STORYMIRROR

Ranjan kumar Mohanty

Abstract Inspirational

4  

Ranjan kumar Mohanty

Abstract Inspirational

ଗୁରୁ ତୁମେ ଚିର ଚିନ୍ମୟ

ଗୁରୁ ତୁମେ ଚିର ଚିନ୍ମୟ

1 min
596


ତୁମେ ତ ସୃଷ୍ଟିର ସ୍ୱର୍ଣ୍ଣିମ ସ୍ଵାକ୍ଷର 

ନବ ନିର୍ମାଣର ତୁମେ ନିର୍ମାତା 

ମରୁ ପ୍ରାନ୍ତରରେ ତୁମେ ମନ୍ଦାକିନୀ 

ଜଡ଼ ଦେହେ ତୁମେ ଜୀବନ ସତ୍ତା 

କେବେ ତୁମେ ପିତାମାତା 

କେବେ ଶିକ୍ଷାଗୁରୁ କେବେ ଦୀକ୍ଷାଗୁରୁ 

ଅଜ୍ଞାନ ବିନାଶେ ଜ୍ଞାନ ସଳିତା ।।


କୃଷ୍ଣଚନ୍ଦ୍ର ଅବା ପ୍ରଭୁ ରାମଚନ୍ଦ୍ର 

ସର୍ବେ ତ ଗୁରୁଙ୍କ ଅଟନ୍ତି ଶିଷ୍ୟ 

ଆତ୍ମାର ଆରାଧ୍ୟ ପ୍ରାଣର ପ୍ରଣମ୍ୟ 

ତୁମେ ଏ ଜାତିର ଚିର ନମସ୍ୟ 

ତୁମେ ଅସରା ଆଶିଷ 

ବିଶ୍ବେ ଦେଇଥାଅ ଅମୃତ ସନ୍ଧାନ 

ପିଇଣ ନିଜେ ହଳାହଳ ବିଷ ।।



ଏକଲବ୍ୟ ଠାରୁ ଉପମନ୍ୟୁ ଯାଏ 

ପୁରାଣପୃଷ୍ଠାରୁ ଯେ ଇତିହାସ 

ବଜ୍ର ନିର୍ଘୋଷରେ ଗାନ କରିଥାନ୍ତି 

ଗୁରୁଙ୍କ ଗୌରବ ମହିମା ଯଶ 

ତୁମେ ହିଁ ଗଢ଼ ମଣିଷ 

ପ୍ରତିଟି ପ୍ରାଣରେ ପ୍ରତିଶ୍ରୁତି ରୂପେ 

ତୁମେ ପ୍ରାପ୍ତିର ପ୍ରଗଳ୍ଭ ପ୍ରଶ୍ୱାସ ।।



ନିରାଶା ନିଶିରେ ଆଶାର ଆଲୋକ 

ନିଦାଘରେ ତୁମେ ତରୁର ଛାଇ 

ପଥହରା ପାଇଁ ପଥପ୍ରଦର୍ଶକ 

ଝୁଣ୍ଟିବା ଆଗରୁ ନିଅ କୋଳାଇ 

ଶାସନ ଅଙ୍କୁଶ ନେଇ 

କେବେ ଯେ ପଢ଼ାଅ ଜୀବନର ପାଠ 

ଜୀବିକାର ସୂଚୀପତ୍ରଟେ ହୋଇ ।।



ବଦଳିଛି ଆଜି ସମ୍ପର୍କର ଭାଷା 

ସମୟ ଦେଉଛି କି ସମାଚାର 

ଦେଶର ଜାତିର ଭବିଷ୍ୟ ଯେ ଗଢେ 

ତାର ଭବିଷ୍ୟତ ଆଜି ଅନ୍ଧାର 

କିଏ ଦେବ ପ୍ରତ୍ୟୁତ୍ତର 

ରାଜରାସ୍ତା ପରେ ଅସହାୟ ହୋଇ 

ମାଗନ୍ତି ସେ ନିଜର ଅଧିକାର ।।



ତଥାପି ଦିଅନ୍ତି ସଞ୍ଜିବନୀ ସେତ 

ମାନବ ଜାତିର କଲ୍ୟାଣ ପାଇଁ 

ସେଥିପାଇଁ ସେତ ଜଗତରେ ପୂଜ୍ୟ 

ପାଦ ତଳେ ମଥା ଯାଏ ମୋ ନଇଁ 

ତାଙ୍କରି ଚରଣ ଛୁଇଁ 

କେତେ ପାପୀ ପୁଣି ତପୀ ପାଲଟିଲେ 

ସାକ୍ଷୀ ଏକା ଏଇ ଭାରତ ଭୂଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract