ହାଲଚାଲ
ହାଲଚାଲ
ଜନ୍ମ ପରେ ମୃତ୍ୟୁ ଏହା ଅଟେ ସତ୍ୟ
ତଥାପି ଲାଗଇ ଭୟ,
କେଉଁ ରୂପେ ଆସେ ଝାମ୍ପି ନେଇଯାଏ
କାଳ କରିଥାଏ ଲୟ।
ଅଭିନୟ ପରି ଜୀବନ ଅଟଇ
ମିଛ ହସ, ଖୁସି ନେଇ,
ମାୟାର ସ୍ବରୂପ ଏହି ଦୁନିଆ ଟା
ବୁଝିବା କଷ୍ଟ ଲାଗଇ।
କାହାରି ଦୁଃଖରେ ସମ ଦୁଃଖି ହେବା
ଦେଖିବାକୁ ମିଳେ ନାହିଁ,
ଲୁହ ଝରୁଥିଲେ କାହାର ଆଖିରେ
ପୋଛିବାକୁ କେହି ନାହିଁ।
ଲୋଭ ମୋହ ମାୟାର ଏହି ସଂସାର
ଷଡ ରିପୁ ର ବନ୍ଧନ
କେହି କାହା କଥା ଶୁଣିବେ କାହିଁକି
ଧନ ଅଟଇ ଜୀବନ।
ଅନୀତି ର ଜ୍ଵାଳା ପ୍ରବଳ ଭାବରେ
ଚାରିଆଡେ ବ୍ୟାପି ଅଛି
ଧର୍ମର ନାମରେ ସଉଦା ହେଉଛି
ସତ୍ୟ ଆଜି କାନ୍ଦୁ ଅଛି।
ମଣିଷ ପଣିଆ ନାହିଁ ବୋଲି କିଛି
ନୀରବେ ସବୁ ସହୁଛି।
କିପରି ଭାବରେ ମଣିଷ ବଦଳେ
ମିଛ ଆଜି ହସୁ ଅଛି।
ସ୍ନେହ ଓ ଶ୍ରଦ୍ଧାର ବନ୍ଧନର ଡୋର
ନିଜ ହାତରେ କାଟୁଛି,
ନିଜର ସ୍ବାର୍ଥକୁ ଦେଖଇ ସେ ଆଗ
ସମ୍ପର୍କ ସବୁ ଛାଡ଼ିଛି ।
ମୁଖରେ ତାହାର ମଧୁର ବଚନ
ପେଟରେ ବିଷ ଭରିଛି
ଅସତ୍ୟ ପଥରେ ମନ ଥାଏ ତାର
ବାସ୍ତବତା କୁ ଭୁଲିଛି।
ସ୍ବାର୍ଥପର କେବେ ଭଲ ପାଏ ନାହିଁ
କାହାରି ବଳିଦାନ କୁ,
କଳୁଷିତ ଭାବ ପୁରି ରହିଥାଏ
ଚେର କାଟଇ ପଛରୁ ।
ଗର୍ବ ରହେ ଯେଉଁ ମଣିଷ ପାଖରେ
ଅହଂକାରୀ ହୋଇ ଯିବ ,
ଦୟା, ମାୟା, କ୍ଷମା ଦୂରରେ ରହିବ
ନିଜେ ଯନ୍ତ୍ରଣା ପାଇବ।
ବୃଦ୍ଧ ବୟସରେ ରାସ ଲୀଳା କରେ
ଧନ ମତୁଆଲା ହୋଇ
ଘରର ଯୁବତୀ ପର ପୁରୁଷ ରେ
କରୁଛି ଚୋରା ପିରତି।
ଆଜିର ଦୁନିଆ ବଦଳି ଗଲାଣି
ମିଳେନା ସଂସ୍କାର ଭାବ ,
ବିକୃତ ମସ୍ତିସ୍କ ନୀଚ୍ଚ ମନୋଭାବ
ଭାବେ ଯୁଗର ପ୍ରଭାବ।