ୍ତି ଜାଣୀ।।
ଜନ୍ମ ମୃତ୍ୟୁ ଚକ୍ର ମଧ୍ୟରେ ଜୀବନ
ହାଟ ମଧ୍ୟେ ସରିଯାଏ,
ସୁ କର୍ମକୁ ସଦା ମନେ ରଖେ ହାଟ
କୁ କର୍ମକୁ ନିନ୍ଦାକରେ।।
ସରିଲେ ଆୟୁଷ ହୁଏ ହାଟ ଶେଷ
ଅଫେରା ରାଇଜେ ଯାଉ,
ଯେଉଁ ରାଇଜରୁ ନ ଫେରନ୍ତି କେହି
ବିଭୁ ପଦେ ଲୟ ରହୁ।।